25.1 C
Bhubaneswar
Saturday, February 14, 2026
Homeଓଡିଶାବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲର ଅନୁଧ୍ୟାନ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ...

ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲର ଅନୁଧ୍ୟାନ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

*ସେବା ଏବଂ ଯାତ୍ରୀ ସୁବିଧା ବୃଦ୍ଧି ଉପରେ ଗୁରୁତ୍ୱ*

ଭୁବନେଶ୍ଵର,  ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ (ବିଏସ୍ଏବିଟି)ର ଅନୁଧ୍ୟାନ କରିଛନ୍ତି। ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ଥିରୁମାଲା ନାୟକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଟର୍ମିନାଲରେ ଯାତ୍ରୀ ସେବା, ଭିତ୍ତିଭୂମି ଏବଂ ନିରାପତ୍ତା ବ୍ୟବସ୍ଥାର ଆକଳନ ଏବଂ ମାନ ପରଖିଥିଲେ।

ଯାତ୍ରୀମାନଙ୍କ ସହ ଆଲୋଚନା ବେଳେ ଡାକ୍ତର ମହାପାତ୍ର ଫୁଲବାଣୀ ଯିବାକୁ ଅପେକ୍ଷା କରିଥିବା ତିନି ଜଣ ଦୃଷ୍ଟିହୀନ ଯୁବତୀଙ୍କୁ ଭେଟିଥିଲେ। ସେ ବ୍ୟକ୍ତିଗତ ଭାବେ ଟିକେଟ୍ କିଣିବା ସହ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ରିହାତି ଦେବା ସହ ସିଟ୍ ସଂରକ୍ଷଣ କରି ସେମାନଙ୍କ ସୁବିଧା ସୁନିଶ୍ଚିତ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପଦକ୍ଷେପ ଏକ ସମାବେଶୀ ଏବଂ ସୁଲଭ ସାଧାରଣ ପରିବହନ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ମନ୍ତ୍ରୀ ଟର୍ମିନାଲର ପ୍ରମୁଖ ଅଞ୍ଚଳ ଯଥା ବସ୍ ବେ, ପରିଚାଳନା ନିୟନ୍ତ୍ରଣ ସୁବିଧା ଏବଂ ପାନୀୟ ଜଳର ଉପଲବ୍ଧତା ପରିଦର୍ଶନ କରିଥିଲେ। ସେ ଆହାର କେନ୍ଦ୍ର ପରିଦର୍ଶନ କରି ସ୍ୱଚ୍ଛତା ବଜାୟ ରଖିବା ଏବଂ ଯାତ୍ରୀମାନଙ୍କୁ ଦକ୍ଷ ଭାବରେ ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ‘ମୋ ବସ୍’ ଡ୍ରାଇଭରଙ୍କ ସହ ଆଲୋଚନା ବେଳେ ଡାକ୍ତର ମହାପାତ୍ର ସେବା ମନୋଭାବର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ଯାତ୍ରୀଙ୍କ ସୁବିଧା ଓ ନିରାପତ୍ତାକୁ ପ୍ରାଥମିକତା ଦେବା ପାଇଁ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ।
ସୁରକ୍ଷା ବ୍ୟବସ୍ଥାର ସମାଧାନ ପାଇଁ ମନ୍ତ୍ରୀ ପୁଲିସ ଫାଣ୍ଡି ପରିଦର୍ଶନ କରିବା ସହ ବିଡିଏକୁ ପାଣି ଲିକ୍ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବସ୍ ଚାଳକଙ୍କ ମଧ୍ୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଘଟଣାକୁ ରୋକିବା ପାଇଁ ବିଡିଏ ଓ ପୁଲିସ ଅଧିକାରୀଙ୍କ ସହଯୋଗରେ ଟର୍ମିନାଲର ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ସେ ଅନୁରୋଧ କରିଛନ୍ତି।
ବିଡିଏ ଦ୍ୱାରା ୧୫.୫ ଏକର ଜମିରେ ବିକଶିତ ଏକ ପ୍ରମୁଖ ସହରାଞ୍ଚଳ ପରିବହନ କେନ୍ଦ୍ର ବିଏସଏବିଟିରେ ଅଟୋ, ଟ୍ୟାକ୍ସି ଏବଂ ଦୁଇ ଚକିଆ ଯାନ ପାଇଁ ସ୍ଥାନ ବ୍ୟତୀତ ଫୁଡ୍ କୋର୍ଟ, ସପିଂ ଆଉଟଲେଟ୍, ଏଟିଏମ୍, ହଷ୍ଟେଲ ଏବଂ ୪୦୦ରୁ ଅଧିକ ବସ୍ ପାଇଁ ପାର୍କିଂ ସୁବିଧା ସମେତ ଅତ୍ୟାଧୁନିକ ସୁବିଧା ରହିଛି।
ଅନୁଧ୍ୟାନ ପରେ ମନ୍ତ୍ରୀ ବିଡିଏ ଅଧିକାରୀଙ୍କ ସହ ଟର୍ମିନାଲର ରାଜସ୍ୱ ମଡେଲର ସମୀକ୍ଷା କରିବା ସହ ଭିତ୍ତିଭୂମିରେ ଉନ୍ନତି ଏବଂ ଯାତ୍ରୀ ସୁବିଧା ବୃଦ୍ଧି ଉଦ୍ଦେଶ୍ୟରେ ଭବିଷ୍ୟତର ବିକାଶ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ଡ. ମହାପାତ୍ର ବସ୍ତିବାସିନ୍ଦାଙ୍କ ପାଇଁ ସୁଲଭ ଆବାସ ପ୍ରକଳ୍ପ ନୀଳମାଧବ ନିବାସ ପରିଦର୍ଶନ କରିଥିଲେ। ମନ୍ତ୍ରୀ ବାସିନ୍ଦାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କ ଅଭିଯୋଗର ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅବହେଳିତ ସମ୍ପ୍ରଦାୟର ଜୀବନଧାରଣମାନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ସମର୍ପଣକୁ ଏହି ଗସ୍ତ ଦୋହରାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking