30.1 C
Bhubaneswar
Monday, May 5, 2025
Homeଓଡିଶାନିଜ ଦୋଷ ଲୁଚାଇବାକୁ ଯାଇ କଂଗ୍ରେସ ବାଚଳାମି କରୁଛି: ଅଭିଳାଷ ପଣ୍ଡା

ନିଜ ଦୋଷ ଲୁଚାଇବାକୁ ଯାଇ କଂଗ୍ରେସ ବାଚଳାମି କରୁଛି: ଅଭିଳାଷ ପଣ୍ଡା

ଭୁବନେଶ୍ୱର: ୫ହଜାରରୁ ଉର୍ଦ୍ଧ୍ୱ ଦେଶଭକ୍ତ ଓ କ୍ରାନ୍ତିକାରୀଙ୍କ ଆର୍ଥିକ ସହଯୋଗରେ ୧୯୩୭ ମସିହାରେ ନ୍ୟାସନାଲ୍ ହେରାଲ୍ଡ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା । ଏହା ନେହେରୁ ପରିବାରର ବ୍ୟକ୍ତିଗତ ମାଲିକାନା ନଥିଲା । ଦେଶର ସ୍ୱାଧୀନତା ସଂଗ୍ରାମ ସେନାନୀଙ୍କ ବାର୍ତାକୁ ସାରାଦେଶରେ ପହଁଚାଇବା ଏହି ସମ୍ବାଦପତ୍ରର ମୂଳ ଉଦ୍ଦେଶ୍ୟ ଥିଲା । ଭାରତବର୍ଷର ବିଭିନ୍ନ ସ୍ଥାନରେ ପ୍ରକାଶକ ଏଜେଏଲ୍ କମ୍ପାନୀ ଜରିଆରେ ନ୍ୟାସନାଲ୍ ହେରାଲ୍ଡ ନିଜର ଶାଖା ପ୍ରଶାଖା ଖୋଲି ଦେଶର ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ଭୂମିକା ନେଇଥିଲା । ପରବର୍ତୀ ସମୟରେ ୯୦କୋଟି ଟଙ୍କାର ଆର୍ଥିକ ଋଣ ଦେଖାଇ ୨୦୦୮ ମସିହାରେ ଏହାକୁ କ୍ଷତି ଦର୍ଶାଇ ବନ୍ଦ କରିଦିଆଗଲା ।

କଂଗ୍ରେସର ତତ୍କାଳୀନ କୋଷାଧ୍ୟକ୍ଷ ମୋତିଲାଲ ଭୋରା ସେତେବେଳେ ଏହାର ନିର୍ଦ୍ଦେଶକ ଥିଲେ । ଅପରପକ୍ଷରେ ମାତ୍ର ୫୦ଲକ୍ଷ ଟଙ୍କା ଦେଇ ଏହି ସଂସ୍ଥାର ସମସ୍ତ ସମ୍ପତି ୟଙ୍ଗ ଇଣ୍ଡିଆ ସଂସ୍ଥାକୁ ଦିଆଗଲା । ଯାହାର ୩୮ପ୍ରତିଶତ ଅଂଶଧନ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ୩୮ ପ୍ରତିଶତ ଅଂଶଧନ ରାହୁଲ ଗାନ୍ଧୀଙ୍କର ଥିଲା । ଅର୍ଥାତ୍ ମାତ୍ର ୫୦ଲକ୍ଷ ଟଙ୍କା ବିନିମୟରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷେ୍ନା, ଭୋପାଳ ଓ ପାଟନା ଠାରେ ହଜାର ହଜାର କୋଟି ଟଙ୍କାର ସମ୍ପତିକୁ ନିଜ ନାମରେ କରିଦିଆଗଲା । ବହୁଚର୍ଚ୍ଚିତ ‘ନ୍ୟାସନାଲ ହେରାଲ୍ଡ ଦୁର୍ନୀତି’ର ପର୍ଦ୍ଦାଫାସ ହୋଇସାରିଛି । ଏହି ଘଟଣାରେ ଧରାପଡିବା ପରେ ମୋତିଲାଲଙ୍କ ସମେତ ପବନ ବଂଶଲ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଜେରା କରିଛି । ଦଳର ନାମ ବ୍ୟବହାର କରି ସମସ୍ତ ବିଧି ବ୍ୟବସ୍ଥାକୁ ଉଲ୍ଲଘଂନ ସହିତ ମାତ୍ର ୫୦ଲକ୍ଷ ଟଙ୍କାରେ ୫ହଜାର କୋଟି ଟଙ୍କାର ସମ୍ପତିକୁ ହାତେଇ ନେବା ଭଳି ଅଷ୍ଟମାଶ୍ଚର୍ଯ୍ୟ କରିଛି କଂଗ୍ରେସ ଦଳ । ଏହି ଖବର ସରବରାହ ସଂସ୍ଥାକୁ କଂଗ୍ରେସ ଦଳ ଓ ଗାନ୍ଧୀ ପରିବାର ନିଜର ସମ୍ପତି ଭଳି ବ୍ୟବହାର କରିଛି । ଯୁବସମାଜ କଂଗ୍ରେସ ଦଳକୁ କେବେ କ୍ଷମା ଦେବେ ନାହିଁ ବୋଲି ବିଜେପି ଭାରତୀୟ ଜନତାପାର୍ଟି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ।

ଏନେଇ ମାଷ୍ଟର କ୍ୟାଂଟିନ୍ ଛକରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ବିଭୋକ୍ଷ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ଧାରଣା ଦେବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ଦେଶର ସମ୍ପତି, ଜମି ଓ ଧନ ଲୁଟ୍ କରିବାର ଅଧିକାର କାହାକୁ ଦିଆଯାଇନାହିଁ । ଧାରଣା ଦେଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଅତ୍ୟନ୍ତ ନିର୍ଲଜ କାମ କରୁଛି କଂଗ୍ରେସ ଦଳ । ଗତ ୪ବର୍ଷ ଧରି ନ୍ୟାସନାଲ ହେରାଲ୍ଡ ମାମଲା ସୁପ୍ରିମକୋର୍ଟରେ ଚାଲିଛି । କୋର୍ଟରେ ସନ୍ତୋଷଜନକ ତଥ୍ୟ ଉପସ୍ଥାପନା କରିବା ପରିବର୍ତେ ଧାରଣା ଓ ପ୍ରଦର୍ଶନ କରାଉଛନ୍ତି । ଗତ ମଙ୍ଗଳବାର ଏହି ମାମଲାକୁ ନେଇ ଇଡି ପକ୍ଷରୁ ଚାର୍ଜସିଟ୍ ଦାଖଲ ହେବା ପରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛି । ଷଡଯନ୍ତ୍ର କରି ହଜାର ହଜାର କୋଟି ଟଙ୍କାର ସମ୍ପତିକୁ ହଡପ କରିବାର ପ୍ରଚେଷ୍ଟା କରି କଂଗ୍ରେସ ଦଳ ବର୍ତମାନ ଧରାପଡିଛି । ଷଡଯନ୍ତ୍ରର ସମସ୍ତ ତଥ୍ୟ ଲୋକଲୋଚନକୁ ଆସିଛି । ଆଇନର ଉର୍ଦ୍ଧ୍ୱରେ କେହି ନୁହଁନ୍ତି । ଏହି ଘଟଣାରେ ବର୍ତମାନ ଜାମିନରେ ଥିବା ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମାନ୍ୟବର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ମଧ୍ୟ କୌଣସି ଆଶ୍ୱସ୍ଥି ମିଳିଲାନାହିଁ । ଆସନ୍ତା ୨୧ ତାରିଖ ଦିନ ମାନ୍ୟବର ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ଥିବା କାରଣରୁ ବିଭ୍ରାନ୍ତ ଓ ବାଚଳାମୀ କରି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ‘ଇସ୍ୟୁ ଡାଇଭର୍ଟ’ କରିବାର ପ୍ରଚେଷ୍ଟା କରାଯାଉଛି । ମାମଲା କୋର୍ଟ ବିଚାରଧୀନ ଥିବାବେଳେ ମାନ୍ୟବର କୋର୍ଟଙ୍କ ରାୟକୁ ଧର୍ଯ୍ୟର ସହ ଅପେକ୍ଷା କରିବା ଦରକାର ।

କଂଗ୍ରେସ ଦଳର ଦୁର୍ନିତୀ, ଭ୍ରଷ୍ଟାଚାର, ଲୁଟ୍‌, ଶୋଷଣ କାହାକୁ ଅଛପା ନାହିଁ । ଅତୀତରେ ଏଭଳି ଘଟଣାରେ ସମ୍ପୃକ୍ତ ଏକାଧିକ କଂଗ୍ରେସ ନେତା ଗିରଫ ହୋଇ ଜେଲ ଯାଇଛନ୍ତି । ଗାନ୍ଧୀ ପରିବାର ପାଇଁ ଏହା ନୂଆ ନୁହେଁ । ଗାନ୍ଧୀ ପରିବାରର ଜଣେ ସଦସ୍ୟ ହରିୟାଣାରେ ୩କୋଟି ଟଙ୍କାରେ ଜମି କିଣି ୫୮କୋଟି ଟଙ୍କାରେ ବିକ୍ରି କରିଛନ୍ତି । ସରକାରୀ ଟଙ୍କାକୁ ଏଟିଏମ ଭଳି ବ୍ୟବହାର କରୁଥିଲା । ଏହି ପରିବାର କେବଳ ଦେଶ ଓ ସମାଜକୁ ଲୁଟିଛି । ଗରିବ ହଟାଓର ସ୍ଲୋଗାନ ଦେଇ ଗରିବଙ୍କୁ ଶୋଷଣ କରିଥିବାରୁ କଂଗ୍ରେସ ଆଜି ଏଭଳି ଦୁରାବସ୍ଥାର ସମ୍ମୁଖୀନ ହୋଇଛି । ଆଇନକୁ ସାହାଯ୍ୟ ଓ ସହଯୋଗ କରିବା ପରିବର୍ତେ ତଦନ୍ତକାରୀ ସଂସ୍ଥା ଇଡିକୁ ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ରାଜ୍ୟ ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ରାଜ୍ୟ ସଂଯୋଜକ ଚଣ୍ଡୀ ପ୍ରସାଦ ବେହେରା, ରଜତ ନାୟକ, ଜ୍ୟୋତି ରଞ୍ଜନ ମିଶ୍ର, ନିହାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking