ଭରତପୁର: ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା। ରାଜସ୍ଥାନର ଭରତପୁରରେ ଆଗ୍ରା – ଜୟପୁର ରାଜପଥରେ ଠିଆ ହୋଇଥିବା ଏକ ଟ୍ରେଲର ସହିତ ଏକ ସ୍ଲିପର ବସ୍ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣ ହୋଇଥିବା ସନ୍ଦେହ କରାଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗୁରୁବାର ସକାଳେ ଭରତପୁର ଜିଲ୍ଲାର ଆଗ୍ରା-ଜୟପୁର ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କାସଗଞ୍ଜରୁ ଜୟପୁର ଯାଉଥିବା ଏକ ସ୍ଲିପର ବସ୍ ସେବାର ଥାନା ଅଞ୍ଚଳର ଲୁଧାୱାଇ କଲଭର୍ଟ ନିକଟରେ ପଛରୁ ଏକ ଟ୍ରଲରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ର ଆଗ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ସେବାର ପୋଲିସ ଷ୍ଟେସନର ଏସଆଇ ଅବଧେଶ କହିଛନ୍ତି ଯେ ସୂଚନା ମିଳିବା ମାତ୍ରେ ଏକ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତ ଆହତଙ୍କୁ ତୁରନ୍ତ ଜିଲ୍ଲା ଆରବିଏମ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ସେମାନଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି। ଚାରିଜଣ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଆରବିଏମ ହସ୍ପିଟାଲ ପଠାଯାଇଛି। ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି।










