18.1 C
Bhubaneswar
Saturday, November 23, 2024
Homeଓଡିଶାସମ୍ବଲପୁରରେ ବିଜେପିର ମିଶ୍ରଣ ପର୍ବ

ସମ୍ବଲପୁରରେ ବିଜେପିର ମିଶ୍ରଣ ପର୍ବ

– ରେଢାଖୋଲ ନିର୍ବାଚନମଣ୍ଡଳୀର ସରପଞ୍ଚ, ଜନପ୍ରତିନିଧି ଓ ସ୍ଥାନୀୟ ନେତୃତ୍ୱଙ୍କୁ ଦଳରେ ସ୍ୱାଗତ କଲେ
– କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଲାଭାର୍ଥୀଙ୍କ ପାଖରେ ପହଞ୍ଚାଇବା
– ସମ୍ବଲପୁରର ଆବାଳବୃଦ୍ଧବନିତାଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଦେଲେ ପରାମର୍ଶ

ସମ୍ବଲପୁର: କ୍ଷମତାକୁ ଉପଭୋଗ କରିବା ନୁହେଁ, ଲୋକଙ୍କ ସେବା କରିବା ଆମର ଧର୍ମ । ଆମେ କାର୍ଯ୍ୟକର୍ତ୍ତାମାନେ ସେବାକୁ ପ୍ରାଥମିକତାରେ ରଖି କାମ କରିବା । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ କିଭଳି ଲୋକଙ୍କ ପାଖରେ ପହଞ୍ଚିବ, ତାହାର ଦାୟିତ୍ୱ ନେବା ପାଇଁ ଗୁରୁବାର ସମ୍ବଲପୁରରେ ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେବା ଅବସରରେ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଢାଖୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ଜନପ୍ରତିନିଧି ଓ ସ୍ଥାନୀୟ ନେତୃତ୍ୱଙ୍କୁ ଦଳରେ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟ ଶାସନ ଦାୟିତ୍ୱରେ ଥିବା ଦଳ ଅଧିକ ଲାଭ ପାଆନ୍ତି ବୋଲି କୁହାଯାଏ କିନ୍ତୁ ଭାରତୀୟ ଜନତା ପାର୍ଟିରେ ତାହା ଭିନ୍ନ । କ୍ଷମତାକୁ ଉପଭୋଗ କରିବା ନୁହେଁ ବରଂ ଲୋକଙ୍କ ସେବା କରିବା ଦରକାର । ନିର୍ମଳ ମନରେ ଲୋକଙ୍କ ସେବା କଲେ ଦଳ ବିଜୟୀ ହୁଏ । ଏଥିପାଇଁ ଆଜି ଅସଂଖ୍ୟ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ବଳରେ ଜନଆଶୀର୍ବାଦ କାରଣରୁ ରାଜ୍ୟରେ ବିଜେପି ସରକାର ହୋଇଛି ।

ନୂଆ ରାଜ୍ୟ ସରକାର ଗଠନ ପରେ ସୁଭଦ୍ରା ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି । ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି କରାଯାଇଛି । ଚାଷୀର ବ୍ୟାଙ୍କ ଖାତାରେ ଏହି ଟଙ୍କା କିପରି ପହଞ୍ଚିବ, ତାହାର ଦାୟିତ୍ୱ କାର୍ଯ୍ୟକର୍ତ୍ତାମାନେ ନେବା ଦରକାର । ସେହିପରି ସମ୍ବଲପୁର ଜିଲ୍ଲାରେ ସବୁ ସ୍ଥାନରେ ପାନୀୟ ଜଳ ସମସ୍ୟା ଦୂର କରିବା, ଜିଲ୍ଲାକୁ ଯକ୍ଷ୍ମାମୁକ୍ତ କରାଇବା, ପିଏମ-ସ୍ୱନିଧି ଯୋଜନାରେ ସହରାଞ୍ଚଳର ଉଠା ଦୋକାନୀଙ୍କୁ ଋଣ ଦେବାର ବ୍ୟବସ୍ଥା ଉପରେ ଲୋକଙ୍କୁ ସଚେତନ କରିବା ଦରକାର ।

ଏହିପରି ପିଏମ ସୂର୍ଯ୍ୟ ଘର ଯୋଜନାରେ ଗରିବ ଲୋକଙ୍କ ଘରେ ସୌର ଚୁଲା ପାଇଁ ସରକାରଙ୍କ ପକ୍ଷରୁ ମିଳୁଥିବା ପ୍ରୋତ୍ସାହନ ରାଶିର ତଦାରଖ ଦାୟିତ୍ୱ ମଧ୍ୟ କାର୍ୟ୍କକର୍ତ୍ତାମାନେ ନେବା ଦରକାର । ମିଶ୍ରଣ ପର୍ବ ଉପରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ଏବଂ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟରେ ଆସ୍ଥାପ୍ରକଟ କରି ଦଳରେ ଯୋଗ ଦେଇଥିବାରୁ ଧନ୍ୟବାଦ । ଏହି ଯୋଗଦାନ ତୃଣମୂଳ ସ୍ତରରେ ଆମର ସଂଗଠନକୁ ଅଧିକ ମଜଭୂତ୍ କରିବ । ସମ୍ବଲପୁରର ଆବାଳବୃଦ୍ଧବନିତାଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବା ସହ ସମ୍ବଲପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଗଢି ତୋଳିବା ପାଇଁ ନିଜ ସ୍ତରରେ କର୍ତ୍ତବ୍ୟ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking