ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (BMC) ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ଏକାମ୍ର ହଲରେ ଭୁବନେଶ୍ୱର ବିଧାନସଭା କ୍ଷେତ୍ର ର -ଏକାମ୍ର,ଉତ୍ତର, ମଧ୍ୟ ଓ ଜଟଣୀ ବିଧାନସଭା କ୍ଷେତ୍ରର ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଅଧ୍ୟକ୍ଷତା କରି ଭୋଟର ତାଲିକା ସଂଶୋଧନ, ନୂତନ ଭୋଟର ନାମ ଯୋଡ଼ା, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବିଲୋପ, ତଥ୍ୟ ସତ୍ୟାପନ ଓ ଘରେ-ଘରେ ଯାଞ୍ଚ କାର୍ଯ୍ୟ,ତ୍ରୁଟି ଶୂନ୍ୟ ଭୋଟର ଲିଷ୍ଟ ସମ୍ପର୍କରେ ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର ମାନଙ୍କୁ ଅବଗତ କରାଇଥିଲେ।ଅତିରିକ୍ତ ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର କହିଥିଲେ ଯେ ଘର ଘର ବୁଲି ଭୋଟର ମାନଙ୍କ ତଥ୍ୟ ଯାଞ୍ଚ କରି ସ୍ୱତନ୍ତ୍ର ସଘନ ସଂଶୋଧନ ମ୍ୟାପିଂ ଶତ ପ୍ରତିଶତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।ପ୍ରତିଦିନ ବୁଥ ସ୍ତରରୁ ସମୀକ୍ଷା କରି ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନଙ୍କୁ ଅଗ୍ରଗତି ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।ଯେଉଁ ବୁଥ ସ୍ତରରେ କମ ପ୍ରତିଶତ ମ୍ୟାପିଂ ହୋଇଛି ସେ ଅଞ୍ଚଳରେ କିପରି ଶତପ୍ରତିଶତ ହୋଇପାରିବ ସେ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଏଲଓ ଓ ସୁପରଭାଇଜର ମାନଙ୍କୁ ପରାମର୍ଶ ଦେଇଥିଲେ।ସ୍ଥାନୀୟ ଅଞ୍ଚଳରେ ଏକ କ୍ୟାମ୍ପ କରି ଆଶା,କର୍ପୋରେଟର ମାନଙ୍କ ଦ୍ୱାରା ଲୋକମାନଙ୍କୁ ସଚେତନତା କରି ସେମାନଙ୍କ ମ୍ୟାପିଂ କୁ ତ୍ୱରାନ୍ୱିତକରିବା ଦିଗରେ ଆଲୋଚନା କରିଥିଲେ।
ଏସଆଇଆର ସମ୍ଭନ୍ଧରେ ଅଧିକରୁ ଅଧିକ ଭୋଟର ମାନଙ୍କ ମଧ୍ୟରେ ସଚେତନତା ,ଇସିଆଇ ନେଟ ଆପ ଡାଉନଲୋଡ କରି ବୁକ ଏ କଲ ଉଇଥ ବିଏଲଓ ମାଧ୍ୟମରେ ଭୋଟର ମାନେ କିପରି ନିଜର ମ୍ୟାପିଂ ଓ ନିଜର ଭୋଟର ତାଲିକା ବିଷୟରେ ସନ୍ଦେହ ଦୂର କରିବା ବିଷୟରେ ସଚେତନତାବୃଦ୍ଧି କରିବା ଉପରେ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।ଅଧିକାରୀମାନେ ବିଏଲଓମାନଙ୍କୁ ସତର୍କତା, ପାରଦର୍ଶିତା ଓ ନିଷ୍ପକ୍ଷତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ନିର୍ବାଚନ କାର୍ଯ୍ୟରେ କୌଣସି ତ୍ରୁଟି ନ ହେବା ପାଇଁ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ଜୋର ଦିଆଯାଇଥିଲା।ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ସମେତ ଅତିରିକ୍ତ ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ,ଡେ଼ପୁଟି ସିଇଓ ଡ଼. ଲଷ୍ମୀ ପ୍ରସାଦ ସାହୁ ଏବଂ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।










