– ଅନ୍ତର୍ଭୁକ୍ତ ହେବ ଜାତିଗତ ତଥ୍ୟ
– ଦୁଇଟି ପର୍ଯ୍ୟାୟରେ ହେବ ଗଣନା
ନୂଆଦିଲ୍ଲୀ: ମାର୍ଚ୍ଚ ୧, ୨୦୨୭ରୁ ଦେଶରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ ଏବଂ ୨୦୨୮ ଯାଏ ଏହା ଜାରି ରହିବ। ସବୁଠୁ ବଡ଼କଥା ହେଉଛି ଏଥର ଜନଗଣନାରେ ଜାତିଗତ ତଥ୍ୟ ଅନ୍ତର୍ଭୁକ୍ତ ହେବ ଏବଂ ଏସବୁ ଡିଜିଟାଲ୍ ମୋଡ୍ରେ କରାଯିବ। ଏପରି ହେଲେ ୧୯୪୧ ପରେ ଏହା ଦେଶରେ ପ୍ରଥମ ଜାତିଗତ ଜନଗଣନା ହେବ ଯାହାର ତଥ୍ୟ ୨୦୨୮ ଶେଷ ସୁଦ୍ଧା ପ୍ରକାଶ ପାଇପାରେ। ୨୦୧୧ରେ ଦେଶରେ ଶେଷଥର ପାଇଁ ଜନଗଣନା କରାଯାଇଥିଲା। ନିୟମ ଅନୁସାରେ ପରବର୍ତ୍ତୀ ଜନଗଣନା ୨୦୨୧ରେ ହେବା କଥା, କାରଣ ଭାରତରେ ଜନଗଣନା ସାଧାରଣତଃ ପ୍ରତି ଦଶନ୍ଧି (୧୦ ବର୍ଷ)ରେ ଥରେ କରାଯାଏ। କିନ୍ତୁ ଏହି ସମୟରେ ଦେଶରେ କରୋନା (କୋଭିଡ୍-୧୯)ଜନିତ ମହାମାରୀ ଶିଖର ଛୁଇଁଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନଗଣନାକୁ ସ୍ଥଗିତ କରାଯାଇଥିଲା। ଯଦିଓ ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣଜନିତ ଭୟାବହତା ହ୍ରାସ ପାଇଥିଲା କିନ୍ତୁ ଜନଗଣନା ପ୍ରକ୍ରିୟା ଆଉ ଆରମ୍ଭ ହୋଇପାରିନଥିଲା। ତେବେ ଏବେ ସରକାର ଦେଶରେ ଜନଗଣନା କରାଇବାକୁ ଅଣ୍ଟା ଭିଡିଛନ୍ତି। ଫଳରେ ଦୀର୍ଘ ୧୬ ବର୍ଷ ପରେ ଦେଶରେ ଜନଗଣନା ହେବାକୁ ଯାଉଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ସୂଚନାନୁସାରେ ଏଥର ଜନଗଣନା ପ୍ରକ୍ରିୟାରେ ଜାତିଗତ ତଥ୍ୟ (ଜାତି/ଉପଜାତି ସମ୍ପର୍କୀତ ସୂଚନା)କୁ ଅନ୍ତର୍ଭୁକ୍ତ କରାଯିବ। ସେହିପରି ଏଥିରେ ଦେଶର ଜନସଂଖ୍ୟାର ସମ୍ପୂର୍ଣ୍ଣ ଗଣନା, ଏବଂ ପ୍ରମୁଖ ସାମାଜିକ-ଅର୍ଥନୈତିକ ବିବରଣୀ ସବୁ ସାମିଲ ରହିବ। ତେବେ ଆଗାମୀ ଜନଗଣନା ପ୍ରକ୍ରିୟାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ସରକାର ଯୋଜନା କରିଛନ୍ତି। ଅକ୍ଟୋବର ୨୦୨୬ରୁ ଲଦାଖ, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ତୁଷାରପାତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ। ସେହିପରି ୨୦୨୭, ମାର୍ଚ୍ଚ ୧ରୁ ଦେଶର ଅନ୍ୟ ପ୍ରାନ୍ତରେ ଜନଗଣନା ଆରମ୍ଭ ହେବ। ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ ଏବଂ ଏଥିରେ ସାରା ଦେଶର ପୁରୁଷ ଏବଂ ମହିଳାମାନଙ୍କୁ ପଚରାଯିବା ପାଇଁ ପ୍ରଶ୍ନର ଏକ ଲମ୍ବା ତାଲିକା ରହିବ। ଏଥିରେ ଜାତି ଏବଂ ଉପଜାତି ସହିତ ଜଡିତ ପ୍ରଶ୍ନ ମଧ୍ୟ ରହିବ ବୋଲି ମଧ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ତେବେ ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ପରେ ଦେଶରେ ଲୋକସଭା ଓ ବିଧାନସଭା ଆସନଗୁଡ଼ିକର ପରିସୀମନ (ସୀମା ନିର୍ଦ୍ଧାରଣ ପ୍ରକ୍ରିୟା) ମଧ୍ୟ କରାଯାଇପାରେ, ଯାହା ୨୦୨୮ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି।
ଜନଗଣନାରେ ଜାତିଗତ ଗଣନାକୁ ଅନ୍ତର୍ଭୁକ୍ତ କରିବାର ନିଷ୍ପତ୍ତି ବିରୋଧୀ ଦଳ ଦ୍ୱାରା ଦୃଢ଼ ଭାବରେ ଉଠାଯାଇଥିବା ଏକ ଦାବି। ବିହାରରେ ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନର ମାସକ ପୂର୍ବରୁ ଜାତିଗତ ଜନଗଣନା କରାଯିବା ନେଇ ଘୋଷଣା କରାଯାଇଥିଲା। ବିହାରରେ ମୋଟ୍ ଜନସଂଖ୍ୟାର ୬୩% ଅଧିକ ଅତ୍ୟନ୍ତ ପଛୁଆ କିମ୍ବା ପଛୁଆ ବର୍ଗର ଅଟନ୍ତି। ପ୍ରକାଶ, ବିରୋଧୀ ଦଳ ଜନଗଣନା କରିବାକୁ ଚାପ ପକାଉଛି, ଯୁକ୍ତି ଦେଉଛି ଯେ ପ୍ରଭାବଶାଳୀ ନୀତି ନିର୍ଦ୍ଧାରଣ ପାଇଁ ଜନସଂଖ୍ୟା ଏବଂ ସାମାଜିକ-ଆର୍ôଥକ ତଥ୍ୟର ଏକ ସଠିକ୍ ଗଣନା ଜରୁରୀ। ତେବେ ଏହି ଜନଗଣନା ଦେଶର ସାମାଜିକ, ଆର୍ôଥକ ଓ ଜନସାଂଖ୍ୟିକ ତଥ୍ୟ ସଂଗ୍ରହ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ସରକାରୀ ଯୋଜନା ଏବଂ ନୀତି ନିର୍ମାଣରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ନିୟୋଜିତ ହେବାକୁ ଥିବା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯିବ ବୋଲି କୁହାଯାଇଛି।