ଏ ଲଢେଇ ପଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିବ
ବିଡିଓ ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦେବା ଶିଖନ୍ତୁ
ଭୁୁବନେଶ୍ୱର: ବୋଲଗଡ ବ୍ଲକ ବିଡିଓଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିରୋଧ କରି ଦୀର୍ଘ ୮ ଦିନ ହେଲା ଅହୋରାତ୍ର ବ୍ଲକ ସମ୍ମୁଖରେ ସର୍ବଦଳୀୟ ଧାରଣା ଜାରି ରହିଛି । ବିଜୁ ଜନତା ଦଳର ସଭାପତିଙ୍କ ନିଦେ୍ର୍ଦଶରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଧାରଣା ସ୍ଥଳରେ ପହଞ୍ଚିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି, ମୁଖପାତ୍ର ନାରାୟଣ ଜେନା, ରୀତାଞ୍ଜଳି ପ୍ରଧାନ ପ୍ରମୁଖ ଯୋଗ ଦେଇ ସମର୍ଥନ ଜଣାଇଥିଲେ ।
ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ କହିଥିଲେ ବିଡିଓ ମହୋଦୟା, ଅହଂକାର କାହାରି ରହିନାହିଁ, ଏଭଳିକି ରାବଣର ମଧ୍ୟ ରହିନାହିଁ । ଲୋକ ପ୍ରତିନିଧିମାନଙ୍କୁ ସମ୍ମାନ ଦେଇ କାମ କରନ୍ତୁ । ପିଆର୍ଆଇ ସଦସ୍ୟମାନେ ଲୋକଙ୍କ କାମ କରିବା ପାଇଁ ପ୍ରତିଦିନ ବ୍ଲକକୁ ଆସିଥାଆନ୍ତି । ଆପଣ ଯଦି ସେମାନଙ୍କର କାମ ସମ୍ମାନର ସହିତ ନକରିବେ, ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇଯିବ । କେତେ ବିଡିଓ ଗଲେଣି କିନ୍ତୁ ଏହି ବ୍ଲକ ରହିଛି । କାଲି ଆପଣ ବିଡିଓ ନଥିବେ କିନ୍ତୁ ଏହି ଲୋକ ପ୍ରତିିନିଧିମାନେ ଏହି ଅଞ୍ଚଳ ଉନ୍ନତି ପାଇଁ ବ୍ଲକକୁ ସବୁବେଳେ ଆସୁଥିବେ । ତେଣୁ ଆପଣ ବିଜେପି ଦଳର ଇଙ୍ଗିତରେ କାମ ନକରି ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଆଗ୍ରାଧିକାର ଦେଇ କାମ କରନ୍ତୁ ବୋଲି ବିଜେଡି ଚେତାଇ ଦେଇଛି ।
ସେହିପରି ଡ. ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ, ବିଡିଓ ମହୋଦୟା ଲୋକ ପ୍ରତିନିଧିମାନଙ୍କୁ ଅସମ୍ମାନିତ କରିବା ଉଚିତ ହୋଇନାହିଁ? ସେ ଯେଉଁ ବିଜେପି ନେତାଙ୍କ ଇଙ୍ଗିତରେ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ କରୁଛନ୍ତି ସେଥିରୁ ତୁରନ୍ତ ନିବୃତ୍ତ ରୁହନ୍ତୁ । ନଚେତ ଆଗାମୀ ଦିନରେ ଏ ଲଢେଇ ପଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିବ । ଏହାକୁ ଆମେ କଦାପି ହାଲ୍କା ଭାବେ ନେବୁ ନାହୁଁ । ଜିଲ୍ଲା ପ୍ରଶାସନକୁ ମଧ୍ୟ ଚେତାଇ ଦେଉଛୁ । ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଲୋକ ପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇ ନ୍ୟାୟ ପ୍ରଦାନ କରନ୍ତୁ ।










