– ୫ ବର୍ଷରେ ବ୍ୟୟହେବ ୧୬୩୦.୧୦ କୋଟି
ଭୁବନେଶ୍ୱର: ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାର ମିଳିତ ଭାବେ କାର୍ଯ୍ୟକାରୀ ହେବ। ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ମମତା ପିଏମ୍ଏମ୍ଭିୱାଇ ଯୋଜନା ଅଧୀନରେ ସହାୟତା ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଯୋଜନାର ଆକଳନ ବଜେଟ୍ ୫ ବର୍ଷ ପାଇଁ ୧୬୩୦.୧୦ କୋଟି ଟଙ୍କା ରଖାଯାଇଛି। ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ଏଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ, ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କ ସହିତ ସେମାନଙ୍କ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟିରେ ସୁଧାର ଆଣିବା ଏବଂ ମାତୃ ଓ ଶିଶୁ ମୃତ୍ୟୁହାରକୁ ହ୍ରାସ କରିବା। ଏଥିରେ ଥିବା ବର୍ଦ୍ଧିତ ସୁବିଧା ଏବଂ ପ୍ରୋତ୍ସାହନ ରାଶି ୧ ଏପ୍ରିଲ, ୨୦୨୫ରୁ ଲାଗୁ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ୍ରେ ଆଉ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍ରେ ପାରିତ ହୋଇଛି। ବିଭିନ୍ନ ପଦବୀରେ ଥିବା ଶାରୀରିକ ମାପ ଓ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ, ୨୦୨୨ର ସଂଶୋଧନ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ ଟ୍ରାଫିକ୍ ସବ୍-ଇନ୍ସପେକ୍ଟର୍ ପଦବୀ ଏବଂ ଏକ୍ସାଇଜ୍ ସବ୍- ଇନ୍ସପେକ୍ଟର୍ ପଦବୀଗୁଡ଼ିକ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ, ୨୦୨୨ ସିଡ୍ୟୁଲ୍-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଅଗ୍ନିଶମ ସେବା, ହୋମ୍ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ, ଗୃହ (ସିଭିଲ୍ ଡିଫେନ୍ସ) ବିଭାଗର ମହାନିର୍ଦ୍ଦେଶକଙ୍କ ଅଧୀନରେ ଥିବା ନାଗରିକ ପ୍ରତିରକ୍ଷା ପ୍ରଶିକ୍ଷକ, ସିନିୟର୍ ଷ୍ଟୋର୍ ଇନ୍ସପେକ୍ଟର୍ ପଦବୀ ମଧ୍ୟ ସିଡ୍ୟୁଲ୍-୧ରେ ଅନ୍ତର୍ଭୂକ୍ତ କରାଯାଇଛି। ଏହାଦ୍ୱାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଉପରୋକ୍ତ ପଦବୀଗୁଡ଼ିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳନା କରିପାରିବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝର ଜିଲ୍ଲାର କେନ୍ଦୁଝର ତହସିଲ ଅନ୍ତର୍ଗତ ମୌଜା-ସୁଲେଇ ଖମାର, ସାତଶିଙ୍ଗା, ଗମ୍ଭାରିଆ ଓ ବ୍ରାହ୍ମଣ ଗାଁରେ ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର ଏବଂ ଦକ୍ଷିଣ କ୍ୟାମ୍ପସ୍ ପ୍ରତିଷ୍ଠା ନିମନ୍ତେ ୪୦ ଏକର ୧୯୭ ଡି. ସରକାରୀ ଜମି ଦେୟମୁକ୍ତ ସହିତ ଲିଜ୍ସୂତ୍ରରେ ପ୍ରଦାନ କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଆଗତ କରାଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏତଦ୍ୱାରା ରାଜ୍ୟ ସରକାର ଏକକାଳୀନ ରାଜସ୍ୱ ଦେୟ ବାବଦକୁ ୧୪୦ କୋଟି ୭୧ ଲକ୍ଷ ୪୦ ହଜାର ୫୧୮ ଟଙ୍କା ଏବଂ ବାର୍ଷିକ ରାଜସ୍ୱ ଦେୟ ବାବଦକୁ ୫୦ ଲକ୍ଷ୨୬ ହଜାର ୩୧୮ ଟଙ୍କା ଛାଡ଼ କରିଛନ୍ତି। ଏହି ଆର୍ôଥକ ଦେୟ ଛାଡ଼ ଦ୍ୱାରା ରାଜ୍ୟର ଏକ ସମ୍ମାନଜନକ ସରକାରୀ ଶିକ୍ଷାନୁଷ୍ଠାନ- ଧରଣୀଧର ବିଶ୍ୱବିଦ୍ୟାଳୟ ଉପରେ ଆର୍ôଥକ ବୋଝ ଯଥେଷ୍ଟ ଭାବେ ହ୍ରାସ ପାଇବ। ଅନ୍ୟପକ୍ଷରେ ଓଡ଼ିଶା ଆଇଟିଆଇ ପ୍ରଶିକ୍ଷକ ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମ, ୨୦୨୪ ସଂଶୋଧିତ ପ୍ରସ୍ତାବରେ ମଞ୍ଜୁରୀ ମିଳିଛି। ସଂକ୍ଷେପରେ ଓଡ଼ିଶା ଗଭମେଣ୍ଟ ଆଇଟିଆଇ ଟ୍ରେନର୍ସ ସର୍ଭିସ୍ (ଓଜିଆଇଟିଏସ୍) ନିୟମାବଳୀ ସଂଶୋଧନ, ୨୦୨୪ର ପ୍ରଣୟନକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ଆସିଷ୍ଟାଣ୍ଟ ଅଫିସର୍ମାନଙ୍କୁ ପଦୋନ୍ନତି ସୁଯୋଗ ପ୍ରଦାନ, ଅଧ୍ୟକ୍ଷ, ଉପାଧ୍ୟକ୍ଷସ୍ତରରେ ଓପିଏସ୍ସି ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି ଦେବା ଏବଂ ସେମାନଙ୍କୁ ସ୍ତର ୧୨ରୁ ସ୍ତର-୧୩କୁ ପଦୋନ୍ନତି ପାଇଁ ଯେକୌଣସି ଇଞ୍ଜିନିୟରିଂ ବିଭାଗରେ ଡିଗ୍ରୀ ହାସଲକୁ ସର୍ବନିମ୍ନ ଯୋଗ୍ୟତା ଭାବରେ ସ୍ଥିର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।
ମୟୂରଭଞ୍ଜ ଜିଲ୍ଲା ଯଶିପୁର ଖଇରିବନ୍ଧନରେ ନିର୍ମାଣ ହେବ ବ୍ୟାରେଜ୍
ମୟୂରଭଞ୍ଜ ଜିଲ୍ଲାସ୍ଥିତ ଯଶିପୁର ବ୍ଲକର ଖଇରିବନ୍ଧନ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ ହେବ। ଏଥିସହ ଅଁଳାବେଣୀରେ ଆପ୍ଲକ୍ସ ବନ୍ଧ ନିର୍ମାଣ ବି ହେବ। ଏଥିପାଇଁ ମୋଟ୍ ୯୭ କୋଟି ୯୮ଲକ୍ଷ ୭୫୫ ଟଙ୍କାର ଟେଣ୍ଡର୍କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ ଦ୍ୱାରା ଏହି ମରୁଡ଼ି ପ୍ରବଣ ଅଞ୍ଚଳରେ ବସବାସ କରୁଥିବା ପଛୁଆ, ଦୁର୍ବଳ ଏବଂ ଆଦିବାସୀ ଗୋଷ୍ଠୀଙ୍କ ପାଇଁ ଦୀର୍ଘକାଳୀନ ଖରିଫ ଜଳସେଚନ ସୁବିଧା ମିଳିବ। ଏହି ପ୍ରକଳ୍ପକୁ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ରରୁଆଁ ଏବଂ ଶୁକୃଳି ବ୍ଲକର ୪୭ଟି ଗ୍ରାମର ୬୯୫୦ ହେକ୍ଟର୍ ଚାଷଜମିକୁ ଭୂତଳ ପାଇପଲାଇନ୍ ଜଳ ବଣ୍ଟନ ବ୍ୟବସ୍ଥା (ୟୁଜିପିଏଲ୍) ମାଧ୍ୟମରେ ଖରିଫ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏତଦ୍ବ୍ୟତୀତ ଏହି ପ୍ରକଳ୍ପ ୩୫,୦୦୦ରୁ ଅଧିକ ଜନସଂଖ୍ୟାକୁ ପାନୀୟଜଳ ସୁବିଧା ଯୋଗାଇବା ସହିତ ଘରୋଇ ପଶୁପାଳନ ତଥା ମତ୍ସ୍ୟ ଚାଷର ଚାହିଦାକୁ ମଧ୍ୟ ପୂରଣ କରିବ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୧୧.୨୫%
ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (ଏସ୍ଇବିସି)ର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଚଳନ କରାଯିବ। ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ଉଚ୍ଚ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ବୁଧବାର ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ ରାଜ୍ୟ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏସ୍ଇବିସି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଲାଗୁ ହେବ ସଂରକ୍ଷଣ ନୀତି। ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚ ମାଧ୍ୟମିକ (+୨), ଶିକ୍ଷକ ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିପିଏଚ୍,ଏମ୍ପିଏଡ୍ ପାଠ୍ୟକ୍ରମରେ ଲାଗୁ କରାଯିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନୁଷ୍ଠାନରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ଲାଗି ୨୨.୫%, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୧୬.୨୫%, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ୫% ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧% ଆସନ ସଂରକ୍ଷଣ ସମାନ ରୂପେ ପ୍ରଚଳନ କରାଯିବ। ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗର (ଏସ୍ଇବିସି) ଛାତ୍ରଛାତ୍ରୀଙ୍କର ଶିକ୍ଷା କ୍ଷେତ୍ରରେ ସାମାଜିକ ନ୍ୟାୟ ପାଇଁ ଯେଉଁ ଦୀର୍ଘଦିନର ଅପେକ୍ଷା ଥିଲା ତାହାର ଅନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ର ଦୃଷ୍ଟିକୋଣ ସହ ସମନ୍ୱୟ ରଖି, ଏହି ପଦକ୍ଷେପ ଅବହେଳିତ ଓ ପଛୁଆ ସମ୍ପ୍ରଦାୟଙ୍କ ପାଇଁ ଶିକ୍ଷାର ଉପଲବ୍ଧତା ବଢ଼ାଇବା, ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ସମନ୍ୱିତ କରିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି ଏବଂ ଏହା ମାଧ୍ୟମରେ ମୋଟ ନାମଲେଖା ଅନୁପାତ (ଜିଇଆର୍) ବୃଦ୍ଧି ପାଇବ। ଏଥିଯୋଗୁ ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଅଂଶଗ୍ରହଣକୁ ଅଧିକ ସୁଦୃଢ଼ କରାଯିବ ବୋଲି ଶ୍ରୀ ମାଝୀ ସ୍ପଷ୍ଟ କରିଛନ୍ତି।