କାଲିଫର୍ନିଆ: ଆମେରିକାର କାଲିଫର୍ନିଆରେ ଜଣେ ୨୨ ବର୍ଷୀୟ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟା ଛଅ ଦିନ ଧରି ନିଖୋଜ ଥିଲେ। ତାଙ୍କ ପରିବାର ତାଙ୍କୁ ଖୋଜିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ। ଛଅ ଦିନର ଖୋଜାଖୋଜି ପରେ ସାକେତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସାନ ଫ୍ରାନ୍ସିସ୍କୋର ଭାରତୀୟ କନସୁଲେଟ୍ ପକ୍ଷରୁ ଏହା ନିଶ୍ଚିତ କରାଯାଇଛି। କନସୁଲେଟ୍ ପକ୍ଷରୁ ସାକେତଙ୍କ ପରିବାର ବର୍ଗଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ସାକେତଙ୍କୁ ଶେଷ ଥର ପାଇଁ ଫେବ୍ରୁଆରି ୯ ତାରିଖରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ପ୍ରାୟ ଏକ କିଲୋମିଟର ଦୂରରେ ଦେଖାଯାଇଥିଲା। ସେବେଠାରୁ ସେ ନିଖୋଜ ଥିଲେ। ତାଙ୍କ ନିଖୋଜ ହେବା ପରେ ଏକ ବଡ଼ଧରଣର ସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା ।
ସାକେତଙ୍କ ବ୍ୟାଗ, ଯେଉଁଥିରେ ତାଙ୍କର ପାସପୋର୍ଟ ଓ ଲାପଟପ୍ ଥିଲା, ପରେ ଏକ ପାର୍କ ନିକଟରେ ଥିବା ଘରୁ ମିଳିଥିଲା। ସାକେତ କର୍ଣ୍ଣାଟକର ବାସିନ୍ଦା ସାକେତ କର୍ଣ୍ଣାଟକର ବାସିନ୍ଦା ଥିଲେ। ସେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ରାସାୟନିକ ଓ ଜୈବମଲିକୁଲାର ଇଞ୍ଜିନିୟରିଂ ପଢୁଥିଲେ। ଆଇଆଇଟି ମାଡ୍ରାସର ପୂର୍ବତନ ଛାତ୍ର ଶ୍ରୀନିବାସୈୟା ବର୍କଲିରେ ମାଷ୍ଟର ଡିଗ୍ରୀ ଅଧ୍ୟୟନ କରୁଥିଲେ। ସେ ବେଙ୍ଗାଲୁରୁର ଶ୍ରୀ ବାଣୀ ଏଜୁକେସନ ସେଣ୍ଟରରେ ପଢୁଥିଲେ। ତାଙ୍କ ନିଖୋଜ ହେବା ପରେ, ପୁଲିସ ଓ ସ୍ଥାନୀୟ ଲୋକେ ଏକ ମିଳିତ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ। ଫେବ୍ରୁଆରି ୧୪ ତାରିଖରେ, ସ୍ଥାନୀୟ ପୁଲିସ ସାକେତଙ୍କ ମୃତଦେହ ଆଞ୍ଜା ହ୍ରଦରୁ ଉଦ୍ଧାର କରିଥିଲା। ଫେବ୍ରୁଆରି ୧୫ ତାରିଖରେ ମୃତଦେହ ସାକେତଙ୍କର ବୋଲି ନିଶ୍ଚିତ ହୋଇଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତୀୟ ଛାତ୍ରମାନଙ୍କର ଏପରି ନିଖୋଜ ଘଟଣା ବୃଦ୍ଧି ପାଇବାରେ ଲାଗିଛି।










