18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଅମିତ ଶାହଙ୍କ ବିରୋଧରେ କାନାଡା ମନ୍ତ୍ରୀଙ୍କ ଅଭିଯୋଗ ପ୍ରସଙ୍ଗ

ଅମିତ ଶାହଙ୍କ ବିରୋଧରେ କାନାଡା ମନ୍ତ୍ରୀଙ୍କ ଅଭିଯୋଗ ପ୍ରସଙ୍ଗ

ନୂଆଦିଲ୍ଲୀ: କାନାଡାର ଜଣେ ମନ୍ତ୍ରୀ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆଣିଥିବା ଏକ ଅପମାନଜନକ ଅଭିଯୋଗ ଆଧାରରେ ଭାରତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛି। କାନାଡା ମନ୍ତ୍ରୀଙ୍କ ଅଭିଯୋଗକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରିବା ସହ ନୂଆଦିଲ୍ଲୀ ସ୍ଥିତ କାନାଡା ଦୂତାବାସର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ସମନ ଜାରି କରିଛି। କାନାଡା ମନ୍ତ୍ରୀ ଦେଇଥିବା ବୟାନ ଅତ୍ୟନ୍ତ ନିନ୍ଦନୀୟ ଏବଂ ଭିତ୍ତିହୀନ ବୋଲି ଭାରତ ସରକାର କହିଛନ୍ତି। କାନାଡାର ବୈଦେଶିକ ମନ୍ତ୍ରଣାଳୟର ଉପମନ୍ତ୍ରୀ ଡେଭିଡ ମରିସନ ମଙ୍ଗଳବାର ଦେଶର ଲୋକ ସୁରକ୍ଷା ଓ ଜାତୀୟ ସୁରକ୍ଷା ପାଇଁ ଗଠିତ ଷ୍ଟାଣ୍ଡିଂ କମିଟିକୁ କହିଥିଲେ ଯେ, ଖଲିସ୍ତାନୀ ବିଦ୍ରୋହୀଙ୍କ ବିରୋଧରେ ହିଂସାତ୍ମକ ପ୍ରଚାର, ଧମକ ଓ ସେମାନଙ୍କ ବିରୋଧରେ ଗୁଇନ୍ଦା ତଥ୍ୟ ହାସଲ କରିବା ପାଇଁ ଭାରତୀୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି। ଅମିତ ଶାହଙ୍କ ନିର୍ଦ୍ଦେଶରେ କାନାଡାରେ ଖଲିସ୍ତାନୀଙ୍କୁ ଟାର୍ଗେଟ କରାଯାଉଛି।

ତେବେ ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧିର ଜୈସୱାଲ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ପୂରା ପ୍ରସଙ୍ଗରେ କାନାଡା ହାଇକମିଶନର ପ୍ରତିନିଧିଙ୍କୁ ସମନ କରାଯାଇଥିଲା ଓ ତାଙ୍କୁ ଗୋଟିଏ କୂଟନୀତିକ ଚିଠି ଧରାଇ ଦିଆଯାଇଛି। କାନାଡା ମନ୍ତ୍ରୀଙ୍କ ବୟାନକୁ ତୀବ୍ର ଭାବେ ବିରୋଧ କରାଯାଇଥିବା ଜୈସଲୱାଲ୍ କହିଛନ୍ତି। ଜୈସୱାଲଙ୍କ କହିବାନୁସାରେ “କାନାଡା ଉପମନ୍ତ୍ରୀ ଡେଭିଡ୍ ମରିସନ ତାଙ୍କ ଦେଶର କମିଟି ଆଗରେ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ ଆଣିଥିବା ଭିତ୍ତିହୀନ ଅଭିଯୋଗକୁ ଭାରତ ସରକାର କୂଟନୀତିକସ୍ତରରେ ତୀବ୍ର ବିରୋଧ କରୁଛନ୍ତି।

ଏସମ୍ପର୍କରେ କୂଟନୀତିକ ନୋଟ୍ ମାଧ୍ୟମରେ ଏହା କାନାଡାକୁ ମଧ୍ୟ ଜଣାଇ ଦିଆଯାଇଛି।” କାନାଡିଆନ ଅଧିକାରୀମାନେ କେବଳ ଚର୍ଚ୍ଚାରେ ରହିବା ପାଇଁ ସତ୍ୟତା ନଥିବା ତଥ୍ୟକୁ ଜାଣିଶୁଣି ମିଡିଆରେ ଲିକ୍ କରିବା ଅତ୍ୟନ୍ତ ପରିତାପର ବିଷୟ। ଏପରି ଘଟଣା ଭାରତ-କାନାଡା ମଧ୍ୟରେ ଥିବା ସମ୍ପର୍କରେ ସାଂଘାତିକ ପ୍ରଭାବ ପକାଇବ। ଏହାର ଗୁରୁତର ପରିଣାମ ଦେଖିବାକୁ ମିଳିପାରେ ବୋଲି ଜୈସୱାଲ ସତର୍କ କରାଇ ଦେଇଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଚରମସୀମାରେ ପହଞ୍ଚିଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁଙ୍କ ପରେ ତାଙ୍କ ସରକାରର ଜଣେ ମନ୍ତ୍ରୀ ନିଜାର ହତ୍ୟା ପଛରେ ଭାରତୀୟ କୂଟନୀତିଜ୍ଞଙ୍କ ହାତ ରହିଥିବା ବିଶେଷକରି କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ଭାରତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କୁଆଡେ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ କରିଛନ୍ତି। କାନାଡା ମନ୍ତ୍ରୀଙ୍କ ଏପ୍ରକାର ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ଏକ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନି। ପ୍ରକାଶ, କାନାଡା ବିନା ପ୍ରମାଣରେ ଭାରତ ବିରୋଧରେ ଏପ୍ରକାର ଅଭିଯୋଗ କରୁଥିବା ବେଳେ ନୂଆଦିଲ୍ଲୀ ଏହାକୁ ବିରୋଧ କରିଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking