19.1 C
Bhubaneswar
Tuesday, November 26, 2024
Homeଓଡିଶାପୂର୍ବାପେକ୍ଷା କମିଲା ପରିମାଣ; ସରକାର ଆଣିଲେ ୧୨,୧୫୬ କୋଟିର ଅତିରିକ୍ତ ବଜେଟ୍

ପୂର୍ବାପେକ୍ଷା କମିଲା ପରିମାଣ; ସରକାର ଆଣିଲେ ୧୨,୧୫୬ କୋଟିର ଅତିରିକ୍ତ ବଜେଟ୍

– ସ୍ୱାସ୍ଥ୍ୟ, ଭିତ୍ତିଭୂମି,ଅନ୍ନଦାତା, ନାରୀ ଶକ୍ତି, ଓଡ଼ିଆ ଅସ୍ମିତା, କର୍ମନିଯୁକ୍ତି ଉପରେ ଫୋକସ୍
-‘ସୁଭଦ୍ରା’କୁ ୧୧୯୬ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି
– ସିଏପିଏଫ୍ ପାଇଁ ୨୯୯ କୋଟି, ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି
– ଶିକ୍ଷା ପାଇଁ ୫୦୨ କୋଟି, ଓଏଭି ପାଇଁ ୧୦୦ କୋଟି,ସଂସ୍କୃତି ନିର୍ଦ୍ଦେଶାଳୟକୁ ୯୯ କୋଟି
– ପ୍ରଶାସନିକ ଖର୍ଚ୍ଚ ୧୬୮୫ କୋଟି
– କାର୍ଯ୍ୟକ୍ରମ ଖର୍ଚ୍ଚ ୧୦,୧୫୫ କୋଟି
– ବିପର୍ଯ୍ୟୟ ମୁକାବିଲା ପାଣ୍ଠି ପଇଁ ୧୨୦ କୋଟି
– ରାଜ୍ୟ ହସ୍ତାନ୍ତର ବାବଦକୁ ୧୯୬ କୋଟି

ଭୁବନେଶ୍ୱର: ପୂର୍ବାପେକ୍ଷା କମିଲା ଅତିରିକ୍ତ ବଜେଟ୍ ପରିମାଣ। ଗତ ବର୍ଷ ସେପ୍ଟେମ୍ବରରେ ବିଜେଡି ସରକାର ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ୨୮,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥିଲେ। ଅର୍ଥନୀତି ବିଷାରଦମାନେ ଅତିରିକ୍ତ ବଜେଟ୍ ପରିମାଣ ୩୦ ହଜାର କୋଟି ଟପିବ ବୋଲି ଆକଳନ କରିଥିଲେ। ମାତ୍ର ତାହା ହେଲା ନାହିଁ। ୨୦୨୪-୨୫ ଆର୍ଥିକ ବର୍ଷରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଏଥିରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି,ଅନ୍ନଦାତା, ନାରୀ ଶକ୍ତି, ଓଡ଼ିଆ ଅସ୍ମିତା, କର୍ମନିଯୁକ୍ତି ଓ ସାମାଜିକ ନ୍ୟାୟ ଉପରେ ଫୋକସ୍ ଦିଆଯାଇଛି। ଫଳରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ସମ୍ଭବ ହେବ।

ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ଉପସ୍ଥାପନ କରିଥିବା ମୋଟ୍ ୧୨,୧୫୬ କୋଟିର ପ୍ରଥମ ଅତିରିକ୍ତ ବଜେଟ୍ ଭିତରେ ପ୍ରଶାସନିକ ଖର୍ଚ୍ଚ ୧୬୮୫ କୋଟି, କାର୍ଯ୍ୟକ୍ରମ ଖର୍ଚ୍ଚ ୧୦,୧୫୫ କୋଟି, ବିପର୍ଯ୍ୟୟ ମୁକାବିଲା ପାଣ୍ଠି ପଇଁ ୧୨୦ କୋଟି ଓ ରାଜ୍ୟ ହସ୍ତାନ୍ତର ବାବଦକୁ ୧୯୬ କୋଟି ଅର୍ନ୍ତଭୁକ୍ତ ରହିଛି। ଆନୁପାତିକ ହାରରେ ଦେଖିଲେ କାର୍ଯ୍ୟକ୍ରମ ଖର୍ଚ୍ଚ ୮୪%, ରାଜ୍ୟ ହସ୍ତାନ୍ତର ୨% ଓ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ୦.୫୦% ରହିଛି। ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ ବିକାଶ ପାଇଁ ୨୭୧୬ କୋଟି ବ୍ୟୟବରାଦ ହୋଇଥିଲାବେଳେ ଆଇନ ଶୃଙ୍ଖଳା ପାଇଁ ୧୩୫୨ କୋଟି, ଭତ୍ତିଭୂମି ବିକାଶ ପାଇଁ ୩୦୮୭ କୋଟି, ଶିକ୍ଷା ପାଇଁ ୧୨୮୬ କୋଟି, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୭୬୮ କୋଟି, କୃଷି ଓ ଜଳସେଚନ ପାଇଁ ୩୭୯ କୋଟି, ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ୨୦୨ କୋଟି ବ୍ୟୟବରାଦ ହୋଇଛି।

ବିସ୍ତୃତ ଭାବେ ବର୍ଣ୍ଣନା କରିବାକୁ ହେଲେ ‘ସୁଭଦ୍ରା’ ପାଇଁ ୧୧୯୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲାବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ଓ ମିଶନ ଶକ୍ତି ପାଇଁ ୨୫ କୋଟି ଅର୍ଥ ବରାଦ ହୋଇଛି। ଭୂତଳ ଜଳ ପାଇଁ ୧୩୦ କୋଟି ଏବଂ ବନ୍ୟା ନିୟନ୍ତ୍ରଣ, ଅଚଳ ଉଠାଜଳସେଚନ ପୁନରୁଦ୍ଧାର ପାଇଁ ୮୦ କୋଟି, ଡ୍ରେନେଜ୍ ପାଇଁ ୬୬ କୋଟି ଓ ଉଠା ଜଳସେଚନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ପୁଞ୍ଜି ବ୍ୟୟ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନା ବାବଦକୁ ୧୭୫୦ କୋଟି, ସହରୀ ରୂପାନ୍ତର(ଉନ୍ନତି) ପାଇଁ ୩୫୦ କୋଟି, ସହରାଞ୍ଚଳରେ ଜଳଯୋଗାଣ ପାଇଁ ୨୨୦ କୋଟି, ଅକ୍ଷୟ ଶକ୍ତି ପାଇଁ ୧୦୦ କୋଟି ଓ ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି, ବ୍ୟୟ ବରାଦ ହୋଇଛି। ଶିକ୍ଷା ବିକାଶ ପାଇଁ ୫୦୨ କୋଟି, ଓଡ଼ିଆ ଆଦର୍ଶ ବିଦ୍ୟାଳୟ ୧୦୦ କୋଟି, ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଯୋଜନାକୁ ୧୨୦ କୋଟି, ମଧୁବାବୁ ପେନ୍‌ସନ ଯୋଜନା ପାଇଁ ୩୩୮ କୋଟି ଟଙ୍କା, ସଂସ୍କୃତି ନିର୍ଦ୍ଦେଶାଳୟ ପାଇଁ ୯୯ କୋଟି, କଳା ମଣ୍ଡଳ ପାଇଁ ୩୦ କୋଟି ଓ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୪୮ କୋଟି ଟଙ୍କା ଅତିରିକ୍ତ ବଜେଟ୍‌ରେ ବ୍ୟୟ ବରାଦ ହୋଇଛି। ଧାର୍ଯ୍ୟ ସମୟରେ ବଜେଟ୍ ଅର୍ଥ ବ୍ୟୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଅତିରିକ୍ତ ବଜେଟ୍‌ରେ ୧୦ଟି ନୂତନ ପଦକ୍ଷେପ
ଅତିରିକ୍ତ ବଜେଟ୍‌ରେ ରାଜ୍ୟ ସରକାର ୧୦ଟି ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ଅର୍ଥ ବରାଦ ହୋଇଛି। ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୯୨ କୋଟି ବ୍ୟୟବରାଦ ହୋଇଥିଲାବେଳେ ପ୍ରବାସୀ ଭାରତୀୟ ଦଽସ ଆୟୋଜନ ପାଇଁ ୧୨୫ କୋଟି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୨୬ କୋଟି, ନିର୍ବାଚନ ମଣ୍ଡଳୱାରୀ ପାଇଁ ୧୪୨ କୋଟି, ୨୨ ଆଇଟିଆଇ ଉତ୍କର୍ଷ କେନ୍ଦ୍ର ପାଇଁ ୧୩୦ କୋଟି, ଅଗ୍ନିସେବା ଆଧୁନିକୀକରଣ ସଂପ୍ରସାରଣ ପାଇଁ ୬୦ କୋଟି, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପାଇଁ ୫ କୋଟି, ପୁଲିସ ମୋଟର ସାଇକେଲ କ୍ରୟ ପାଇଁ ୩୫ କୋଟି , ସିଏପିଏଫ ମୂତୟନ ପାଇଁ ୨୯୯ କୋଟି ଓ ପୁଲିସ ପ୍ରହରୀ ପାଇଁ ୬୪୯ ଯାନ ଭଡ଼ା ବାବଦକୁ ୧୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking