କଟକ: କଟକ ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ (BPFTIO) ପକ୍ଷରୁ ଅନୁଷ୍ଠାନ ପରିସରରେ ଥିବା ‘ନୀରଦ ମହାପାତ୍ର ପ୍ରେକ୍ଷାଳୟ’ଠାରେ “ଗ୍ରାଜୁଏସନ୍ ସେରିମନି ୨୦୨୬” ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୈକ୍ଷିକ ପାଠ୍ୟକ୍ରମରେ AVGC ବା ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ, ଗେମିଂ ଓ କମିକ୍ସକୁ ସାମିଲ କରିବା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। BPFTIO କୁ ଏକ ଜାତୀୟସ୍ତରର ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ସେ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସେହିପରି କଟକ-ଚୌଦ୍ୱାର ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ୱାଳ ଅନୁଷ୍ଠାନର ସମ୍ପ୍ରସାରଣ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆଶ୍ୱାସନା ଦେବା ସହ ଓଡ଼ିଶାର ସୃଜନଶୀଳ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ଅନୁଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ। BPFTIO ର ଅଧ୍ୟକ୍ଷ ପ୍ରଫେସର ହିମାଂଶୁ ଶେଖର ଖଟୁଆ BPFTIO କୁ BPUT ଅଧୀନରେ ଚଳଚ୍ଚିତ୍ର ଏବଂ ମିଡିଆ ଶିକ୍ଷାର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଦୂରଦୃଷ୍ଟିସମ୍ପନ୍ନ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ। ଏହା ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସୃଜନଶୀଳ ମାନଚିତ୍ରରେ ପ୍ରତିଷ୍ଠିତ କରିବ ବୋଲି ସେ କହିଥିଲେ। BPFTIO ଦେଶର ଶ୍ରେଷ୍ଠ ୫ଟି ଚଳଚ୍ଚିତ୍ର ଓ ମିଡିଆ ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବା ଦିଗରେ ନିରନ୍ତର ଅଗ୍ରଗତି କରୁଥିବା ସେ ପ୍ରକାଶ କରିଥିଲେ।
BPUT ର କୁଳପତି ପ୍ରଫେସର ଅମିୟ କୁମାର ରଥ କହିଥିଲେ, BPFTIO ହେଉଛି BPUT ଅଧୀନରେ ଏକ ଅନନ୍ୟ ଅନୁଷ୍ଠାନ। BPFTIO ର ଏକାଡେମିକ ହେଡ୍ ଶ୍ରୀ ରାକେଶ କୁମାର ଦାସ ଅନୁଷ୍ଠାନର ଗୌରବମୟ ଯାତ୍ରା ଓ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ବିଭିନ୍ନ ବିଭାଗର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଭାବେ ଶ୍ରୀ ରାଜେନ୍ଦ୍ର କୁମାର ରାୟ ଓ ଶ୍ରୀ ସୁରେନ୍ଦ୍ର କୁମାର ସାହୁଙ୍କୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନ ପାଇଁ ଅବଦାନ ନିମନ୍ତେ ଶ୍ରୀ ଦିଲ୍ଲୀପ କୁମାର ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଲୋକପ୍ରିୟ ଚଳଚ୍ଚିତ୍ର “ଦମନ (Daman)” ର ନିର୍ଦ୍ଦେଶକ ତଥା ଏହି ଅନୁଷ୍ଠାନର ପୂର୍ବତନ ଛାତ୍ର ଶ୍ରୀ ଦେବୀପ୍ରସାଦ ଲେଙ୍କାଙ୍କୁ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ହେବା ସହ ଭବିଷ୍ୟତର ସୃଜନଶୀଳ ନେତୃତ୍ୱ ଗଢ଼ିବାର ସଂକଳ୍ପକୁ ଦୋହରାଇଥିଲା। ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ।










