ବିହାର: ବିହାରରେ ନୂତନ ସରକାର ଗଠନ ପାଇଁ ଏନଡିଏ ମେଣ୍ଟ ପ୍ରାୟ କ୍ୟାବିନେଟ୍ ଫର୍ମୁଲା ଚୂଡାନ୍ତ କରିସାରିଛି। ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଏବଂ ବିଜେପିକୁ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଦିଆଯିବା ନେଇ ଜୋରଦାର ଆଲୋଚନା ହେଉଛି। ସୂତ୍ର ଆନୁସାରେ, ଏଥର ମୋଟ ୩୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଜେଡିୟୁ ଏବଂ ବିଜେପିକୁ ୧୩ଟି ପଦବୀ ଦିଆଯିବ। ଚିରାଗ ପାସୱାନଙ୍କ ଏଲଜେପିକୁ ତିନୋଟି, ଜିତନ ରାମ ମାଞ୍ଝିଙ୍କ ଏଚଏଏମ ଗୋଟିଏ ଏବଂ ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏମ ଗୋଟିଏ ପାଇବାର ଆଶା କରାଯାଉଛି। ଯଦିଓ ବିହାରରେ ମୋଟ ୩୬ ଦଣ ମନ୍ତ୍ରୀ ହୋଇପାରିବେ, ଏଥର ଜାଣିଶୁଣି ୫ଟି ପଦବୀ ଖାଲି ରଖାଯାଇଛି। ଏହି ପଦବୀକୁ ଆଗାମୀ ସମୟରେ ରାଜନୈତିକ ଆବଶ୍ୟକତା ଅନୁସାରେ ପୂରଣ କରାଯିବ।
ଏଥର, କ୍ୟାବିନେଟ୍ ବିସ୍ତାର ଆସନ ବଣ୍ଟନ ଆଧାରରେ ପ୍ରତି ଛଅ ବିଧାୟକଙ୍କ ପାଇଁ ଜଣେ ମନ୍ତ୍ରୀ ହେବାର ଫର୍ମୁଲା କାର୍ଯ୍ୟକାରୀ କରିଛି। ବିଜେପି ୮୯ଟି ଆସନ ଜିତିଛି, ଜେଡିୟୁ ୮୫ଟି ଜିତିଥିବା ବେଳେ ଏଲଜେପି ୧୯ଟି ଆସନ, ଏଚଏଏମ ୫ଟି ଆସନ ଏବଂ ଆରଏଲଏମ ୪ଟି ଆସନ ଜିତିଥିଲା, ଯାହା ମେଣ୍ଟକୁ ଆହୁରି ମଜବୁତ କରିଥିଲା। ଏହାକୁ ଆଧାର କରି ମନ୍ତ୍ରୀ ଅନୁପାତ ନିର୍ଣ୍ଣୟ କରାଯାଇଛି। ସୂତ୍ର ଅନୁଯାୟୀ, ନୂତନ ସରକାର ଗଠନ ମଧ୍ୟରେ ଆଉ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି ଯେ ବାଚସ୍ପତି ପଦବୀ ବିଜେପି କୋଟାକୁ ଯିବ। ମେଣ୍ଟ ଭିତରେ ବିଜେପିର ବର୍ଦ୍ଧିତ ଭୂମିକା ଏବଂ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହା ବିଧାନସଭାର କାର୍ଯ୍ୟ ଉପରେ ଦଳର ନିୟନ୍ତ୍ରଣକୁ ମଧ୍ୟ ସୁଦୃଢ଼ କରିବ।










