କଟକ: କଟକ ବିଡ଼ାନାସୀ ଇସ୍କନ୍ ମନ୍ଦିରରୁ ପୂଜକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଇସ୍କନ୍ କତୃପକ୍ଷ କହିଲେ ଏହା ଆତ୍ମହତ୍ୟା ହୋଇଥାଇ ପାରେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବିଡ଼ାନାସୀ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି । ସୂଚନା ମୁତାବକ, କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ସଂଗ୍ରାମ ସାମଲ ଦୀର୍ଘ ୬ ବର୍ଷ ହେବ ସନ୍ନ୍ୟାସ ଗ୍ରହଣ କରି କଟକ ବିଡ଼ାନାସୀ ଇସ୍କନ୍ ମନ୍ଦିରରେ ପୂଜକ ଭାବେ ସେବା କରୁଥିଲେ । ଆଉ ସେଠାରେ ସଂଗ୍ରାମଙ୍କ ନାମ ବଦଳିଯାଇ ସ୍ୱରୂପ ଦାମୋଦର ପ୍ରଭୂ ବୋଲି ଲୋକ ଡ଼ାକୁଥିଲେ । ତେବେ ସ୍ୱରୂପ ଗତକାଲି ନିଜର ନିତ୍ୟକର୍ମ ସାରି ଇସ୍କନ୍ ମନ୍ଦିର ଉପରେ ଥିବା ତାଙ୍କ ବାସ ସ୍ଥାନକୁ ଆସିଥିଲେ । ଆସିବା ବେଳେ ତାଙ୍କ ରୁମ୍ ବାହାରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିଲା ସେ ରଶି ନେଇ ଭିତରକୁ ଯିବାର ଦୃଶ୍ୟ । ଏହାପରେ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ସ୍ୱରୂପ ଦାମୋଦର ପ୍ରଭୂ ବାହାରକୁ ଆସି ନ ଥିଲେ । ସନ୍ଦେହ ବଢ଼ିବା ପରେ ଇସ୍କନ୍ କତୃପକ୍ଷ ପୋଲିସକୁ ଏ ଘଟଣା ବିଷରେ ଅବଗତ କରାଇଥିଲେ । ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।