26.1 C
Bhubaneswar
Sunday, March 15, 2026
Homeଓଡିଶାବିଜେପିର ଅନ୍ୟନାମ ‘ଦୁର୍ନୀତି’

ବିଜେପିର ଅନ୍ୟନାମ ‘ଦୁର୍ନୀତି’

ଅଦାଲତ ଦ୍ୱାରା ଏକଦା ଦଣ୍ଡିତ ଦିଲ୍ଲୀପ ରାୟଙ୍କୁ ବିଜେପି ପ୍ରାର୍ଥୀ କଲା କାହିଁକି?

ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକଙ୍କୁ ନେଇ ଘୋଡ଼ା ବେପାର ପାଇଁ ଦିଲ୍ଲୀପଙ୍କ ଉଦ୍ୟମ ଧରାପଡ଼ିଲା

ଦଳୀୟ ଶୃଙ୍ଖଳା ଅବମାନନା କଲେ କାର୍ଯ୍ୟାନୁଷ୍ଠାନ; ସଦସ୍ୟତା ପଦ ରଦ୍ଦ ହେବ

ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନରେ ବିଜେପି ଦଳର ଘୋଡ଼ା ବେପାରକୁ ନେଇ କଂଗ୍ରେସ ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଏଆଇସିସି ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଭକ୍ତ ଚରଣ ଦାସ, ଉପସଭାପତି ଲଲାଟେନ୍ଦୁ ମହାପାତ୍ର ଓ ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ଯୋଗ ଦେଇଥିଲେ ।  ଉପସ୍ଥିତ ସାମ୍ବାଦିକଙ୍କୁ ସମ୍ବୋଧିତ କରି ପ୍ରଭାରୀ ଶ୍ରୀ ଲଲ୍ଲୁ କହିଲେ ବିଜେପି ଏକ ଭ୍ରଷ୍ଟ ଦଳ ବୋଲି ନିଜକୁ ପ୍ରମାଣିିତ କରିଦେଇଛି । ନିଜ ବିଧାୟକ ସଂଖ୍ୟା ଦୃଷ୍ଟିରୁ ବିଜେପି ଦୁଇଜଣ ରାଜ୍ୟ ସଭାପାଇଁ ପ୍ରାର୍ଥୀ ଦେଇଥିଲା ଏବଂ ବିଜେଡ଼ି ମଧ୍ୟ ନିଜ ବିଧାୟକ ସଂଖ୍ୟା ଦୃଷ୍ଟିରୁ ଜଣଙ୍କୁ ପ୍ରାର୍ଥୀ ଦେଇଥିଲା । ଅନ୍ୟପକ୍ଷରେ କଂଗ୍ରେସର ୧୪ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ତେଣୁ ଏକ ଅଣରାଜନୈତିକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ରାଜ୍ୟ ସ୍ୱାର୍ଥ ପାଇଁ ପ୍ରାର୍ଥୀ କରିବାକୁ ସମଭାବାପନ୍ନ ଦଳ ବିଜେଡ଼ିକୁ କଂଗ୍ରେସ ଆହ୍ୱାନ କରିଥିଲା । ଯାହାଫଳରେ ବିଜେଡ଼ି ଓ କଂଗ୍ରେସ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ପ୍ରାର୍ଥୀ ଘୋଷଣା କରିଥିଲେ । ସଂଖ୍ୟା ଦୃଷ୍ଟିରୁ ଡାକ୍ତର ଦତ୍ତେଶ୍ୱର ହୋତା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇପାରିଥାନ୍ତେ । କିନ୍ତୁ ବିଜେପି ନିଜର ସଂଖ୍ୟା ନଥାଇ ମଧ୍ୟ ୫ମ ପ୍ରାର୍ଥୀଙ୍କ ନାମାଙ୍କନ କଲା ।  ଏହା ଘୋଡା ବେପାରକୁ ଆମନ୍ତ୍ରଣ ନୁହେଁକି? ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବିଜେପି ଜାତୀୟ ସଭାପତି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପ୍ରାର୍ଥୀ ଘୋଡ଼ା ବେପାରକୁ ସମର୍ଥନ କରୁଛନ୍ତି କି ବୋଲି ଶ୍ରୀ ଲଲ୍ଲୁ ପ୍ରଶ୍ନ ପଚାରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ଝାଡ଼ଖଣ୍ଡ କୋଇଲା ଆବଣ୍ଟନ ମାମଲାରେ ଦୁର୍ନୀତି ଯୋଗୁଁ ଦୋଷୀ ସାବସ୍ତ୍ୟ ହୋଇ ଦିଲ୍ଲିପ ରାୟ ୩ବର୍ଷ କାରାଦଣ୍ଡାଦେଶ ପାଇଥିଲେ । ଯଦିଓ ସେ ଉଚ୍ଚତମ ନ୍ୟାୟାଳୟରୁ ଜାମିନ ପାଇଛନ୍ତି, ସିବିଆଇ କାହିଁକି ଏସଏଲଆର ଦାଖଲ କଲାନାହିଁ? ତେଣୁ ଆଗକୁ ସେ ପୁଣି ଜେଲ ଯିବା ଆଶଙ୍କା ଥିବାବେଳେ ସେଭଳି ଲୋକଙ୍କୁ ବିଜେପି ପ୍ରାର୍ଥୀ କରିବା ଦଳର ଦୁର୍ନୀତି ପ୍ରତି ଆଭିମୁଖ୍ୟକୁ ପଦାରେ ପକାଉଛି ବୋଲି ସେ ଅଭିଯୋଗ କରିଥିଲେ ।

ପିସିସି ସଭାପତି ଶ୍ରୀ ଦାସ ନିଜ ବକ୍ତବ୍ୟରେ କହିଲେ, କଂଗ୍ରେସ ଏବଂ ବିଜେଡ଼ି ସମଭାବାପନ୍ନ ଧର୍ମନିରପେକ୍ଷ ଦଳ । ଉଭୟ ଦଳ ରାଜ୍ୟରେ ସମଦୂରତା ବଜାୟ ରଖି ରାଜନୀତି କରନ୍ତି । ରାଜ୍ୟ ରାଜନୀତିରେ ଘୋଡ଼ା ବେପାର ବନ୍ଦ କରି ସ୍ୱଚ୍ଛତା ଆଣିବାପାଇଁ ରାଜ୍ୟସଭା ପ୍ରାର୍ଥୀ ମିଳିତ ଭାବେ ଘୋଷଣା କରିବା ଅତ୍ୟନ୍ତ ଜରୁରୀ ଥିଲା । ମିଳିତ ପ୍ରାର୍ଥୀ ପାଇଁ ବିଜେଡ଼ି ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱୀକୃତି ଦେଇଥିଲେ । ବିଜେପି ରାଜ୍ୟ ରାଜନୀତିକୁ ଯେଉଁଭଳି ଭାବରେ କଳୁଷିତ କରୁଛି ତାହା କଳ୍ପନାତୀତ । ଜାତୀୟ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କୁ ଭେଟି ଆଲୋଚନା ଓ ଆଶୀର୍ବାଦ ପାଇଁ ଆମ ୮ ଜଣ ବିଧାୟକ ଏବଂ ମୁଁ ବାଙ୍ଗାଲୋର ଯାଇଥିଲୁ । ଆମ ବିଧାୟକ ଯେଉଁ ହୋଟେଲରେ ରହୁଥିଲେ ସେହି ହୋଟେଲକୁ ରାଜ୍ୟ ବିଜେପିର ସର୍ବଶକ୍ତିମାନ ନେତାଙ୍କ ପରାମର୍ଶକ୍ରମେ ୪ ଜଣ ବିଜେପି ଲୋକ ଆସି ଆମ ବିଧାୟକଙ୍କୁ ଭେଟି ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲେ । ଏମାନେ ହେଲେ ଜଣେ ପୂର୍ବତନ୍ତ ମନ୍ତ୍ରୀଙ୍କ ପୁତ୍ର ଅଜିତ ସାହୁ, ରାଉରକେଲାର ବୀରେନ୍ଦ୍ର ପ୍ରସାଦ, ସୀମାଞ୍ଚଳ ମହାକୁଡ଼ ଓ କର୍ଣ୍ଣାଟକ ବଜେପି ନେତାଙ୍କ ଲୋକ ସୁରେଶ । ଦୁଇଜଣ ପୁଲିସ ହାତରେ ଧରା ପଡ଼ିଲେ ଓ ଦୁଇଜଣ ଫେରାର ହୋଇଗଲେ । ସେମାନଙ୍କ ପାଖରୁ ଗୋଟିଏ ବ୍ଲାଂକ ଚେକ ଏବଂ ୧୭ ଲକ୍ଷ ଟଙ୍କା ଲେଖାଥିବା ଅନ୍ୟ ଏକ ଚେକ ଜବତ ହୋଇଛି । ସମଭାବାପନ୍ନ ଦଳ ମଧ୍ୟରେ ଚତୁର୍ଥ ପ୍ରାର୍ଥୀ ଦେବାପାଇଁ ବ୍ୟବସ୍ଥା ହେଲା । ତାହକୁ ସମ୍ମାନ ନଜଣାଇ ଓଡ଼ିଶା ବିଜେପି ଦଳର କ’ଣ ବାଧ୍ୟବାଧକତା ଅଛିଯେ ଓଡ଼ିଶା ରାଜନୀତିକୁ କଳୁଷିତ କରିବାକୁ ପଛାଉ ନାହିଁ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ସଂପୃକ୍ତ ରହିବାର ଅଭିଯୋଗ ଆସୁଛି ।

ଆମ କଂଗ୍ରେସ ବିଧାୟକ ଦାସରଥି ଗମାଙ୍ଗୋ ଗତ ୭ ତାରିଖ ଠାରୁ ଆମ ସମ୍ପର୍କରେ ନାହାନ୍ତି । ଫୋନକଲ, ହ୍ୱାଟସଆପ କଲ, ମେସେଜ, ଇମେଲ ଆଦିର କୌଣସି ଉତ୍ତର ଦେଉନାହାନ୍ତି । ଏପରିକି ତାଙ୍କ ଗ୍ରାମ ବାସଗୃହ ଏବଂ ଭୁବନେଶ୍ୱର ନିବାସରେ ମଧ୍ୟ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାଙ୍କ ଖବର ମିଳିପାରୁ ନାହିଁ । ଦଳପକ୍ଷରୁ ସମସ୍ତ ବିଧାୟକଙ୍କୁ ୧୪,୧୫, ୧୬ ଦିନ ଭୁବନେଶ୍ୱରରେ ଉପସ୍ଥିତ ରହି ଯୋଗାଯୋଗରେ ରହିବାକୁ ହୁଇପ ଜାରି କରାଯାଇଥିଲା । ତାହା ସତ୍ୱେ ମଧ୍ୟ ଶ୍ରୀ ଗମାଙ୍ଗୋଙ୍କ କିଛି ଖୋଜ ଖବର ମିଳୁନାହିଁ । ଯାହା ଦଳୀୟ ଶୃଙ୍ଖଳାର ଘୋର ବିରୋଧାଚରଣ କରୁଛି । ସେଥିପାଇଁ ଶୃଙ୍ଖଳା କମିଟି ତରଫରୁ ୧୫.୩.୨୬ ସଂଧ୍ୟା ୭ ଟା ସୁଦ୍ଧା କଂଗ୍ରେସ ଅଫିସରେ ଉପସ୍ଥିତ ରହିବାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଯଦି ଏଥିରେ ମଧ୍ୟ ସେ ବିଫଳ ହୁଅନ୍ତି ତେବେ କଂଗ୍ରେସ ସଦସ୍ୟତା ପଦ ରଦ୍ଦ ହେବା ସହିତ ବିଧାନସଭା ପଦ ରଦ୍ଦ ପାଇଁ ଦଳ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କଂଗ୍ରେସ ଦଳ ସ୍ୱଚ୍ଛ, ସଚ୍ଚୋଟ ଏବଂ ନିରପେକ୍ଷ ରାଜନୀତି ଉପରେ ବିଶ୍ୱାସ ରଖେ । ଏଭଳି ବିଶୃଙ୍ଖଳା କୌଣସି ରୂପରେ ଗ୍ରହଣ କରାଯିବ ନାହିଁ । କଂଗ୍ରେସ ଦଳର ବିଶ୍ୱାସ, ଆମ ସମସ୍ତ ବିଧାନସଭା ସଦସ୍ୟ କଂଗ୍ରେସ ଦଳ ସମର୍ଥିିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବେ । ଆଜିର ସାମ୍ବାଦିକ ସମ୍ମିଳନୀରେ ମିଡିଆସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସମ୍ମିଳନୀକୁ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking