ନୂଆଦିଲ୍ଲୀ: ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ନ୍ୟୁୟର୍କ ସହରର ଲଗାର୍ଡିଆ ବିମାନବନ୍ଦରରେ ଏକ ବଡ ଦୁର୍ଘଟଣା ଘଟିଛି । ଇହୂଦୀ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏୟାର କାନାଡା ସିଆରଜେ-୯୦୦ ବିମାନକୁ ରନୱେରେ ଏକ ଅଗ୍ନିଶମ ଗାଡି ଧକ୍କା ଦେଇଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ୭୦ ରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ବିମାନଟି ପାଖାପାଖି ୧୦୦ ଜଣଙ୍କୁ ନେଇ ଯାଉଥିଲା । ସୂଚନା ଅନୁଯାୟୀ,ଅଗ୍ନିଶମ ଗାଡିଟିକୁ ଅଟକାଯିବା ସତ୍ତ୍ୱେ ଏହା ବିମାନ ସହିତ ଧକ୍କା ହୋଇଥିଲା । ବିମାନଟି ଟ୍ୟାକ୍ସିୱେ ଦେଇ ଯାଉଥିବା ସମୟରେ ରନୱେ -୪ ନିକଟରେ ଏହି ଧକ୍କା ହୋଇଥିଲା । ଘଟଣା ପରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇ ରନୱେ ନିକଟବର୍ତ୍ତୀ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଦୁର୍ଘଟଣାରେ ବିମାନଟି କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଅଧିକାଂଶ ଯାତ୍ରୀ ଇହୁଦୀ ଥିଲେ । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ପୂର୍ବରୁ ବିମାନ ଏବଂ ଅଗ୍ନିଶମ ଗାଡ଼ିକୁ ଅଟକାଇବାକୁ ନିର୍ଦ୍ଦେଶ ଦେଇଥିଲା, କିନ୍ତୁ ଧକ୍କାକୁ ଏଡାଯାଇ ପାରିନଥିଲା।ଏହି ଘଟଣା ପରେ, ଫେଡେରାଲ୍ ଏଭିଏସନ୍ ପ୍ରଶାସନ ବିମାନବନ୍ଦରରେ ସମସ୍ତ ଉଡ଼ାଣକୁ ବାତିଲ କରିଦେଇଛି ଏବଂ ତଦନ୍ତ ଆରମ୍ଭ କରିଛି। ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ନ୍ୟୁୟର୍କ ସିଟି ବିମାନବନ୍ଦର ସମ୍ପୂର୍ଣ୍ଣ ବନ୍ଦ ରହିବ ଏବଂ ଉଡ଼ାଣଗୁଡ଼ିକୁ ଜେଏଫ୍କେ ବିମାନବନ୍ଦର ତଥା ଅନ୍ୟ ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଇଛି।










