ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟେକ ସୋମବାର ଭୁବନେଶ୍ୱରରେ ଅଭିଯୋଗ ଶୁଣାଣି କରୁଥିବା ବେଳେ ଆସନ୍ତାକାଲି ତାହା ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆସନ୍ତାକାଲି ସୋମବାର ହୋଇଥିଲେ ହେଁ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ଥିବାବେଳେ ଜୁଲାଇ ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। ରାଜ୍ୟରେ ପ୍ରଥମ ବିଜେପି ସରକାରର ଏହା ପ୍ରଥମ ବଜେଟ୍ ଅଧିବେଶନ । ବିଜେପି ସରକାର ନିଜର ପ୍ରଥମ ବଜେଟରେ କେଉଁ ସବୁ ପ୍ରସଙ୍ଗକୁ ସ୍ଥାନିତ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।









