19.1 C
Bhubaneswar
Monday, February 2, 2026
Homeଓଡିଶାବିଜେଡିର ଅପକୀର୍ତ୍ତିକୁ ଭାଇ ବିଜେପି ଢାଙ୍କିବାରେ ବ୍ୟସ୍ତ

ବିଜେଡିର ଅପକୀର୍ତ୍ତିକୁ ଭାଇ ବିଜେପି ଢାଙ୍କିବାରେ ବ୍ୟସ୍ତ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପି ସରକାରକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ଏକ ପ୍ରେସ୍ ବିବୃତ୍ତିରେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ବିଜେଡି ସରକାର ବେଳେ ବିରୋଧୀ ଦଳ ବିଜେପି ନାରୀ ଅତ୍ୟାଚାରକୁ ନେଇ ସାରା ଓଡ଼ିଶାରେ ବିଶେଷତଃ ପଶ୍ଚିମ ଓଡ଼ିଶାରେ ସରକାରଙ୍କ ବିରୋଧରେ ଘନ ଘନ ଶୋଭାଯାତ୍ରା, ଧାରଣା ଓ ଆନ୍ଦୋଳନ କରିଥିଲା । ଏହାର ମଙ୍ଗ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଧରିଥିଲେ। ସରକାରଙ୍କ ନିଦ ହଜେଇ ଦେଇଥିଲା ପୁଣି ଗୋବିନ୍ଦ ମେହେର ଜେଲରେ ଆତ୍ମହତ୍ୟା ମାମଲା ଅନ୍ୟ ରୂପ ନେଲା ଏବଂ ବିଜେଡି ମନ୍ତ୍ରୀ ନେତାଙ୍କ ସମ୍ପୃକ୍ତି ଅଭିଯୋଗ କରି ସିବିଆଇ ତଦନ୍ତ ଦାବିରେ ବିଜେପି ବଲାଙ୍ଗୀରରୁ ବିଧାନସଭା ଯାଏ ପ୍ରକମ୍ପିତ କରିଥିଲା। ସେତେବେଳେ ମମିତାଙ୍କ ପରିବାର ବର୍ଗଙ୍କୁ ସହାନୁଭୂତି ଦେବା ପାଇଁ ବିଜେପି କୁଜିନେତାଙ୍କ ଠାରୁ ଆରମ୍ଭ କରି ଦିଲ୍ଲୀର ବଡ଼ନେତାଙ୍କ ପର୍ଯ୍ୟନ୍ତ ମାସାଧିକ କାଳ ଝରଣୀପାଲି ସ୍ଥିତ ମମିତା ମେହେରଙ୍କ ଘରକୁ ସୁଅ ଛୁଟିଥିଲା । କିନ୍ତୁ ସରକାର ଆସିଲା ପରେ ସମସ୍ତ ଚିତ୍ର ବଦଳି ଗଲା।

ଆଜକୁ ଦେଢ଼ ବର୍ଷ ପାଖାପାଖି ହୋଇଗଲା, କିନ୍ତୁ ସବୁ ବିଜେପି ନେତାଙ୍କ ପାଟି ମମିତାଙ୍କ ପାଇଁ ନିରବ ହୋଇଗଲା। ଦୁଃଖର କଥା, ଯେତେ କ୍ଷମତାଶାଳୀ ହେଲେ ସୁଦ୍ଧା ଦୋଷୀଙ୍କୁ ଦଣ୍ଡ ପ୍ରଦାନ କରି ମମିତାଙ୍କୁ ନ୍ୟାୟ ଦେବୁ ବୋଲି ବିଜେପି ପ୍ରତିଜ୍ଞା କରିଥିଲା ଆଜି ଗୋବିନ୍ଦ ମେହେରଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅନୁସନ୍ଧାନ ପାଇଁ କାନ୍ଦିବାକୁ ପଡୁଛି । ବଲାଙ୍ଗୀର ସାଂସଦ ଜଣେ ମହିଳା। କ’ଣ ସେ ମଧ୍ୟ ରାଜନୈତିକ ଫାଇଦା ପାଇଁ ସେତେବେଳେ ମମିତା ପାଇଁ ଲୁହ ଝରାଉଥିଲେ ? ବର୍ତ୍ତମାନ ସାମାନ୍ୟ ପଦଟିଏ ମଧ୍ୟ ପାଟିରୁ ଖସୁନି । କ’ଣ ନିର୍ବାଚନ ପାଇଁ ବିଜେପି କେବଳ ସମବେଦନା ଯାତ୍ରା ଏବଂ ସରକାରଙ୍କୁ ବଦନାମ କରିବା ପାଇଁ ରାଜରାସ୍ତାରେ ଯାତ୍ରା କରୁଥିଲା ? ଗୋଲାମୁଣ୍ଡା ସ୍କୁଲରେ ମମିତା ଶିକ୍ଷୟତ୍ରୀ ଥିଲେ ଏବଂ ସେଇଠି ତାଙ୍କର ହତ୍ୟା ହୋଇଥିଲା। ଗୋଲାମୁଣ୍ଡା, ସାଂସଦ ମାଲବିକା ଦେବୀଙ୍କ କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ। ସେ ବି ଜଣେ ମହିଳା। କିନ୍ତୁ ତାଙ୍କ ନିରବତା ଦୁଃଖଦାୟକ ଏବଂ ନିନ୍ଦନୀୟ ମଧ୍ୟ । କ’ଣ ସାଂସଦ ଏବଂ ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟରେ କିଛି ସଲାସୁତୁରା ହୋଇ ନାହିଁ ତ ? ମମିତା ହତ୍ୟାକାଣ୍ଡ ଓ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା ମାମଲା ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଘଟିଛି । ବଲାଙ୍ଗୀର କଳାହାଣ୍ଡି ଉଭୟର ସାଂସଦ ମହିଳା, ପୁଣି ଏମାନେ ଡବଲ ଇଞ୍ଜିନ ସରକାର ଦଳର। କିନ୍ତୁ ଏମାନଙ୍କ ନିରବତା ସନ୍ଦେହ ଘେରକୁ ଆସୁନାହିଁ ତ ?

ବିଜେପି ବିଜେଡି ଭାଇ ଭାଇ ଏହା ଖୋଲା ଆକାଶ ଭଳିଆ ସତ୍ୟ ତେଣୁ ପୂର୍ବ ସରକାରଙ୍କ ମନ୍ତ୍ରୀ ନେତାଙ୍କୁ ବଞ୍ଚାଇବା ପାଇଁ ବର୍ତ୍ତମାନର ସରକାର ଏହି ବହୁ ଚର୍ଚ୍ଚିତ ଘଟଣାକୁ ଚାପି ଦେବାପାଇଁ ଷଡଯନ୍ତ୍ର କରୁନାହିଁ ତ? ଯଦି ବଡ଼ ଧରଣର ଅନୁସନ୍ଧାନ ହୁଏ, ତେବେ କିଛି ବିଜେପି ନେତା ଫସିଯାଇ ପାରନ୍ତି ବୋଲି ସରକାର ଆଶଙ୍କା କରି ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରୁନାହିଁ । ଆମେ ସୌମ୍ୟାଶ୍ରୀ ଏବଂ ବଳଙ୍ଗା ଉଭୟ ଆତ୍ମହୁତି ଘଟଣା ଦେଖି ସାରିଛୁ । ବର୍ତମାନର ସରକାର ନାରୀଙ୍କ ସୁରକ୍ଷା ପ୍ରତି କେତେ ଚିନ୍ତାଶୀଳ ଓଡିଶା ବାସୀ ଜାଣି ସାରିଲେଣି । ତେଣୁ ମମିତା ହତ୍ୟାକାଣ୍ଡ ମାମଲାରେ ସରକାର ଗମ୍ଭୀର ହୋଇ ପଦକ୍ଷେପ ନେବେ ଏବଂ ଦୋଷୀ ଦଣ୍ଡ ପାଇବ ଆଶା କରିବା ସମ୍ପୂର୍ଣ ବୃଥା । ଓଡିଶା ବାସୀ ଜାଣିବାକୁ ଚାହାନ୍ତି ଗୋଲାମୁଣ୍ଡା ରଙ୍ଗଶାଳାକୁ ତତ୍କାଳୀନ କେଉଁ କେଉଁ ରଙ୍ଗୀନ ମିଜାଜୀ ମନ୍ତ୍ରୀ, ବିଧାୟକ ଏବଂ କେଉଁ କେଉଁ ଦଳର ନେତା ପାଦ ଥାପିଥିଲେ ? ସରକାରର ଯଦି ଦମ ଅଛି ମମିତା ଏବଂ ଗୋବିନ୍ଦ ସାହୁ ହତ୍ୟାକାଣ୍ଡର ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ କରି ରଙ୍ଗୀନ ମିଜାଜୀ ଧଳାହାତୀ ମାନଙ୍କୁ ଗିରଫ କରୁ, ତା ପରେ ଆମେ ଜାଣିବୁ ମୋହନ ସରକାର ମେରୁଦଣ୍ଡ ବିହୀନ ନୁହେଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking