ଭୁବନେଶ୍ୱର: ରାତି ପାହିଲେ ନୂଆପଡ଼ାରେ ବହୁ ଚର୍ଚ୍ଚିତ ଉପନିର୍ବାଚନ ପାଇଁ ଭୋଟ ପଡିବ । ତେବେ ଶାସକ ବିଜେପି ବିରୋଧରେ ବିଜେଡିର ଅଭିଯୋଗ ତାଲିକା ବଢ଼ି ଚାଲିଛି । ବିଜୁ ଜନତା ଦଳର ଏକ ପ୍ରତିନିଧିମଣ୍ଡଳୀ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚାରିଟି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ପତ୍ର ଦାଖଲ କରିଛି । ଏଥିରେ ଆଦର୍ଶ ଆଚରଣ ବିଧି ଓ ନିର୍ବାଚନ ନିୟମର ଉଲଂଘନ ଭଳି ଗମ୍ଭୀର ଅଭିଯୋଗ ରହିଛି । ନିର୍ବାଚନ ପୂର୍ବରୁ ୪୮ ଘଣ୍ଟାର ସାଇଲେଣ୍ଟ ପରିୟଡ ମଧ୍ୟରେ ବିଜେପି ଓ ତାଙ୍କ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ନିଜ ମାଆ ଶ୍ରୀମତୀ କଳ୍ପନା ଢୋଲକିଆଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ନିର୍ବାଚନ ପ୍ରଚାର ଭିଡ଼ିଓ ପୋଷ୍ଟ କରିଛନ୍ତି । ଏହି ଭିଡ଼ିଓରେ ସେମାନେ ବିଜେପିକୁ ଭୋଟ ଦେବା ପାଇଁ ଲୋକଙ୍କୁ ଆହ୍ୱାନ କରୁଛନ୍ତି । ନିଜ ପରିବାରର ପ୍ରତି ସମବେଦନା ଜୁଟାଇବା ପାଇଁ ଜୟ ପ୍ରୟାସ କରିଛନ୍ତି । ଏଥିରେ ବିଜେପି ଦଳର ସଂକେତ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହେଉଛି ।
ବିଜେଡି ଆହୁରି ଅଭିଯୋଗ କରିଛି ଯେ, ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ବିଶ୍ୱ ରଞ୍ଜନ ବଡ଼ଜେନା, ବିଜେପି ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଗାଡ଼ି ଧରି ପ୍ରଚାର ଚଳାଇଛନ୍ତି । ବିଜେପି କାର୍ଯ୍ୟକର୍ତ୍ତା ଓ ଛତିଶଗଡ଼ରୁ ଆସିଥିବା ଲୋକମାନେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସଂଗଠିତ ଭାବରେ ଟଙ୍କା ବଣ୍ଟନ କରୁଛନ୍ତି । ପ୍ରମାଣସ୍ୱରୂପ ବିଜେଡି ଏହାର ଭିଡିଓ ସିଇଓଙ୍କୁ ପ୍ରଦାନ କରିଛି । ସେହିପରି ନୂଆପଡ଼ାର ଜିଲ୍ଲାପାଳ ଓ ଏସ୍ପି ପକ୍ଷପାତିତାରେ ମାତିଛନ୍ତି । ରାଜନୈତିକ କର୍ମୀ ଭଳି ବିଜେପିକୁ ସୁହାଇବା ଭଳି କାର୍ଯ୍ୟରେ ଦୁଇ ବରି୍ଷ୍ଠ ଅଧିକାରୀ ଲିପ୍ତ ରହିଛନ୍ତି । ତାଙ୍କ ସୁରକ୍ଷାରେ ବିଜେପି ଉପନିର୍ବାଚନରେ ଜନମତକୁ ପ୍ରଭାବିତ କରିବା ଲାଗି ଦିନ ରାତି ଉଦ୍ୟମ ଚଳାଇଛନ୍ତି । ଏପରିସ୍ଥଳେ ନୂଆପଡ଼ାରେ ପ୍ରଚାର ସାମଗ୍ରୀ, ଅନଧିକୃତ ଗାଡ଼ି ଓ ବ୍ୟକ୍ତିମାନଙ୍କୁ ତୁରନ୍ତ ନିର୍ବାଚନୀ ଅଞ୍ଚଳରୁ ବାହାର କରିବା ସହିତ ପକ୍ଷପାତ କରୁଥିବା ଅଧିକାରୀଙ୍କୁ ଦାୟିତ୍ୱରୁ ଦୂରେଇ ରଖିବା ପାଇଁ ବିଜେଡି ଦାବି କରିଛି । ବିଜେଡିର ଏହି ପ୍ରତିନିଧିମାଣ୍ଡଳୀରେ ସୁଲତା ଦେଓ, ଡ. ଲେନିନ୍ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ, ମିହିର ରାୟ, ନାରାୟଣ ଜେନା, ଇଲ୍ଲା ସ୍ୱାଇଁ, ଅଂଶୁ ତ୍ରିପାଠୀ, ସୋଫିଆ ଆଲମ୍, ଜ୍ୟୋତ୍ସ୍ନା ପରିଡ଼ା, ରିତାଞ୍ଜଳି ପ୍ରଧାନ ଓ ମୀନତି ବେହେରା ସାମିଲ ଥିଲେ ।










