ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ଷଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନର ଅଧାରୁ ଶେଷ ହୋଇଛି। ଅର୍ଥାତ ଆଠ ଦିନ ବାକି ଥାଇ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୂଲତବୀ କରିଛନ୍ତି। ତ୍ରିସ୍ତରୀୟ ସୁରକ୍ଷା ଭିତରେ ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇଥିଲା ଦୁଇ ପର୍ଯ୍ୟାୟ ବିଶିଷ୍ଟ ବଜେଟ୍ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରୀ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ଯାଏ ଚାଲିଥିଲା। ଏହାରି ମଧ୍ୟରେ ଅର୍ଥାତ ଫେବ୍ରୁଆରୀ ୨୦ରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିଥିଲେ ଆର୍ଥିକ ବର୍ଷ୨୦୨୬-୨୭ ପାଇଁ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍। ଏଥିସହ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହୋଇଥିଲା। ପୁଣି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୮ରେ ଶେଷ ହେବାକଥା। ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୨୬ ଯାଏ ବିରୋଧୀ କଂଗ୍ରେସ ଓ ବିଜେଡି ସଭ୍ୟଙ୍କ ପ୍ରବଳ ହୋହାଲ୍ଲା ଭିତରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଖର୍ଚ୍ଚଦାବୀ ଉପସ୍ଥାପନ ହୋଇଥିଲା। ମାର୍ଚ୍ଚ ୩୦ରେ ବଜେଟ୍ ଅନୁମୋଦନ ପାଇଁ ଗୃହର ଅନୁମତି ଲୋଡ଼ିଥିଲେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାର୍ଚ୍ଚ ୩୧ରେ ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହୋଇ ପାରିତ ହୋଇଛି। ତେବେ ଏସ୍ସିବି ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ଗୃହକୁ ଅଚଳ କରିଥିଲେ ବିରୋଧୀ। ଶେଷ ଦିନ ବି ଗୃହରେ ବିରୋଧୀ ପ୍ର୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ସୁରୁଖୁରୁରେ ଚାଲିପାରିନାହିଁ। ପ୍ରଶ୍ନକାଳ, ଶୂନ୍ୟକାଳ, ମୂଲତବୀ ବାଧାପ୍ରପ୍ତ ହୋଇଛି।










