ମର୍ସସାଇଡ: ଲିଭରପୁଲ ଏଫସିର ୨୦ତମ ଟପ୍-ଫ୍ଲାଇଟ ଇଂରାଜୀ ଲିଗ୍ ଟାଇଟେଲ ବିଜୟର ଉତ୍ସବ ସମୟରେ ଏକ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି । ଲିଭରପୁଲର ସହର କେନ୍ଦ୍ରରେ ଥିବା ୱାଟର ଷ୍ଟ୍ରିଟରେ ଖୋଲା ବସ୍ ପରେଡ ସମୟରେ ଏକ କାର ପ୍ରଶଂସକଙ୍କ ଉପରେ ଚଢିଯାଇଥିଲା । ରିପୋର୍ଟ ଅନୁସାରେ, କାର ଚଢିଯିବା ଯୋଗୁଁ ୪ ଜଣ ପିଲାଙ୍କ ସମେତ ୪୭ ଆହତ ହୋଇଥିଲେ । ଘଟଣାଟି ୧୦ ମାଇଲ ଲମ୍ବା ପରେଡ ରୁଟରେ ଘଟିଥିଲା । ଜରୁରୀକାଳୀନ ସେବାକୁ ଉଦ୍ଧୃତ କରି ଏନୱାଇଟି ଅନୁଯାୟୀ, ଆହତ ୪୭ ଜଣଙ୍କ ମଧ୍ୟରୁ ୨୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ବାକି ୨୦ ଜଣଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିଲା ।
ଏନୱାଇଟି ରିପୋର୍ଟ ଅନୁଯାୟୀ, ଯେତେବେଳେ ଜଣେ ଶିଶୁ ସମେତ ଚାରି ଜଣ ବ୍ୟକ୍ତି ଅସ୍ଥାୟୀ ଭାବରେ କାର ତଳେ ଫସି ରହିଥିଲେ, ଏକ ବାଇକରେ ଥିବା ଜଣେ ପାରାମେଡିକଙ୍କୁ ମଧ୍ୟ ଧକ୍କା ଦିଆଯାଇଥିଲା କିନ୍ତୁ ସେ ଗୁରୁତର ଭାବରେ ଆହତ ହୋଇ ନଥିଲେ । ସୋମବାର ପୂର୍ବରୁ, ମର୍ସିସାଇଡ୍ ପୋଲିସ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏକ ଗାଡ଼ି ପଥଚାରୀଙ୍କୁ ଧକ୍କା ଦେଇଥିବା ରିପୋର୍ଟ ପାଇଥିଲା । ଏହି ଘଟଣାରେ ଲିଭରପୁଲ ଅଞ୍ଚଳର ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ଯାହାଙ୍କୁ ଦୁର୍ଘଟଣା ସମୟରେ ଗାଡ଼ି ଚଲାଉଥିବା ପୋଲିସ ବିଶ୍ବାସ କରୁଛି। ଏନୱାଇଟି ଅନୁଯାୟୀ, ଆସିଷ୍ଟାଣ୍ଟ ଚିଫ୍ କନଷ୍ଟେବଳ ଜେନି ସିସ୍ଟ ସୋମବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପୋଲିସ ଏହାକୁ ଏକ ପୃଥକ ଘଟଣା ବୋଲି ବିବେଚନା କରୁଛି ଏବଂ କୌଣସି ଅତିରିକ୍ତ ସନ୍ଦିଗ୍ଧଙ୍କୁ ଖୋଜୁନି ।
କର୍ତ୍ତୃପକ୍ଷ ଏହି କାର୍ଯ୍ୟକୁ ଆତଙ୍କବାଦ ଭାବରେ ଦେଖୁନାହାଁନ୍ତି। ଘଟଣା ପରେ, ଫୁଟବଲ୍ କ୍ଲବ୍ ଏକ ବିବୃତ୍ତି ଜାରି କରି ଘଟଣା ଦ୍ବାରା ପ୍ରଭାବିତ ହୋଇଥିବା ଲୋକଙ୍କ ପ୍ରତି ସେମାନଙ୍କର ସମବେଦନା ଜଣାଇଛନ୍ତି। ରବିବାର ଦିନ ଲିଭରପୁଲ ଏଫସି ସେମାନଙ୍କର ଦ୍ଵିତୀୟ ପ୍ରିମିୟର ଲିଗ୍ ଟ୍ରଫି ଉଠାଇଥୁଲା ଏବଂ ଘଟଣା ଘଟିବା ପୂର୍ବରୁ ଏକ ଖୋଲା ବସ୍ ପରେଡ୍ ସହିତ ସେମାନଙ୍କର ଅବିଶ୍ବସନୀୟ ସିଜନ ପାଳନ କରୁଥୁଲା। ଏହି ଟାଇଟଲ ବିଜୟ ନୂତନ ପରିଚାଳକ ଆର୍ଜେ ସ୍କୁଟଙ୍କ ନେତୃତ୍ୱରେ ପ୍ରଥମ ସିଜିନରେ ଆସିଛି, ଯିଏ ୨୦୨୪ ମସିହାରେ ଜୁର୍ଗେନ କ୍ଲପଙ୍କ ବିଦାୟ ପରେ ଦାୟିତ୍ବ ଗ୍ରହଣ କରିଥିଲେ।