-କ୍ରେନ୍ ଫେଲ୍ ହେବାରୁ ଘଟିଛି ଦୁର୍ଘଟଣା: ଡିସିପି
-ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ମେୟର୍
କଟକ: ଖାନନଗରସ୍ଥିତ ନୂତନ ବସ୍ଷ୍ଟାଣ୍ଡ୍ ନିକଟରେ ଚାଲିଥିବା ବ୍ରିଜ୍ ନିର୍ମାଣ ବେଳେ ଶନିବାର ଅଘଟଣ ଘଟିଛି। ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍ରୁ ସ୍ଲାବ୍ ଖସି ପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଶ୍ରମିକମାନେ ହେଲେ ସାଇଟ୍ ଇଞ୍ଜିନିୟର ବାଲେଶ୍ୱରର ସୌମ୍ୟ ରଞ୍ଜନ ମଲ୍ଲିକ (୩୦), ଶିବ ଶଙ୍କର ପଟ୍ଟନାୟକ (୨୮) ଓ ପଶ୍ଚିମବଙ୍ଗ ରାଜ୍ୟର ସୁବାସ ଭକ୍ତ (୪୦) ବୋଲି ଜଣାପଡ଼ିଛି। ସେହିପରି ଆହତ ଶ୍ରମିକମାନେ ହେଲେ ଅରୁଣ ବାରିକ ଓ ବିକଳ ଜେନା। ଆହତ ୨ ଜଣ ଶ୍ରମିକଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ ସମ୍ପ୍ରତି ଖାନନଗରସ୍ଥିତ କାଠଯୋଡ଼ି ବ୍ରିଜ୍ କାମ ଜାରି ରହିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି କାମ ପାଇଁ ଏକ ଘରୋଇ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ଏବେ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବାରୁ ଅନ୍ୟ ଦିନ ଭଳି ଶନିବାର ଏଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ତେବେ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ଏହି ଅଘଟଣ ଘଟିଥିଲା। ବ୍ରିଜ୍ ଉପରେ କିଛି ଶ୍ରମିକ କାମ କରୁଥିବାବେଳେ ଆଉ କିଛି ଶ୍ରମିକ ବ୍ରିଜ୍ ତଳେ କାର୍ଯ୍ୟ କରୁଥିଲେ। ହଠାତ୍ କ୍ରେନ୍ ଭାଙ୍ଗି ପଡ଼ିବାରୁ ବ୍ରିଜ୍ ଉପରୁ ସ୍ଲାବ୍ ତଳକୁ ପଡ଼ିଯିବା ଯୋଗୁଁ ୫ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୩ ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ବାଦାମବାଡ଼ି ଠାରୁ ପ୍ରେସ୍ଛକ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ପୁଲିସ ପରିସ୍ଥିତିକୁ ତୁରନ୍ତ ଆୟତ୍ତ କରିବା ଯୋଗୁ ସ୍ଥିତି ସ୍ୱାଭାବିକ୍ ହୋଇଛି। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ନିର୍ମାଣଧୀନ ବ୍ରିଜ୍ରେ ବ୍ୟବହାର ହୋଇଥିବା କ୍ରେନ୍ ଫେଲ୍ ଯୋଗୁ ଏଭଳି ଅଘଟଣ ଘଟିଛି ବୋଲି କଟକ ଡିସିପି ରିଶିକେଶ ଖିଲାରୀ ସୂଚନା ଦେଇଛନ୍ତି। ଆହତମାନଙ୍କୁ ପୁଲିସ ଉଦ୍ଧାର କରି ତୁରନ୍ତ ଏସ୍ସିବିକୁ ସ୍ଥାନାନ୍ତରିତ କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିସିପି ଶ୍ରୀ ଖିଲାରୀ କହିଛନ୍ତି। ସରକାରଙ୍କ ଦାୟତ୍ୱହୀନ କାରଣରୁ ଏହି ଅଘଟଣ ଘଟିଛି। ଠିକା କମ୍ପାନୀ ଶ୍ରମିକମାନଙ୍କୁ ସୁରକ୍ଷା ଦେଇଥିଲେ ଏଭଳି ଅଘଟଣା ଘଟିନଥାନ୍ତା ବୋଲି ସିଏମ୍ସି ମେୟର୍ ସୁବାସ ସିଂହ ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମେୟର୍ ଶ୍ରୀ ସିଂହ ଦାବି କରିଛନ୍ତି।
ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ; ସହାୟତା ଘୋଷଣା କଲେ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ
କଟକ ଖାନ୍ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଶନିବାର ଅପରାହ୍ଣଣରେ ଘଟିଥିବା ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସେ ସାମାଜିକ ଗଣମାଧ୍ୟମରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ସହ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।