16.1 C
Bhubaneswar
Tuesday, December 9, 2025
Homeଓଡିଶା୪୫ ତମ ସାରଳା ସମ୍ମାନ ଓ କଳିଙ୍ଗ ସମ୍ମାନ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

୪୫ ତମ ସାରଳା ସମ୍ମାନ ଓ କଳିଙ୍ଗ ସମ୍ମାନ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

କଟକ: ଆଜି ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ। ଓଡ଼ିଆ ଭାଷା ସାହିତ୍ୟର ଆଦି ସ୍ରଷ୍ଟା ଆଦିକବି ସାରଳାଦାସଙ୍କ ନାମରେ ନାମିତ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆଦିକବି ସାରଳା ଦାସଙ୍କର ୬୦୦ ତମ ଜନ୍ମବାର୍ଷିକୀ ଓ ସଂସଦର ୪୫ ତମ ବାର୍ଷିକ ଉତ୍ସବ ପାଳିତ ହେଉଛି। ଏହା ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ବିଷୟ। ଏଥିପାଇଁ ମୁଁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଭାପତି ଡଃ ପ୍ରଭାକର ସ୍ୱାଇଁ ଓ ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଉଛି। ଏବଂ ଏହି ଭବ୍ୟ ସମାରୋହରେ ସେହି ପ୍ରାତଃ ସ୍ମରଣୀୟ ଆଦିକବି ସାରଳା ଦାସଙ୍କୁ କୋଟି ପ୍ରଣାମ ଜଣାଉଛି। ଆଜି ଆମ ପାଇଁ ଆହୁରି ସୌଭାଗ୍ୟ କାରଣ ଆଜିର ଏହି ବାର୍ଷିକ ଉତ୍ସବ, ଆମ ଓଡ଼ିଶା ମାଟିର ସୁଯୋଗ୍ୟା କନ୍ୟା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଛି ।

ଅତ୍ୟନ୍ତ ଆନନ୍ଦର ବିଷୟ ଯେ, ଆମରି ଓଡ଼ିଶା ମାଟିର ଅନ୍ୟତମ ସୁଦକ୍ଷ ସନ୍ତାନ, ରାଷ୍ଟ୍ରନୀତିଜ୍ଞ, ସମାଜସେବୀ ତଥା ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀଙ୍କୁ ମର୍ଯ୍ୟାଦାପୂର୍ଣ୍ଣ କଳିଙ୍ଗ ସମ୍ମାନରେ ସମ୍ମାନିତ କରାଯାଉଛି ଓ ବିଶିଷ୍ଟ ସାହିତ୍ୟ ସାଧକ ଶ୍ରୀ ବିଜୟ ନାୟକଙ୍କୁ ସମ୍ମାନଜନକ ସାରଳା ସମ୍ମାନ ପ୍ରଦାନ କରାଯାଉଛି। ମୁଁ ଉଭୟଙ୍କୁ ଅଭିନନ୍ଦନ କରୁଛି। ଯଥାର୍ଥରେ ସାରଳା ଦାସ ହେଉଛନ୍ତି ଓଡ଼ିଆ ଭାଷା ଓ ସାହିତ୍ୟର ଆଦି ସ୍ରଷ୍ଟା। ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରକୃତରେ ଆରମ୍ଭ ହୋଇଥିଲା ଆଦିକବିଙ୍କ ସୃଜନୀରୁ। ତେଣୁ, ସେହି ସମୟକୁ ଓଡ଼ିଆ ସାହିତ୍ୟର ‘ସାରଳା ଯୁଗ’ ଭାବେ ଅଭିହିତ କରାଯାଏ। ମହାନ ଯୋଗୀ ବେଦବ୍ୟାସଙ୍କ ରଚିତ ମୂଳ ମହାଭାରତ, ଯାହା ସଂସ୍କୃତରେ ରଚିତ, ତାହାକୁ ଲୋକଙ୍କ କଥନ ଭାଷାରେ ରଚନା କରି ଆଦୃତ କରାଇବାରେ ସାରଳା ଦାସଙ୍କ ଅବଦାନ ଅମୂଲ୍ୟ, ଅତୁଳନୀୟ। ସାରଳା ଦାସଙ୍କ ମହାଭାରତ, ଭାରତୀୟ ଆଞ୍ଚଳିକ ଭାଷା ମଧ୍ୟରୁ ଶ୍ରେଷ୍ଠ ରଚନା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଦିକବିଙ୍କ ମହାଭାରତରେ ଓଡ଼ିଆ ଜନଜୀବନର ଚିତ୍ର, ଉତ୍କଳୀୟ ସଂସ୍କୃତି ଓ ଭୌଗୋଳିକ ଆଖ୍ୟାୟନକୁ ସଫଳ ଭାବରେ ବର୍ଣ୍ଣନା କରାଯାଇଛି।

କଳା, ସାହିତ୍ୟ, ଭାସ୍କର୍ଯ୍ୟ ଓ ନୃତ୍ୟ ସଂଗୀତର ସମନ୍ୱୟରେ ଓଡ଼ିଆ ଜାତି ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ରତା ପ୍ରତିପାଦନ କରି ପାରିଛି। ଷଷ୍ଠ ଭାରତୀୟ ଭାଷା ଭାବରେ ଆମ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ଏହା ସମ୍ଭବ ହୋଇଛି କେବଳ ଓଡ଼ିଆ ସାହିତ୍ୟର ଜନକ ସାରଳା ଦାସ ଓ ଆମର ପ୍ରାଚୀନ ସ୍ରଷ୍ଟା ମାନଙ୍କର ସୃଷ୍ଟିର ସମ୍ଭାର ପାଇଁ। ଗୋଟିଏ ଜାତି କିମ୍ବା ସମାଜକୁ ସମୃଦ୍ଧ କରିବା ପାଇଁ ଭାଷା ଓ ସାହିତ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ଏହାର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟରତ ବ୍ୟକ୍ତି ଏବଂ ସଂସ୍ଥାଙ୍କ ଅବଦାନ ମଧ୍ୟ ସେତିକି ମହତ୍ବପୂର୍ଣ୍ଣ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ପାଇଁ ଅନେକ ସଂସ୍ଥା କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ ସାରଳା ସାହିତ୍ୟ ସଂସଦ ଅଗ୍ରଣୀ ଭୂମିକା ନିଭାଇଛି। ସାରଳା ଦାସଙ୍କ କୃତୀ ଓ କୀର୍ତ୍ତିକୁ ରାଜ୍ୟରେ ଏବଂ ରାଜ୍ୟ ବାହାରେ ପହଞ୍ଚାଇବା ପାଇଁ ଏହି ସାହିତ୍ୟ ସଂସଦର ସଦସ୍ୟମାନେ ସର୍ବଦା ପ୍ରୟାସ କରି ଆସିଛନ୍ତି। କେବଳ ସାରଳା ଦାସଙ୍କ କୃତୀ ନୁହେଁ, କବି ଜୟଦେବ, ସନ୍ଥକବି ଭୀମଭୋଇ, ଯୁଗ ପୁରୁଷ ଫକୀର ମୋହନ ସେନାପତି, ମହାପୁରୁଷ ଅଚ୍ୟୁତାନନ୍ଦ, ସ୍ଵଭାବକବି ଗଙ୍ଗାଧର ମେହେର, ସାରସ୍ୱତ ପୁରୁଷ ମଧୁସୂଦନ ରାଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଲ୍ଲିକବି ନନ୍ଦ କିଶୋର ବଳ ଆଦି ପ୍ରଜ୍ଞା ପୁରୁଷମାନଙ୍କର ସ୍ମୃତିଚାରଣ ସହ ସାରସ୍ୱତ କୀର୍ତ୍ତି ସଂସ୍କରଣ ମଧ୍ୟ ସଂସଦ ପ୍ରକାଶ କରିଅଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂସଦ ପକ୍ଷରୁ ପ୍ରତିବର୍ଷ ସମ୍ମାନଜନକ କଳିଙ୍ଗ ରତ୍ନ ଓ ସାରଳା ସମ୍ମାନ ସହ ଆମ ପୂର୍ବ ସୂରୀ ସ୍ରଷ୍ଟା ମାନଙ୍କର ସ୍ମୃତିରେ ବିଭିନ୍ନ ସମ୍ମାନ ପ୍ରଦାନ କରାଯାଉଛି। ଏହା ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବ ଓ ଗୌରବର ବିଷୟ।

ଓଡ଼ିଆ ଅସ୍ମିତାର ଅନନ୍ୟ ପ୍ରତୀକ ହେଉଛି ସାରଳା ମହାଭାରତ। ଏହି ସାରଳା ମହାଭାରତକୁ ବହୁମାତ୍ରାରେ ପ୍ରକାଶିତ କରି ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇବାରେ ସାରଳା ସାହିତ୍ୟ ସଂସଦର ଉଦ୍ୟମ ପ୍ରଶଂସନୀୟ। ଆମ ଭାଷା ସାହିତ୍ୟର ସୁରକ୍ଷା ପାଇଁ ଏଭଳି ଉଦ୍ୟମ ଅନ୍ୟ ପାଇଁ ଅନନ୍ୟ ଦୃଷ୍ଟାନ୍ତ।ନିଜ ମାତୃଭାଷା ଏବଂ ସଂସ୍କୃତି ଗୋଟିଏ ଜାତିର ପ୍ରଥମ ପରିଚୟ। ତେଣୁ ଆମ ସରକାର ପ୍ରଥମ ଦିନରୁ ହିଁ, ବିକାଶ ସହିତ ଓଡ଼ିଆ ଅସ୍ମିତାକୁ ପାଥେୟ କରି ବିକାଶ କାର୍ଯ୍ୟକୁ ଆଗେଇ ନେଉଛି। ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟାଳୟର ମୁଖ୍ୟ ଭାଷା ଭାବେ କରିବା ପାଇଁ ପ୍ରୟାସ କରୁଛୁ। ସମସ୍ତ ଶାସନ ଚିଠି, ମେମୋ, ବିଜ୍ଞପ୍ତି ଓ ରିପୋର୍ଟ ଓଡ଼ିଆରେ ଲେଖାଯିବା ପାଇଁ ନିୟମିତ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଓ ମହାବିଦ୍ୟାଳୟରେ ଓଡ଼ିଆ ଶିକ୍ଷାକୁ ଆବଶ୍ୟକୀୟ କରାଯାଇଛି। ଓଡ଼ିଆ ଶିକ୍ଷକ ପଦକୁ ଭର୍ତ୍ତି କରାଯିବାର ଦ୍ରୁତ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ଭାଷାର ମୂଲ୍ୟବାନ ସାହିତ୍ୟକୁ ପାଠ୍ୟକ୍ରମର ଅଂଶ କରାଯାଉଛି। ଓଡ଼ିଶାର ସଂସ୍କୃତି, ଶିଳ୍ପ, ଓ ଶୌର୍ଯ୍ୟ ଗାଥାକୁ ବିଶ୍ୱ ମଞ୍ଚରେ ଉପସ୍ଥାପନ କରିବାକୁ ଓଡ଼ିଆ ଦିବସ, ଏକ୍ସପୋ, ଓ ବୈଶ୍ୱିକ ସଂସ୍କୃତି ମହୋତ୍ସବର ଆୟୋଜନ କରାଯାଉଛି। ଚଳିତ ବର୍ଷ ଓଡ଼ିଆ ନବବର୍ଷ ଉପଲକ୍ଷେ ‘ଓଡ଼ିଆ ପକ୍ଷ’ ପାଳନ କରାଯାଇ ଏହି କାର୍ଯ୍ୟକୁ ଆଉ ଗୋଟିଏ ପାଦ ଆଗକୁ ନେବାରେ ସମର୍ଥ ହୋଇଛୁ।

ଓଡ଼ିଆ ଭାଷା ଆମ ଅସ୍ତିତ୍ୱର ମୂଳ ଅଂଶ। ଏହା ନା କେବଳ ଏକ ଭାଷା, ବରଂ ଆମ ଐତିହ୍ୟ, ଗୌରବ, ଓ ସଂସ୍କାରର ପ୍ରତିନିଧି। ଏହି ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଓ ସମ୍ବଳ ଦେବା ପାଇଁ ଆମ ସରକାର କୌଣସି ପଛଘୁଞ୍ଚା ଦେଉନାହିଁ। ଏହି ପ୍ରୟାସ ଅନେକ ପ୍ରମୁଖ କ୍ଷେତ୍ରରେ ଦେଖିବାକୁ ମିଳୁଛି। ସରକାର ଓଡ଼ିଆ ଶିକ୍ଷାକୁ ଶିକ୍ଷା ପ୍ରଣାଳୀର ମୂଳ ଭାଗ ବାଣ୍ଟିଛନ୍ତି। ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଓଡ଼ିଆ ଭାଷାକୁ ଅନିବାର୍ଯ୍ୟ କରାଯିବା ସହିତ ଓଡ଼ିଆ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରଭାବଶାଳୀ କୃତିକୁ ସ୍କୁଲ ଓ କଲେଜର ପାଠ୍ୟକ୍ରମରେ ଅଂଶ କରାଯାଉଛି।

ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ସଦାସର୍ବଦା ମାତୃଭାଷାରେ ଶିକ୍ଷା ଗ୍ରହଣ ପାଇଁ ମତାମତ ଦେଇଥାନ୍ତି। ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ସରକାର କେଜିରୁ ପିଜି ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଶିକ୍ଷାଦାନ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ସାନ୍ତାଳୀ ଭାଷାରେ ପ୍ରାଥମିକ ଶିକ୍ଷାଦାନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ସରକାର କରୁଛନ୍ତି।  ମୁଁ ଓଡ଼ିଶାର ଝିଅ ମାନନୀୟା ରାଷ୍ଟ୍ରପତିଙ୍କୁ ସମଗ୍ର ସାନ୍ତାଳୀ ସମାଜ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରିବି ଯେ ତାଙ୍କର ବ୍ୟକ୍ତିଗତ ପ୍ରଚେଷ୍ଟା ଫଳରେ ଗତ ୨୦୨୪ ଡିସେମ୍ବର ୧୧, ତାରିଖରେ ଡିଡି ଓଡ଼ିଆରେ ସାନ୍ତାଳୀ ଭାଷାରେ ଖବର ପ୍ରସାରିତ ହୋଇଥିଲା।
ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହା ଗୋଟିଏ ମାଇଲ ଖୁଣ୍ଟ। କାରଣ ଓଡ଼ିଶାରେ ଅନେକ dialect କୁହାଯାଇଥାଏ, ଏବଂ ଏହି ସବୁ ଭାଷା ଓ ସେମାନଙ୍କ ସଂସ୍କୃତି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଋଦ୍ଧିମନ୍ତ କରି ତୋଳିଛି। ଆସନ୍ତୁ, ଆମେ ସମସ୍ତେ ଏହି ଯାତ୍ରାର ଅଂଶୀଦାର ହେବା, ଓ ଓଡ଼ିଆ ଭାଷାକୁ ଏହି ବିଶ୍ୱ ମଞ୍ଚରେ ଗରିମା ଦେବା। ସାରଳା ସାହିତ୍ୟ ସଂସଦ ପରି ସଂସ୍ଥାଙ୍କର ଅବଦାନ ଏଥିପାଇଁ ଅମୂଲ୍ୟ। ଆଶା କରୁଛି, ଏପରି ସବୁ ସଂସ୍ଥା ନିଜ ନିଜର ଯୋଗଦାନ କରିବେ ଓଡ଼ିଆ ସାହିତ୍ୟ ଓ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking