31.1 C
Bhubaneswar
Monday, March 31, 2025
Homeଓଡିଶାବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; ୨୭ ଜିଲ୍ଲାରେ ହ୍ରାସ ପାଇଛି ଭୂତଳ ଜଳସ୍ତର

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; ୨୭ ଜିଲ୍ଲାରେ ହ୍ରାସ ପାଇଛି ଭୂତଳ ଜଳସ୍ତର

– ପ୍ରଥମ ସ୍ଥାନରେ ଗଜପତି, ଦ୍ୱିତୀୟ ସ୍ଥାନରେ ରାୟଗଡ଼ା
– ଉପକୂଳ ଜିଲ୍ଲାରେ ଜଗତ୍‌ସିଂହପୁର,ପୁରୀ ସ୍ଥିତି ଗମ୍ଭୀର

ଭୁବନେଶ୍ୱର : ଗ୍ରୀଷ୍ମ ଲହରୀ ତାତି ବଢ଼ୁଛି। ତା’ସାଙ୍ଗକୁ ଆରମ୍ଭ ହୋଇଯାଇଛି ଜଳ କଷ୍ଟ। ଓଡ଼ିଶାର ଅଧିକାଂଶ ନଦୀ ଶୁଖିଲା। କୂଅରେ ବହୁ ତରେ ଜଳ ରହିଛି। ଉପକୂଳର ଜଗତ୍‌ସିଂହପୁର ଓ ପୁରୀ ଜିଲ୍ଲାକୁ ଛାଡ଼ିଦେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରାୟ ଅଧିକାଂଶ ଜିଲ୍ଲାରେ ଜଳାଭାବ ଉତ୍କଟ। ଲୋକେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ରାଜ୍ୟର ୨୭ଟି ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଡ଼ ସୂଚନା ଦେଇଛନ୍ତି।

ଗୁରୁବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୩ ତୁଳନାରେ ୨୦୨୪ ବର୍ଷରେ ରାଜ୍ୟର ୨୩ଟି ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଇଛି। ଏବେ ୨୭ ଜିଲ୍ଲାରେ ଜଳସ୍ତର ବହୁ ପରିମାଣରେ ହ୍ରାସ ପାଇଛି। ଏହି ତାଲିକାରେ ଗଜପତି ଜିଲ୍ଲା ପ୍ରଥମେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ରାୟଗଡ଼ା ଜିଲ୍ଲା। ଗଜପତି ଜିଲ୍ଲାରେ ଭୂତଳ ଜଳସ୍ତର ଭୂମିଠାରୁ ୮.୦୩ ମିଟର ତଳେ ରହିଛି, ଯାହାକି ପୂର୍ବବର୍ଷ ତୁଳନାରେ ପାଖପାଖି ୪ ମିଟର ହ୍ରାସ ପାଇଛି। ସେମିତି ରାୟଗଡା ଜିଲ୍ଲାରେ ଏଠାରେ ଜଳସ୍ତର ୨ ମିଟରରୁ ଅଧିକ ତଳକୁ ଖସିଯାଇଛି। ମାତ୍ର ୭ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡା ଓ ସମ୍ବଲପୁର ଜିଲ୍ଲାରେ ଜଳସ୍ତର ବୃଦ୍ଧି ପାଇଛି। କେତେକ ଉପକୂଳ ଜିଲ୍ଲା ଯଥା ଜଗତସିଂହପୁର, ପୁରୀରେ ଭୂତଳ ଜଳସ୍ତର ହ୍ରାସ ପାଇଥିବା ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୂତଳ ଜଳସ୍ତର ବୃଦ୍ଧି ପାଇଁ ୨୦୨୨-୨୩ ରୁ ୨୦୨୬-୨୭ ପର୍ଯ୍ୟନ୍ତ ଦୁଇଟି ଯୋଜନା ଯଥା ‘ଛାତ’ ଏବଂ ‘ଅରୁଆ’ କାର୍ଯ୍ୟକାରୀ କରାଯାଉଛି । ଛାତ ଯୋଜନା ମାଧ୍ୟରେ ରାଜ୍ୟରେ ୨୭ଟି ସହରାଞ୍ଚଳ ଏବଂ ୫୨ଟି ବ୍ଲକରେ ୨୯,୫୦୦ଟି ବେସରକାରୀ କୋଠା ଏବଂ ୧୯୨୫ଟି ସରକାରୀ କୋଠାରେ ବର୍ଷାଜଳର ସଂରକ୍ଷଣ ଯୋଜନା କରାଯାଇଛି । ଅରୁଆ ଯୋଜନାରେ ୨୪୦୦ଟି ରିଚାର୍ଜ ସାଫ୍ଟ ମାଧ୍ୟମରେ ବର୍ଷା ଜଳର ସଂରକ୍ଷଣ ନିମିତ୍ତି ପଦକ୍ଷେପ ନିଆଯାଇଛି। ସେହିଭଳି ବିଭିନ୍ନ ନଦୀମାନଙ୍କରେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଓ ବିଭିନ୍ନ ପ୍ରାକୃତିକ ନାଳଗୁଡିକରେ ଆଡିବନ୍ଧ ତିଆରି କରି ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking