23.1 C
Bhubaneswar
Sunday, March 22, 2026
Homeଓଡିଶାମିଛ ବୋମା ଭୟ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମିଛ ବୋମା ଭୟ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦେଖା ଦେଇଥିବା ମିଛ ବୋମା ଭୟ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରୁ ଜଣାଯାଇଛି ଯେ, ସମସ୍ତ ବୋମା ଧମକ ମିଛ ଥିଲା । ପୋଲିସର ବମ୍ ଡିଟେକ୍‌ସନ୍ ସ୍କ୍ୱାଡ୍‌, କ୍ୟୁଇକ୍‌ ରିଆକ୍ସନ୍‌ ଟିମ୍, ସ୍ପେସିଆଲ ଟାକ୍ଟିକାଲ୍‌ ୟୁନିଟ୍‌, ଗୁଇନ୍ଦା ଅଧିକାରୀ ଓ ଅନ୍ୟାନ୍ୟ ସଂସ୍ଥାମାନେ ତୁରନ୍ତ ସଂପୃକ୍ତ ସ୍ଥାନକୁ ଯାଇ ପରିସ୍ଥିତିର ଅନୁସନ୍ଧାନ କରିଥିଲେ । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ବୈଠକରୁ ଜଣାଯାଇଛି ।

ତେବେ ଏହିଭଳି ଧମକ ବାରମ୍ୱାର ଆସିବାର ସମ୍ଭାବନା ଥିବାରୁ ଏଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିପାଇଁ ପୋଲିସ ପକ୍ଷରୁ ଏକ Standard Operating Procedure (SOP) ଜାରି କରିବାକୁ ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ଆଲର୍ଟ ହୋଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ବିଭିନ୍ନ ବମ୍ ସ୍କ୍ୱାଡ୍‌ କୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବୋମାକୁ ଚିହ୍ନଟ କରିବା ଏବଂ ନିଷ୍କ୍ରିୟ କରିବା, ଏହି ଉଭୟ କାମରେ ଆମର ଦକ୍ଷ ବାହିନୀ ଅଛନ୍ତି ତେବେ ସେମାନଙ୍କୁ ଆହୁରି ଦକ୍ଷ କରିବା ପାଇଁ ଅତ୍ୟାଧୁନିକ ଟ୍ରେନିଂ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ, ଆଜି ସକାଳେ ବୋମା ଭୟ ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ତୁରନ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର୍‌.ପି. କୋଚେ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking