ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ବୋମା ଧମକ ଘଟଣାକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିନ୍ତା ପ୍ରକାଶ କରି ନିଜ ସୋସିଆଲ ମିଡ଼ିଆ ଏକ୍ସ ରେ ଟ୍ୱିଟ କରି କହିଛନ୍ତି ଇମେଲ ଯୋଗେ ସମ୍ବଲପୁର, କଟକ ଓ ଦେଓଗଡ଼ର ଜିଲ୍ଲା କୋର୍ଟକୁ ବୋମା ଆକ୍ରମଣର ଧମକ ମିଳିଥିବା ଜାଣି ମୁଁ ଗଭୀର ଭାବେ ଚିନ୍ତିତ।

ଆମ ନ୍ୟାୟିକ ପ୍ରତିଷ୍ଠାନଗୁଡ଼ିକ ସମେତ ବିଚାରପତି, ଓକିଲ, ମକଦ୍ଦମାକାରୀ, କୋର୍ଟ କର୍ମଚାରୀ ତଥା ସାଧାରଣ ଲୋକଙ୍କ ସୁରକ୍ଷା ସର୍ବୋପରି ଭାରପ୍ରାପ୍ତ ଅଧିକାରୀମାନେ ମିଳିଥିବା ଧମକର ତ୍ବରିତ, ପୁଙ୍ଖାନୁପୁଙ୍ଖ ଏବଂ ଉପଯୁକ୍ତ ଯାଞ୍ଚ କରନ୍ତୁ। ଧମକ କେଉଁଠୁ ଆସିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ଠାବ କରି ଏହାର ନିଷ୍କର୍ଷ ସର୍ବସମ୍ମୁଖକୁ ଆଣନ୍ତୁ।ଏପରି ସ୍ଥିତିରେ ମୁଁ ଜନସାଧାରଣଙ୍କୁ ଆହ୍ବାନ କରୁଛି ସେମାନେ ଶାନ୍ତ ରୁହନ୍ତୁ, ଗୁଜବ ପ୍ରଚାରରୁ ଦୂରେଇ ରୁହନ୍ତୁ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକୁ ସମ୍ପୂର୍ଣ ସହଯୋଗ କରନ୍ତୁ।









