21.1 C
Bhubaneswar
Saturday, February 7, 2026
Homeଓଡିଶାମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ; ପୂଜାର୍ଚ୍ଚନା କଲେ ଉପମୁଖ୍ୟମନ୍ତ୍ରୀ, ତିନି ମନ୍ତ୍ରୀଙ୍କ...

ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ; ପୂଜାର୍ଚ୍ଚନା କଲେ ଉପମୁଖ୍ୟମନ୍ତ୍ରୀ, ତିନି ମନ୍ତ୍ରୀଙ୍କ ସମେତ ବିଧାୟକ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବର ଶେଷ ଚତୁର୍ଥ ପାଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି। ମଙ୍ଗଳବାର ପ୍ରାତଃ ୫ ଘଟିକା ସମୟରେ ଦ୍ୱାର ଫିଟା ଯାଇ ମା ବସନ୍ତିକ ଦୁର୍ଗା ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଆଜି ମଧ୍ୟାହ୍ନ ସମୟରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମାଆଙ୍କ ଦର୍ଶନ ଲାଭ କରି ମନ୍ଦିର ବେଢ଼ା ପରିକ୍ରମା ପୂର୍ବକ ସମସ୍ତ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସେ ନିଜ ମତ ଉପସ୍ଥାପନ କରି ଜଣାଇଥିଲେ ଯେ ଓଡ଼ିଶାରେ ହେବ ଶକ୍ତି କରିଡ଼ର । ଏହା ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତି ପୀଠକୁ ଯୋଡାଯିବ। ଏହି ଶକ୍ତି କରିଡ଼ର ସମ୍ପର୍କରେ ଖୁବ୍‌ଶିଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ମାଁ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ । ଉପ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ, ଖଣି ଓ ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଆସିକା ବିଧାୟକ ସରୋଜ ପାଢ଼ୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ। ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ମନ୍ତ୍ରୀ, ସମସ୍ତ ବିଧାୟକ ଗଣ ମାଁ ତାରାତାରିଣୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ସେବାୟତଙ୍କ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା ।

ମା’ଙ୍କୁ ଦର୍ଶନ କରିବା ପରେ ବେଢ଼ା ପରିକ୍ରମା କରିବା ସହ ମନ୍ଦିରରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ। ମା’ଙ୍କ ନିକଟରେ ମୁଣ୍ଡିଆ ମାରି ଜଗତର କଲ୍ୟାଣ ନିମନ୍ତେ ସମସ୍ତେ ପ୍ରାର୍ଥନା କରିଥିଲେ । ଓଡ଼ିଶାରେ ଏକ ଶକ୍ତି କରିଡ଼ର କରାଯିବ । ଏଥିମଧ୍ୟରେ ରହିବ ଗଞ୍ଜାମର ମାଁ ତାରାତାରିଣୀ, ମାଁ ବିରଜା, ମାଁ ଉଗ୍ରତାରା, ମାଁ ଭଗବତୀ, ମାଁ ମଙ୍ଗଳା, ମାଁ କାଳିଜାଇ, ମାଁ ଭୈରବୀଙ୍କୁ ଯୋଡ଼ି ଏକ ଶକ୍ତି କରିଡ଼ର ଘୋଷଣା କରିବୁ । ଜିଲ୍ଲା ସ୍ତରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମାଁ ତାରାତାରିଣୀ ପୀଠର ଉନ୍ନତି କରାଯିବ। ଏହାବ୍ୟତୀତ ପର୍ଯ୍ୟଟନ ବିଭାଗ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହି ଶକ୍ତି କରିଡ଼ରର ବିକାଶ କରିବେ । ପୂଜା, ବରଦାନ ଓ ତପସ୍ୟା ପାଇଁ ଯଦି ଓଡ଼ିଶାର କେଉଁ କ୍ଷେତ୍ରକୁ ଲୋକେ ଆସିବେ ତେବେ ଏହି ଶକ୍ତି କରିଡ଼ରକୁ ଆସିବେ । ତେଣୁ ପର୍ଯ୍ୟଟକମାନଙ୍କ ଓ ସନାତନ ଧର୍ମର ଭକ୍ତମାନଙ୍କ ନିମନ୍ତେ ଏହି ଶକ୍ତି କରିଡ଼ରର ବଡ଼ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଶକ୍ତି କରିଡ଼ର ମାଧ୍ୟମରେ ଯେଉଁମାନେ ବାହାର ରାଜ୍ୟ ତଥା ଦେଶରୁ ଆସୁଥିବା ଶକ୍ତି ଆରାଧକମାନେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ସମ୍ପର୍କରେ ଜାଣିବା ସହ ତପସ୍ୟା ଠାରୁ ପୂଜା ଓ ଆରାଧନା କରିବାର ସୁଯୋଗ ପାଇପାରିବେ ।

ଏନେଇ ପର୍ଯ୍ୟଟନ ବିଭାଗ ନିଜର ଯୋଜନା ଆରମ୍ଭ କରିସାରିଛି । ଏହି ଅନୁସାରେ ପୂର୍ତ୍ତ ବିଭାଗ ମଧ୍ୟ ଐତିହ୍ୟର ବିକାଶ ପାଇଁ ବ୍ୟବସ୍ଥା କରୁଛି । ଏହି ସମସ୍ତ ଶକ୍ତି ପୀଠ ଗୁଡ଼ିକୁ ଆବଶ୍ୟକସ୍ଥଳେ ହେଲିକେପ୍ଟର ଯୋଗେ ସଂଯୋଗୀକରଣ ନେଇ ଯୋଜନା କରାଯିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ଶକ୍ତି କରିଡ଼ରକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ସକାଳ ସମୟରେ ଅନୁସୂଚିତ ଜାତି, ଜନଜାତି ତଥା ସଂଖ୍ୟା ଲଘୁ କେନ୍ଦ୍ରୀୟ ସଚିବ ଚନ୍ଦ୍ର ଶେଖର କୁମାର ମଧ୍ୟ ମା’ଙ୍କ ଦର୍ଶନ କରି ପୂଜା ଅର୍ଚ୍ଚନା କରିଥିଲେ। ଆଜି ମା’ଙ୍କ ପୀଠରେ ୨୨୧୫ ଜଣ ମାନସିକଧାରୀ ମୁଣ୍ଡନ କରିଥିବା ବେଳେ ପ୍ରାୟ ୩୦ହାଜରରୁ ଉର୍ଦ୍ଧ ଭକ୍ତ ଅନ୍ନ ଯଜ୍ଞରେ ପ୍ରସାଦ ସେବନ କରିଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଡ ପ୍ରମୋଦ କୁମାର ପୃଷ୍ଟି, ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ, ମନ୍ଦିର ଟ୍ରଷ୍ଟି ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking