30.1 C
Bhubaneswar
Thursday, February 12, 2026
Homeଓଡିଶା୯୪୧ ଜଣ ଅଗ୍ନିଯୋଦ୍ଧାକୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

୯୪୧ ଜଣ ଅଗ୍ନିଯୋଦ୍ଧାକୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆମ ସରକାର ଗଠନ ହେଲା ପରେ ବିଭିନ୍ନ ବିଭାଗରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଖାଲି ପଦବି ରହିଛି, ତାକୁ ପୂରଣ କରାଯିବ। ସେଥିପାଇଁ ଯାହା ସବୁ ଆବଶ୍ୟକ ପଦକ୍ଷେପ ଦରକାର, ତାହା ନିଆଯିବ। ଖାଲି ଥିବା ପଦବି ପୂରଣ କରିବା ପାଇଁ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଯାହା ସବୁ ପଦବି ଖାଲି ରହିଛି ଏବଂ ଆବଶ୍ୟକ ଥିବା ପଦବି ଦରକାର ଅଛି ସେଥିପାଇଁ ବ୍ୟବସ୍ଥା କରାଯାଉଛି। ୧୦,୦୦୦ ପଦବି ଶୀଘ୍ର ପୂରା କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସନ୍ଧ୍ୟାରେ ଏହା କହିଛନ୍ତି। ସ୍ଥାନୀୟ ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନରେ ଆୟାଜିତ ସମାରୋହରେ ରାଜ୍ୟ ସରକାର ଆଜି ୯୪୧ ଜଣଙ୍କୁ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ଦେଇଛନ୍ତି।

ଏହି ଅବସରରେ ନବନିଯୁକ୍ତ ପ୍ରାର୍ଥୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂତନ ଅଗ୍ନିଯୋଦ୍ଧାଙ୍କ ଯୋଗଦାନ ଦ୍ୱାରା ଆମ ସରକାର ଏବଂ ଏହି ବିଭାଗର ଶକ୍ତି ବୃଦ୍ଧି ପାଇବ। ଏହାଦ୍ୱାରା ଆଗାମୀ ଦିନରେ ଆବଶ୍ୟକ ସମୟରେ ଜରୁରୀକାଳୀନ ସେବା ଯୋଗାଇଦେବା ପାଇଁ ଅଧିକ ଦକ୍ଷତାର ସହିତ ବିଭାଗ କାର୍ଯ୍ୟ କରିବ। ଏଥିସହିତ ଲୋକଙ୍କ ଧନ ଜୀବନ ସୁରକ୍ଷା ସୁନିଶ୍ଚିତ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୃହରକ୍ଷୀମାନଙ୍କ କ୍ଷେତ୍ରରେ ଥିବା କଟକଣାକୁ ନିକଟରେ ରାଜ୍ୟ ସରକାର ଉଠାଇ ଦେଇଛନ୍ତି। ୨୦୨୦ରୁ ଏହା ବନ୍ଦ ଥିଲା। ୪ ବର୍ଷ ହେଲା ଯେଉଁମାନେ ଗୃହରକ୍ଷୀ ହେବାକୁ ଆଶା ରଖିଥିଲେ ସେମାନେ କଟକଣା ପାଇଁ ଇଚ୍ଛା ଥିଲେ ମଧ୍ୟ ଆଗକୁ ବଢ଼ିପାରୁ ନଥିଲେ।

କିନ୍ତୁ ସେବା କ୍ଷେତ୍ରରେ ଗୃହରକ୍ଷୀମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗୃହରକ୍ଷୀମାନେ ମଧ୍ୟ ଅ।।ଶ ରଖିଥାନ୍ତି ଯେ, ମୁଁ ଏହି କାମରେ ରହିବ। ୨୪୧୬ ଗୃହରକ୍ଷୀ ପଦବୀ ଖୁବ ଶୀଘ୍ର ପୂରଣ କରାଯିବ। ଏଥି ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଯୁବକମାନଙ୍କ ପାଇଁ ସରକାରୀ କଳରେ ଯଥେଷ୍ଟ ନିଯୁକ୍ତି ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଇଛି। ସାଢ଼େ ୪ କୋଟି ଲୋକ ଯାହା ଦାୟିତ୍ୱ ଦେଇଛନ୍ତି, ତାକୁ ପାଳନ କରାଯିବ। ସରକାରୀ ପଦବି ଯାହା ଖାଲି ରହିଛି, ତାକୁ ପୂରଣ କରାଯିବ। ଅକ୍ଟୋବର ୫ ତାରିଖଷର ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମରେ ୧୬,୦୦୯ ଜଣଙ୍କୁ ଶିକ୍ଷକ/ଶିକ୍ଷୟିତ୍ରୀ ପଦବିରେ ନିଯୁକ୍ତି ଦେଇଥିଲେ। ଆମେ ଆମର ପ୍ରତିଶ୍ରୁତି ପୂରଣ କରୁଛୁ।

ରାଜ୍ୟକୁ କିଭଳି ଭାବେ ପୁଞ୍ଜି ଆସିବ ଏବଂ ନୂଆ ଶିଳ୍ପ ପ୍ରତିଷ୍ଠା ହେବ, ସେଥିପାଇଁ ଅହରହ ଉଦ୍ୟମ ଜାରି ରଖିଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି। ଏହାକୁ ସଫଳ ରୂପ ଦେବା ପାଇଁ ଜନସାଧାରଣଙ୍କର ସହଯୋଗ ଦରକାର। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଶିଳ୍ପ ନିବେଶ ମାଧ୍ୟମରେ ରାଜ୍ୟକୁ ବିକଶିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସରକାର ନିକଟରେ ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁରରେ ବିଶ୍ୱର ଜଣାଶୁଣା ଉଦ୍ୟୋଗୀମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଶିଳ୍ପୋଦ୍ୟୋଗୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ନିଯୁକ୍ତି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ଭୁବନେଶ୍ୱର ବିଧାୟକ (ଏକାମ୍ର) ବାବୁ ସିଂ ଓ ଅଗ୍ନିସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking