20.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶହସିନାଙ୍କୁ ରାଜନୈତିକ ଆଶ୍ରୟ ଦେବାକୁ ବ୍ରିଟେନ୍ ଅମଙ୍ଗ

ହସିନାଙ୍କୁ ରାଜନୈତିକ ଆଶ୍ରୟ ଦେବାକୁ ବ୍ରିଟେନ୍ ଅମଙ୍ଗ

ନୂଆଦିଲ୍ଲୀ: ରାଜନୈତିକ ଆଶ୍ରୟ ପାଇବା ଉଦ୍ଦେଶ୍ୟରେ ବାଂଲାଦେଶର ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କରିଥିବା ଅନୁରୋଧ ଉପରେ ଇଂଲଣ୍ଡ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ଏହି କାରଣରୁ ହୁଏତ ବ୍ରିଟେନ୍ ଯିବା ପାଇଁ ଶେଖ୍ ହସିନାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ । ପ୍ରକାଶ, ବ୍ରିଟେନରେ ଶରଣାର୍ଥୀଙ୍କ ପାଇଁ ଥିବା ଆଶ୍ରୟ ନିୟମ ଅନୁସାରେ, ହସିନାଙ୍କ ପାଇଁ ସେଠାକୁ ଯିବାର ରାସ୍ତାରେ ପ୍ରତିବନ୍ଧକ ସାଜିଛି । ବ୍ରିଟେନ୍‌ର ଦେଶାନ୍ତର ଆଇନ ଅନୁସାରେ, ଯଦି କେହି ଆଶ୍ରୟ ନେବାକୁ କିମ୍ବା ଅସ୍ଥାୟୀ ଭାବେ ଆଶ୍ରୟ ପାଇଁ ଦେଶକୁ ଆସନ୍ତି ବା ଆବେଦନ କରନ୍ତି ତେବେ ସେମାନଙ୍କୁ ରହିବା ପାଇଁ ଅନୁମତି ଦେବା ଭଳି କୌଣସି ବ୍ୟବସ୍ଥା ନାହିଁ । ଏହି ନିୟମ ଆଧାରରେ ହସିନା ହୁଏତ ବ୍ରିଟେନ୍ ଯାଇନପାରନ୍ତି । କିନ୍ତୁ ଯେହେତୁ ସେ ଏକ ଦେଶର ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ଥିଲେ ହୁଏତ ବ୍ରିଟେନ୍ ସରକାର ଏହା ଉପରେ ପୁନର୍ବିଚାର କରିପାରନ୍ତି । କାରଣ ଏହା ପୂର୍ବରୁ ମଧ୍ୟ ପାକିସ୍ତାନର ନୱାଜ ଶରିଫ୍ ଏବଂ ପରଭେଜ୍ ମୁଶାରଫ୍‌ଙ୍କ ଭଳି ରାଜନେତା, ଦେଶରୁ ବିତାଡିତ ହୋଇ ବ୍ରିଟେନ୍‌ରେ ରାଜନୈତିକ ଆଶ୍ରୟ ନେଇଥିବାର ନଜିର ରହିଛି । ଇତି ମଧ୍ୟରେ ବ୍ରିଟେନ୍ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁସାରେ ବ୍ରିଟେନ୍‌ରେ ହୋଇଥିବା ବ୍ୟାପକ ହିଂସାତ୍ମକ ବିରୋଧର କୌଣସି ସମ୍ଭାବ୍ୟ ଅନୁସନ୍ଧାନ ପୂର୍ବରୁ ଶେଖ ହସିନାଙ୍କୁ ଏଠାରେ ଆଇନଗତ ରାଜନୈତିକ ଆଶ୍ରୟ ବା ସୁରକ୍ଷା ଦିଆଯାଇପାରିବ ନାହିଁ ।
ସ୍ୱାଧୀନତା ସଂଗ୍ରାମୀଙ୍କ ପିଲାମାନଙ୍କ ପାଇଁ ସରକାରୀ ନିଯୁକ୍ତି କ୍ଷେତ୍ରରେ ୩୦% ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦେଶରେ ହିଂସାତ୍ମକ ପରିସ୍ଥିତି ଉଗ୍ରରୂପ ଧାରଣ କରିବା ପରେ ଗତକାଲି ନିଜ ପଦରୁ ଇସ୍ତଫା ଦେଇ ସିଧାସଳଖ ଭାରତ ଚାଲିଆସିଥିଲେ ଶେଖ୍ ହସିନା । ବାଂଲାଦେଶ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀର ହିଣ୍ଡନ୍ ଏୟାରବେସରେ ଅବତରଣ କରିଥିଲେ । ଭାରତରୁ ସେ ଲଣ୍ଡନ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏହା ମଧ୍ୟ ସମ୍ଭବ ହୋଇପାରିନାହିଁ ।
ଅନ୍ୟପକ୍ଷେ ଶେଖ୍ ହସିନା ନିଜ ଦେଶ ବାଂଲାଦେଶ ଛାଡି ଭାରତ ଚାଲିଆସିବା ଏବଂ ଏଠାରେ ଆଶ୍ରୟ ନେବା ଭାରତ ସରକାରଙ୍କ ପାଇଁ ମଧ୍ୟ କିଛି ମାତ୍ରାରେ ଚିନ୍ତା ବଢ଼ାଇ ଦେଇଛି । ଶେଖ ହସିନାଙ୍କୁ ଅଧିକ ସମୟରେ ଭାରତରେ ଶରଣ ଦିଆଯିବା ଦ୍ୱାରା ବାଂଲାଦେଶରେ ନବଗଠିତ ସରକାରଙ୍କ ସହ ଭାରତ କୂଟନୈତିକ ସମ୍ପର୍କ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏସବୁକୁ ଦୃଷ୍ଟିରେ ରଖି ଭାରତ ସରକାର ନିୟମିତ ଭାବେ ବାଂଲାଦେଶ ସ୍ଥିତି ଉପରେ ନଜର ରଖିବା ସହ ଘନଘନ କ୍ୟାବିନେଟ୍ ବୈଠକ କରୁଛନ୍ତି । ସେହିପରି ଆଜି ସଂସଦର ରାଜ୍ୟସଭା ଭବନରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇ କହିଛନ୍ତି, ବାଂଲାଦେଶ ଛାଡି ଭାରତ ଆସିବା ପୂର୍ବରୁ ଶେଖ୍ ହସିନା ଭାରତ ସରକାରଙ୍କ ଠାରୁ ଅନୁମତି ମାଗିଥିଲେ । ଭାରତ ସରକାର ଅନୁମତି ଦେବା ପରେ ହିଁ ସେ ଭାରତ ଆସିଛନ୍ତି । ଶେଖ୍ ହସିନା ଯେଉଁ ପର୍ଯ୍ୟନ୍ତ ଭାରତରେ ରହିବେ ତାଙ୍କୁ ସୁରକ୍ଷା ଏବଂ ଅନ୍ୟାନ୍ୟ ସବୁ ସୁବିଧା ଯୋଗାଇ ଦିଆଯିବ । ବର୍ତ୍ତମାନ ସେ ଭାରତର ଏକ ସୁରକ୍ଷିତ ଗୃହରେ ଅଛନ୍ତି । ସେହିପରି ବାଂଲାଦେଶରେ ଚାଲିଥିବା ସଙ୍କଟ ଉପରେ ମଙ୍ଗଳବାର ଆହୂତ ହୋଇଯାଇଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଜୟଶଙ୍କର ସମାନ ସୂଚନା ଦେଇଥିଲେ । ତାଙ୍କ କହିବାନୁସାରେ ବାଂଲାଦେଶରେ ଥିବା ୮ହଜାର ଛାତ୍ରଛାତ୍ରୀ ଭାରତ ଫେରିଥିବା ବେଳେ ଅନ୍ୟ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ବାଂଲାଦେଶରେ ଏବେ ହିନ୍ଦୁଙ୍କ ଉପରେ ଆକ୍ରମଣ ବଢ଼ୁଥିବା ଏବଂ ହିନ୍ଦୁ ଦେବାଦେବୀ ମନ୍ଦିରଗୁଡ଼ିକୁ ଭଙ୍ଗାରୁଜା ତଥା ପୋଡାଜଳା କରାଯାଉଛି । ବାଂଲାଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଏବେ ଭାରତ ସରକାରଙ୍କ ସବୁଠୁ ବଡ଼ ଦାୟିତ୍ୱ ହୋଇଥିବା ବେଳେ ଏଦିଗରେ ଧ୍ୟାନ ଦିଆଯାଉଛି । ମୋଟାମୋଟି ବାଂଲାଦେଶରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍ ଶାହ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷେ ବାଂଲାଦେଶରେ ଏବେ ବି ସ୍ଥିତି ଅଣାୟତ୍ତ ରହିଛି । ବ୍ୟାପକ ପୋଡାଜଳା ମଧ୍ୟରେ ରାଜଧାନୀ ଢ଼ାକା ସ୍ଥିତ ଏକ ହୋଟେଲରେ ବିକ୍ଷୋଭକାରୀମାନେ ନିଆଁ ଲଗାଇଦେବାରୁ ୮ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଏବଂ ୮୪ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ହୋଟେଲ୍‌ଟି ଆୱାମୀ ଲିଗ୍ ନେତା ଶାହୀନ ଚକଲାଦାରଙ୍କର ବୋଲି ଜଣାଯାଇଛି । ଏତଦ୍‌ବ୍ୟତୀତ ବିକ୍ଷୋଭକାରୀମାନେ ବାଂଲାଦେଶ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମୁସରଫ ମୁର୍ତଜାଙ୍କ ଘରେ ମଧ୍ୟ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ବାଂଲାଦେଶରେ ହୋଇଥିବା ନରସଂହାର ଓ ଛାତ୍ରଙ୍କ ସମୂହ ଗିରଫଦାରୀକୁ ନେଇ ଆୱାମୀ ଲିଗ୍ ପାର୍ଟିର ସାଂସଦ ମୁର୍ତଜା ଚୁପ୍ ରହିଥିବାରୁ ବିକ୍ଷୋଭକାରୀମାନେ ତାଙ୍କ ଘରେ ନିଆଁ ଲଗାଇଦେଇଥିବା କହିଛନ୍ତି । ସେହିପରି ଢ଼ାକା ସ୍ଥିତ ବାଂଲାଦେଶ ମୁଖ୍ୟ ବିଚାରପତିଙ୍କ ଘରେ ମଧ୍ୟ ବିକ୍ଷୋଭକାରୀମାନେ ପଶି ଲୁଟ୍‌ପାଟ କରିଛନ୍ତି । ଅନ୍ୟପଟେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ସରକାରୀ ବାସଭବନ ‘ବଙ୍ଗବନ୍ଧୁ ଭବନ’କୁ ମଧ୍ୟ ଭଙ୍ଗାରୁଜା କରି ଜାଳି ଦେଇଛନ୍ତି । କେବଳ ସେତିକି ନୁହେଁ, ସଂଖ୍ୟାଲଘୁଙ୍କ ସହ ହିନ୍ଦୁ ଓ ହସିନାଙ୍କ ଆୱାମୀ ଲିଗ୍‌ର ସମର୍ଥକ ତଥା ନେତାଙ୍କୁ ଏବେ ଟାର୍ଗେଟ୍ କରୁଛନ୍ତି ବିକ୍ଷୋଭକାରୀମାନେ ।
ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଶେଖ୍ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ଭଙ୍ଗ ଘୋଷଣା କରିଛନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ୍ । ସ୍ଥଳ ସେନା, ବାୟୁସେନା, ନୌସେନା ମୁଖ୍ୟଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ନେତା ଓ କିଛି ନାଗରିକ ସମାଜ ସଦସ୍ୟଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନିଷ୍ପତ୍ତି ନେଇଥିଲେ । ଅନ୍ୟପକ୍ଷେ ବାଂଲାଦେଶର ଶାସନ ବ୍ୟବସ୍ଥାକୁ ଏବେ ସେନା ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରୁଥିଲେ ବି ଦେଶରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଏସବୁ ମଧ୍ୟରେ ଦେଶରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ଏବଂ ଆଭ୍ୟନ୍ତରୀଣ ସରକାର ଗଠନ କରିବ ସେନେଇ ଏକ ନୂଆ ବିତର୍କ ଆରମ୍ଭ ହୋଇଛି । ମୁଖ୍ୟତଃ ୨ ଜଣଙ୍କ ନାମ ସାମ୍ନାକୁ ଆସୁଛି । ପ୍ରଥମତଃ ନୋବେଲ୍ ବିଜେତା ମହମ୍ମଦ ୟୁନୁସ୍ ଏବଂ ଦ୍ୱିତୀୟତଃ ଦୀର୍ଘ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୧୮ବର୍ଷର ଜେଲ୍ ଦଣ୍ଡ ଭୋଗୁଥିବା ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିୟା (୭୮) । ତେବେ ବିକ୍ଷୋଭକାରୀ ଛାତ୍ର ସଂଗଠନ ପକ୍ଷରୁ ମହମ୍ମଦ ୟୁନୁସ୍‌ଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ କରାଯିବା ନେଇ ଦାବି କରାଯାଉଥିବା ବେଳେ ତାଙ୍କ ପ୍ରତି ଛାତ୍ରସଂଗଠନଗୁଡ଼ିକ ସମର୍ଥନ ବ୍ୟକ୍ତ କରିଛନ୍ତି । ସରକାର ବିରୋଧୀ ଛାତ୍ର ସଂଗଠନର ନେତାମାନେ ମିଳିତ ଭାବେ ୟୁନୁସଙ୍କୁ ମଧ୍ୟବର୍ତ୍ତିକାଳୀନ ସରକାରର ନେତୃତ୍ୱ ନେବାକୁ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପକ୍ଷେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଖାଲିଦା ଜିୟାଙ୍କୁ ଜେଲ୍‌ରୁ ମୁକ୍ତ (୬ ବର୍ଷ ପରେ) କରାଯାଇଥିବା ବେଳେ ସେ ମଧ୍ୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସମ୍ଭାବନା ରହିଛି । ଜମାତ୍ ଏ ଇସଲାମି ଗ୍ରୁପ୍ ପକ୍ଷରୁ ତାଙ୍କୁ ସମର୍ଥନ ରହିଛି । ଏହି ଦୁଇ ନେତାଙ୍କ ବ୍ୟତୀତ ବାଂଲାଦେଶ ସଂସଦରେ ବିରୋଧୀ ଦଳ ନେତା ଥିବା ଜିଏମ୍ କାଦର (ଜମାତ୍ ଏ ଇସଲାମି ସଂଗଠନର ମୁଖ୍ୟ) ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking