ଭୁବନେଶ୍ୱର :ସାଙ୍ଗ ନେଇଗଲା ସାଙ୍ଗର ଜୀବନ। ମିଳିମିଶି ରଚିଥିଲେ ମିଛ ଅପହରଣ ନାଟକ । ଆଉ ଦାବି ଅର୍ଥ ପାଇବା ପୂର୍ବରୁ ଭାଗବଣ୍ଟାକୁନେଇ ହୋଇଥିଲା ବିବାଦର ସୂତ୍ରପାତ । ହେଲେ ନିଜ ପରିବାରକୁ ଠକି ମୋଟାଅଙ୍କର ଟଙ୍କା ପାଇବା ଲୋଭରେ ମିଛ ଅପହରଣ ନାଟକ ରଚନା କରି ଶେଷରେ ସାଙ୍ଗ ହାତରେ ଯୁବକର ଗଲା ଜୀବନ । ରାକ୍ଷସ ପାଲଟିଲା ସାଙ୍ଗ ଜଘନ୍ୟ ଭାବେ ହତ୍ୟାକରି ନେଲା ସାଙ୍ଗର ଜୀବନ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବାରିପଦା ସଦରଥାନା ଅନ୍ତର୍ଗତ ଗୁମୁଡ଼ି ଗ୍ରାମ ନିକଟସ୍ଥ ବୁଢାବଳଙ୍ଗ ନଦୀ ବାଲିରେ । ଏଠାରେ ପୋତିହୋଇ ରହିଥିବା ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ପୋଲିସକୁ ସଫଳତା ମିଳିଛି । ମୃତକଙ୍କ ପରିଚୟ ମିଳିବା ସହ ହତ୍ୟାକାଣ୍ଡ ଘଟାଇଥିବା ୨ ଅଭିଯୁକ୍ତକୁ ଗିରଫ କରି ସିନ୍ ରିକ୍ରିଏସନ କରିଛି ବାରିପଦା ସଦରଥାନା ପୋଲିସ । ଏହି ସାଙ୍ଘାତିକ ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତ ଆଶିଷ ସିଂ ଙ୍କୁ ବାଲେଶ୍ଵର ରେଳ ଷ୍ଟେସନରୁ ଗିରଫ କରିଥିବା ବେଳେ ଅନ୍ୟଜଣକୁ ଜାମବଣି ଗ୍ରାମରୁ କରମା ସିଂ @ରିଙ୍କି କୁ ଗିରଫ କରିଛି ପୋଲିସ । ମୃତକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ହିନ୍ଦୁଲିଆ ଗ୍ରାମର ମୁରଲୀଧର ସ୍ବାଇଁଙ୍କ ପୁଅ ଚନ୍ଦନ ସ୍ୱାଇଁ (୩୩) ଏବଂ ହତ୍ୟାକାଣ୍ଡ ଭିଆଇ ଥିବା ମୁଖ୍ୟ ଅଭିଯୁକ୍ତ ଆଶିଷ ସିଂ ମୃତକ ଚନ୍ଦନ ସ୍ବାଇଁର ସାଙ୍ଗ ବୋଲି ଜଣାପଡିଛି । ଘଟଣା ମୁତାବକ ଚନ୍ଦନ ଓ ଆଶିଷ ଉଭୟ ବାଙ୍ଗାଲୋର ଠାରେ ଏକ ଗାରମେଣ୍ଟ ଫେକ୍ଟ୍ରିରେ କାର୍ଯ୍ୟ କରୁଥିଲେ । ସେହି ଗାରମେଣ୍ଟ ଫେକ୍ଟ୍ରିଟି ମୃତକ ଚନ୍ଦନ ସ୍ବାଇଁର କକାଙ୍କର । ତେଣୁ ଅଧିକ ଧନ ଲୋଭରେ ପଡି ଚନ୍ଦନ ଆଶିଷ ସହିତ ମିଶି ବାଙ୍ଗାଲୋରରୁ ଅପହରଣ କରିବାର ଏକ ଉପାୟ ପାଞ୍ଚି ଓଡିଶା ଆସିଥିଲେ । ଓଡିଶା ଆସିବା ପରେ ଚନ୍ଦନ ବାରିପଦା ଆସିଥିଲା ଏବଂ ଆଶିଷ ସହ ମିଶି ୫୦ଲକ୍ଷ ଟଙ୍କାର ଅପହରଣ ନାଟକ ଆରମ୍ଭ କରିଥିଲେ । ହେଲେ ଟଙ୍କା ମିଳିବା ପୂର୍ବରୁ ଭାଗବଣ୍ଟା ଛିଣ୍ଡି ନଥିଲା ବେଳେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଉଭୟ ନଦୀପଠାରେ ବସି ମଦପିଇବା ପରେ ଏକ ଛୁରୀ ସାହାଯ୍ୟରେ ଚନ୍ଦନକୁ ଗଳାକାଟି ହତ୍ୟା କରିଥିଲା ଆଶିଷ । ଏହାପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ସଂପୂର୍ଣ୍ଣ ଶରୀର ପୋଡିବାରେ ବିଫଳ ହେବାରୁ ନଦୀ ବାଲିକୁ ଖୋଳି ପୋତି ପକାଇଥିଲେ । ହେଲେ କୁକୁର ମୃତ ଶରୀରକୁ ଟାଣି ହାତଟି ବାହାକୁ କାଢିଦେଇଥିଲେ । ଏହି ଘଟଣା ଗ୍ରାମବାସୀଙ୍କ ନଜରକୁ ଆସିବା ପରେ ବାରିପଦା ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଘଟଣା ଉପରୁ ପର୍ଦାଫାସ୍ ହୋଇଛି । ଏହି ହତ୍ୟାକାଣ୍ଡରେ ଆଶିଷ ସିଂ କୁ ସ୍ଥାନୀୟ ସାଙ୍ଗ କରମା ସିଂ @ରିଙ୍କି ସହଯୋଗ କରିଥିଲା । ତେବେ ଅପହରଣ ଘଟଣାରେ ଭୂବନେଶ୍ୱର ଖାରବେଳନଗର ଥାନାରେ ଏକ ମାମଲା ରୁଜୁ ହୋଇଥିଲା ବେଳେ ବାରିପଦାରେ ଘଟିଥିବା ସମସ୍ତ ଘଟଣା ଏବେ ସ୍ଥାନୀୟ ଲୋକଙ୍କୁ ଆଚମ୍ବିତ କରିଦେଇଛି ।