ଚେନ୍ନାଇ: ଆଇପିଏଲ୍ ୨୦୨୫ର ତୃତୀୟ ମ୍ୟାଚରେ ବାଜି ମାରି ନେଇଛି ଚେନ୍ନାଇ ସୁପର କିଙ୍ଗ୍ସ । ରୋମାଞ୍ଚକର ମୁକାବିଲାରେ ସିଏସକେ ୪ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଅନ୍ୟପଟେ ମୁମ୍ବାଇ ନିଜର ପ୍ରଥମ ମ୍ୟାଚ୍ ହାରିବାର ପରମ୍ପରାକୁ ବଜାୟ ରଖିଛି । ମୁମ୍ବାଇ ଲଗାତାର ୧୧ତମ ଥର ନିଜର ପ୍ରଥମ ମ୍ୟାଚରେ ପରାଜର ସ୍ୱାଦ ଚାଖିଛି । ଚେନ୍ନାଇ ବିଜୟରେ ରଚିନ ରବୀନ୍ଦ୍ର ହିରୋ ସାଜିଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୯ ୱିକେଟ୍ ହରାଇ ୧୫୫ ରନ କରିଥିଲା । ଦଳ ପକ୍ଷରୁ ତିଳକ ବର୍ମା ୩୧, ସୂର୍ଯ୍ୟକୁମାର ଯାଦବ ୨୯ ରନ ଓ ଦୀପକ ଚହର ଅପରାଜିତ ୨୮ ରନ କରିଥିଲେ । ଜବାବରେ ଚେନ୍ନାଇ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ରଚିନ ରବୀନ୍ଦ୍ର ସର୍ବାଧିକ ୬୫ ରନର୍ ଅପରାଜିତ ମ୍ୟାଚ ବିଜୟୀ ଇନିଂସ ଖେଳିଛନ୍ତି । ଅଧିନାୟକ ଋତୁରାଜ ଗାଏକ୍ୱାଡ ୫୩ ରନର ବିସ୍ଫୋରକ ବ୍ୟାଟିଂ କରିଛନ୍ତି ।
୧୫୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇର ଆରମ୍ଭ ମଧ୍ୟ ନିରାଶ ଜନକ ଥିଲା । ରାହୁଲ ତ୍ରିପାଠୀ(୨ ରନ)ଙ୍କ ରୂପେ ସିଏସକେ ପ୍ରଥମ ୱିକେଟ୍ ହରାଇଥିଲା । ଏହା ପରେ ରଚିନ ରବୀନ୍ଦ୍ର ଓ ଅଧିନାୟକ ଋତୁରାଜ ଗାଏକ୍ୱାଡ ଜବରଦସ୍ତ ବ୍ୟାଟିଂ କରିଥିଲେ । ଉଭୟ ଦ୍ରୁତ ବ୍ୟାଟିଂ କରି ଦ୍ୱିତୀୟ ୱିକେଟ ପାଇଁ ୬୭ ରନ ଯୋଡି ବିଜୟର ମୂଳଦୁଆ ପକାଇଥିଲେ । ହେଲେ ଏହି ଯୋଡି ଭାଙ୍ଗିବା ପରେ ମ୍ୟାଚ୍ ରୋଚକ ମୋଡ ନେଇଥିଲେ । ଅଧିନାୟକ ଗାଏକ୍ୱାଡ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୬ ବଲରୁ ୬ ଚୌକା ଓ ୩ ଛକା ସହ ୫୩ ରନ କରିଥିଲେ ।
ଏହା ପରେ ଚେନ୍ନାଇ ନିୟମିତ ୱିକେଟ୍ ହରାଇବାରୁ ଏକ ତରଫା ଯାଉଥିବା ମ୍ୟାଚ ରୋମାଞ୍ଚକର ରୂପ ନେଇଥିଲା । ଗୋଟିଏ ପଟେ ରଚିନ ରବୀନ୍ଦ୍ର ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟେ ଶିବମ ଦୁବେ(୯), ଦୀପକ ହୁଡ୍ଡା(୩) ଓ ସାମ କରନ(୪) ନିରାଶ କରିଥିଲେ । ଏହା ପରେ ରଚିନ ରବୀନ୍ଦ୍ର ଓ ଅନୁଭବୀ ରବୀନ୍ଦ୍ର ଜାଡେଜା ନିଜ ଖ୍ୟାତି ଅନୁରୂପ ବ୍ୟାଟିଂ କରିଥିଲେ । ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ, ରଚିନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଛନ୍ତି । ଜାଡେଜା ୧୭ ରନ କରି ଆଉଟ୍ ହୋଇଥିଲେ । ରଚିନ ୪୫ ବଲରୁ ୨ ଚୌକା ଓ ୪ ଛକା ସହ ୬୫ ରନରେ ଅପରାଜିତ ଥିଲେ । ଏହି ବାମହାତୀ ବ୍ୟାଟର ଛକା ମାରି ଦଳକୁ ୧୯. ୧ ଓଭରରେ ଜିତାଇଛନ୍ତି ।