29.1 C
Bhubaneswar
Thursday, June 5, 2025
Homeଓଡିଶାଜାତିଭିତ୍ତିକ ଜନ ଗଣନା ଆମର ଦୀର୍ଘ ଦିନର ଦାବିକୁ ସ୍ୱୀକୃତି: ବିଜେଡି

ଜାତିଭିତ୍ତିକ ଜନ ଗଣନା ଆମର ଦୀର୍ଘ ଦିନର ଦାବିକୁ ସ୍ୱୀକୃତି: ବିଜେଡି

ଭୁବନେଶ୍ୱର: ଜାତି ଭିତ୍ତିକ ଜନଗଣନା ପାଇଁ ବିଜୁ ଜନତା ଦଳ ଦୀର୍ଘ ଦିନରୁ ଦାବୀ କରି ଆସୁଥିଲା ବେଳେ, କେନ୍ଦ୍ର ସରକାରଙ୍କ ଜାତି ଭିତ୍ତିକ ଜନ ଗଣନା ପାଇଁ ଗତ କାଲି କରିଥିବା ଘୋଷଣାକୁ ସ୍ୱାଗତ କରିବା ସହିତ, ଏହା ବିଜେଡିର ଦୀର୍ଘ ଦିନର ଦାବିକୁ ସ୍ୱୀକୃତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଦଳ ତରଫରୁ କୁହାଯାଇଛି । ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ବିଧାୟକ ଡ଼ଃ ଅରୁଣ କୁମାର ସାହୁ, କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଜାତି ଭିତ୍ତିକ ଜନ ଗଣନାକୁ ସ୍ୱାଗତ କରିବା ସହିତ ଦେଶରେ ସଂଖ୍ୟା ଅନୁସାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବୀ ରଖିଥିଲେ ।

ଡ଼ଃ ଅରୁଣ କୁମାର ସାହୁ କହିଥିଲେ, ବିଜୁ ଜନତା ଦଳ ତରଫରୁ ଦୀର୍ଘ ଦିନରୁ ଜାତି ଭିତ୍ତିକ ଜନ ଗଣନା ପାଇଁ ଦାବୀ କରାଯାଇ ଆସୁଥିଲା । ବିଜୁ ଜନତା ଦଳର ସଦସ୍ୟ ମାନେ, ସଂସଦର ଉଭୟ ଗୃହରେ ଏଥିପାଇଁ ଦାବୀ ରଖିବା ସହିତ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦାବୀ ରଖିଥିଲେ । ଏହା ଛଡା ପାର୍ଲିଆମେଣ୍ଟ ଷ୍ଟାଣ୍ଡିଙ୍ଗ କମିଟି ଅନ ଓବିସି ଆଗରେ ମଧ୍ୟ ବିଜୁ ଜନତା ଦଳ ତରଫରୁ ଜାତି ଭିତ୍ତିକ ଜନ ଗଣନା ପାଇଁ ଦାବୀ ରଖା ଯାଇଥିଲା । ସେହିପରି, ବିଧାନସଭା ଭିତରେ ଓ ବାହାରେ ମଧ୍ୟ ଏଥି ନେଇ ବିଜୁ ଜନତା ଦଳ ତରଫରୁ ଲଗାତର ଭାବେ ସ୍ୱର ଉତ୍ତୋଳନ କରାଯାଇ ଆସୁଥିଲା । କେନ୍ଦ୍ର ସରକାର ଜାତି ଭିତ୍ତିକ ଜନ ଗଣନାକୁ ସ୍ୱୀକାର କରି ଥିବାରୁ, ଆମେ ତାକୁ ସ୍ୱାଗତ କରିବା ସହିତ ଏହି ସମ୍ୱନ୍ଧରେ କିଛି ଦାବୀ ଉପସ୍ଥାପନ କରୁଛୁ ।

ଡ଼ଃ ସାହୁ କହିଥିଲେ, ଜାତି ଭିତ୍ତିକ ଜନ ଗଣନା କରିବା ସମୟରେ, ଜଣେ ବ୍ୟକ୍ତିର ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ କିପରି ବିକାଶ ହୋଇଛି ତାହା ମଧ୍ୟ ଜାଣିବା ଦରକାର । ଦେଶର ସମସ୍ତ ବର୍ଗର ଲୋକଙ୍କ ବିକାଶକୁ ନିଶ୍ଚିତ କରିବା ପାଇଁ ଏହାର ନିତ୍ୟାନ୍ତ ଆବଶ୍ୟକ ରହିଛି । ଜାତି ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥା ରହିଥିବାରୁ, ଏହା ନିଶ୍ଚିତ ହେଲେ ସଂରକ୍ଷଣ ବ୍ୟବସ୍ଥାରେ ସୁଧାର ଆସି ପାରିବ । ଆମ ରାଜ୍ୟରେ, ପ୍ରାୟ ଏସସି, ଏସଟି ବର୍ଗର ଲୋକଙ୍କ ସଂଖ୍ୟା ୩୮.୭୫ ପ୍ରତିଶତ ହୋଇଥିବା ବେଳେ ଓବିସିଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ ରହିଛି । ରାଜ୍ୟରେ, ଓବିସି ବର୍ଗର ଲୋକଙ୍କ ପାଇଁ କେବଳ ଚାକିରୀରେ ୧୧.୨ ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ଶିକ୍ଷା ଗ୍ରହଣ କରିବା ସମୟରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ ।

ଯେଉଁ ବର୍ଗର ଲୋକଙ୍କ ସଂଖ୍ୟା ଯେତେ, ସେମାନଙ୍କୁ ସେତିକି ପ୍ରତିଶତ ସଂରକ୍ଷଣ ପ୍ରଦାନ ପାଇଁ ଆମେ ଦାବୀ ରଖୁଛୁ । ଏଥିପାଇଁ, ସର୍ବାଧିକ ୫୦ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବା ପାଇଁ ଥିବା ନିୟମରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ହେବ ବୋଲି ଡ଼ଃ ସାହୁ କହିଥିଲେ । ଏହାଛଡା, ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ଓବିସି ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷା ଅନୁଷ୍ଠାନ ଗୁଡିକରେ, ଚାକିରୀ କ୍ଷେତ୍ରରେ ମିଳୁଥିବା ୧୧.୨ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ପାଇଁ ଆମେ ଦାବୀ କରୁଛୁ । ଉଲ୍ଲେଖଯୋଗ୍ୟ, ଓବିସି ବର୍ଗର ଲୋକଙ୍କ ପାଇଁ ସଂରକ୍ଷଣ ଲାଗୁ କରିବା ପ୍ରକ୍ରିୟା ଦେଶରେ ପ୍ରଥମେ ଜନତା ପାର୍ଟି ସରକାରଙ୍କ ସମୟରେ ମଣ୍ଡଳ କମିସନ ଗଠନ ମାଧ୍ୟମରେ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଜନତା ଦଳ ସରକାର
ଏହାକୁ ଲାଗୁ କରିଥିଲେ ।

ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଥିଲେ, ସମସ୍ତ ବର୍ଗକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ, ୨୦୧୦ ମସିହାରେ ବିଜୁ ଜନତା ଦଳର ସଭାପତି ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ସଂସଦରେ ଦଳ ତରଫରୁ ଜାତି ଭିତ୍ତିକ ଜନ ଗଣନା ପାଇଁ ଦୃଢ଼ ଦାବୀ ରଖାଯାଇଥିଲା । ଆଜି କେନ୍ଦ୍ର ସରକାରଙ୍କ ଜାତି ଭିତ୍ତିକ ଜନ ଗଣନା ପାଇଁ ଘୋଷଣା ବିଜୁ ଜନତା ଦଳର ଦୀର୍ଘ ଦିନର ଦାବିକୁ ସ୍ୱୀକୃତି ପ୍ରଦାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଜେଡି ସହିତ ଅନ୍ୟ ପ୍ରାନ୍ତୀୟ ଦଳ ମାନେ ମଧ୍ୟ ଏଥିପାଇଁ ସ୍ୱର ଉତ୍ତୋଳନ କରି ଆସୁଥିଲେ । କିନ୍ତୁ, କେନ୍ଦ୍ରର ବିଜେପି ସରକାର ଏହାକୁ ପ୍ରତ୍ୟାଖାନ କରି ଆସୁଥିଲେ । ପରବର୍ତ୍ତୀ ସମୟରେ, ଏ ସ୍ୱର ପ୍ରାନ୍ତୀୟ ସ୍ତରରେ ଅଧିକ ଶାଣିତ ହେବା ପରେ କେନ୍ଦ୍ର ସରକାର ଏହି ଦାବିକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି ।

ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, କେନ୍ଦ୍ର ସରକାର ଜାତି ଭିତ୍ତିକ ଜନ ଗଣନା ପାଇଁ କ୍ୟାବିନେଟରେ ପାସ କରିଛନ୍ତି କିନ୍ତୁ ଏହା ଏକ ନିର୍ବାଚନୀ ଷ୍ଟଣ୍ଟ ନହେଉ । ସମସ୍ତେ ଜାଣନ୍ତି, କେନ୍ଦ୍ର ସରକାର ଜାତି ଭିତ୍ତିକ ଜନ ଗଣନାକୁ ବିରୋଧ କରି ଆସୁଥିଲେ । ଏବେ ଏହା ଘୋଷଣା ହେବା ପରେ ଏହା ସମସ୍ତ ବର୍ଗର ଲୋକଙ୍କୁ ସାମାଜିକ ନ୍ୟାୟ ପ୍ରଦାନରେ ସହାୟକ ହେବା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଜାତି ଭିତ୍ତିକ ଜନ ଗଣନା ହେଲେ ସମ୍ୱିଧାନର ବ୍ୟବସ୍ଥା ଅନୁଯାୟୀ, ଏସସି, ଏସଟି ବର୍ଗଙ୍କ ସହିତ ଓବିସି ବର୍ଗର ଲୋକମାନେ ଉପଯୁକ୍ତ ସଂରକ୍ଷଣ ପାଇ ପାରିବେ ଓ ଦେଶରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ହୋଇ ପାରିବ ବୋଲି ଶ୍ରୀମତୀ ଛୁରିଆ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking