ଅହମଦାବାଦ୍: ଗୁଜରାଟର ଅହମଦାବାଦ ଏବଂ ବଡୋଦରାରେ ଥିବା ଏକାଧିକ ସ୍କୁଲକୁ ବୋମା ଧମକ ମିଳିଛି। ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସ୍କୁଲଗୁଡ଼ିକୁ ଖାଲି କରାଯାଇ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା। ପରେ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱାଡ ଏବଂ ପୋଲିସ ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବାରୁ ଅଧିକାରୀମାନେ ଧମକଗୁଡ଼ିକ ଗୁଜବ ବୋଲି କହିଛନ୍ତି। ରିପୋର୍ଟ ଅନୁସାରେ ଅହମଦାବାଦ୍ର ୧୫ରୁ ଅଧିକ ସ୍କୁଲ ଏବଂ ବଡୋଦରାର ୧୮ ସ୍କୁଲକୁ ସମାନ ଇମେଲ୍ ମିଳିଥିଲା। ଇମେଲ୍ ସକାଳ ପ୍ରାୟ ୭ଟା ସମୟରେ ଆସିଥିଲା। ଧମକରେ ଉଲ୍ଲେଖ ଥିଲା ଯେ ଅପରାହ୍ନ ୧:୧୧ରେ ବିସ୍ଫୋରଣ ହେବ। ତେବେ ଏହି ମେସେଜଗୁଡ଼ିକରେ ଖଲିସ୍ତାନ ଉଲ୍ଲେଖ କରାଯାଇଥିଲା। କିଛିରେ “ଗୁଜୁରାଟ ଖଲିସ୍ତାନ ହେବ,” “ହିନ୍ଦୁସ୍ତାନ ବିଭାଜିତ ହେବ,” ଏବଂ “ଦିଲ୍ଲୀ ଖଲିସ୍ତାନ ହେବ” ଭଳି ଉତ୍ତେଜନାମୂଳକ ବୟାନ ଥିଲା। ଅନେକ ସ୍କୁଲର ହଷ୍ଟେଲ ମଧ୍ୟ ଖାଲି କରାଯାଇଥିଲା। ଅହମଦାବାଦରେ ଡିଏଭି ଇଣ୍ଟରନ୍ୟାସନାଲ୍, ଏସିଆ ସ୍କୁଲ, ଏ-ୱାନ୍ ସ୍କୁଲ, ଅଙ୍କୁର ଇଣ୍ଟରନ୍ୟାସନାଲ୍, ସନ୍ଥ କବୀର, ସିଲଭର ବେଲ୍, ଟ୍ୟୁଲିପ୍ ଇଣ୍ଟରନ୍ୟାସନାଲ୍, ଏସଜିଭିପି ଗୁରୁକୂଳ, ଏନଆଇଆରଏମମ ବିଶ୍ୱବିଦ୍ୟାଳୟ ଇତ୍ୟାଦି ପ୍ରଭାବିତ ହୋଇଥିଲେ।










