ଇସ୍ଲାମାବାଦ: ଜମି ଖଣ୍ଡିଏ ପାଇଁ ପାକିସ୍ତାନରେ ଦୁଇ ଜନଜାତି ସମୁଦାୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶରେ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷରେ ଏପର୍ଯ୍ୟନ୍ତ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କୁରମ ଜିଲ୍ଲାରେ ଦୁଇ ଜନଜାତିଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ସିହା ବନାମ ସୁନ୍ନି ରେ ପରିଣତ ହୋଇ ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଛି । କେବଳ ଜୁଲାଇ ୨୮ ତାରିଖ ରାତିରେ ହିଂସାତ୍ମକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ।
ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୩୫ ଜଣ ସିହା ସମ୍ପ୍ରଦାୟର ହୋଇଥିବା ବେଳେ ୮ ଜଣ ସୁନ୍ନି ସମ୍ପ୍ରଦାୟର । କୁରମର ସଦର ମହକୁମା ପଡ଼ା ଚିନାର୍ ଉପକଣ୍ଠ ବୁସାହାରା ଖାଇବରରେ ଏହି ଲଢ଼େଇ ଆରମ୍ଭ ହୋଇଥିଲା । ଦୁଇ ଜନଜାତିଙ୍କ ମଧ୍ୟରେ ଅନେକ ଦଶନ୍ଧି ଧରି ଏକ ଜମି ପାଇଁ ସଂଘର୍ଷ ଚାଲିଛି । ଗୁଲାବ ମିଲି ଖେଲ ଏବଂ ମାଡକି କାଲେ ନାମକ ଜନଜାତି ୧୦୦ କେନାଲ ଜମି ପାଇଁ ବର୍ଷ ବର୍ଷ ଧରି ଲଢ଼େଇ କରି ଆସୁଛନ୍ତି । ଏଥର ମଧ୍ୟ ଏହି ଦୁଇ ଜନଜାତି ମୁହାଁମୁହିଁ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗୁଲାବ ମିଲି ଖେଲ ସିହା ସମ୍ପ୍ରଦାୟର ହୋଇଥିବା ବେଳେ ମାଡକି କାଲେ ସୁନ୍ନି ସମ୍ପ୍ରଦାୟର ଏକ ସଂଗଠନ ।