16.1 C
Bhubaneswar
Tuesday, December 9, 2025
Homeଓଡିଶାବିଜେପି ସରକାରର ନିଯୁକ୍ତି ପ୍ରତିଶ୍ରୁତି ପ୍ରବଚନାପୂର୍ଣ୍ଣ

ବିଜେପି ସରକାରର ନିଯୁକ୍ତି ପ୍ରତିଶ୍ରୁତି ପ୍ରବଚନାପୂର୍ଣ୍ଣ

ଭୁବନେଶ୍ବର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ବିଜେପି ସରକାରର ନିଯୁକ୍ତି ପ୍ରତିଶ୍ରୁତି, ଫମ୍ପା ଓଡ଼ିଆ ଅସ୍ମିତା ଆହ୍ବାନ ଏବଂ ବିଜେପି ସରକାରର ଅଣ ଓଡ଼ିଆ ଠିକାଦାର ପ୍ରୀତି ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଥିଲେ ଯେ, ଡବଲ ଇଞ୍ଜିନ ସରକାରରେ ଅଣ ଓଡ଼ିଆ ଠିକାଦାର ପୁରସ୍କୃତ ଓ ଓଡ଼ିଆ ଠିକାଦାର ଉପେକ୍ଷିତ ଏବଂ ଓଡ଼ିଆ ଅସ୍ମିତା ଆହ୍ବାନର ମୂଲ୍ୟ କିଛି ନାହିଁ । ପୂର୍ବ ସରକାର ସରକାରୀ ନିର୍ମାଣ କାର୍ଯ୍ୟ ଏବଂ ଖଣି ଖାଦନ ଅଂଚଳରେ କେବଳ ଅଣ ଓଡ଼ିଆ ଠିକାଦାରଙ୍କୁ ସୁଯୋଗ ଦେଉଛି ବୋଲି କହି ନିର୍ବାଚନ ପୂର୍ବରୁ ବିଜେପି ଦଳ ଚିତ୍କାର କରୁଥିଲା । ମାତ୍ର ମୋହନ ସରକାର କେବଳ ଅଣ ଓଡ଼ିଆ ଠିକାଦାରଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ଏବଂ ଓଡ଼ିଆ ଠିକାଦାରଙ୍କ ଦାନାପାଣି ବନ୍ଦ କରିବାର ବ୍ୟବସ୍ଥା କରିସାରିଲାଣି। ଓଡ଼ିଶାର ସେରକାରି ନିର୍ମାଣ କାମରେ ୯୦ ପ୍ରତିଶତ ଅଣ ଓଡ଼ିଆ ଠିକାଦାର କାମ କରୁଛନ୍ତି।

ଓଡ଼ିଶା ସରକାରଙ୍କ ଗୃହ ଓ ସହରାଂଚଳ ବିକାଶ ବିଭାଗ ପକ୍ଷରୁ ୱାକୋ ଗତ ତା. ୨୩.୦୫.୨୦୨୫ ତାରିଖରେ ଭୁବନେଶ୍ଵର ପାଇଁ ୨୪ * ୭ ଜଳ ଯୋଗାଣ ଯୋଜନ ଏବଂ ସୁରେଜ ସିଷ୍ଟମ ପ୍ରକଳ୍ପ ନିମନ୍ତେ ଟେଣ୍ଡର ଆହ୍ୱାନ କରିଥିଲେ । ଏହି ଟେଣ୍ଡର ପ୍ରକ୍ରିୟାକୁ ନେଇ ଓଡ଼ିଆ ଠିକାଦାରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଛୋଟ ଛୋଟ ପ୍ରକଳ୍ପ ଗୁଡ଼ିକୁ ଏକାଠି କରି ଗୋଟିଏ ବଡ଼ ଯୋଜନା କରାଯାଇଛି । କେବଳ ଓଡ଼ିଆ ଠିକାଦାର କେମିତି ଏଥିରେ ଭାଗ ନେଇ ପାରିବେନି ସେଥ‌ିପାଇଁ ଷଡଯନ୍ତ୍ର ହୋଇଛି । ବଡ଼ ବଡ଼ ପ୍ରକଳ୍ପ କରିଦେବା ଫଳରେ ଓଡ଼ିଆ ଠିକାଦାର ମାନେ କ୍ରାଇଟେରିଆ ପୁରଣ କରିପାରିବେ ନାହିଁ । ସୁତରାଂ ନିଜ ରାଜ୍ୟର ସରକାରୀ ନିର୍ମାଣ କାର୍ଯ୍ୟରେ ଓଡ଼ିଆ ଠିକାଦାରମାନେ ଅଂଶ ଗ୍ରହଣ କରିପାରୁନାହାନ୍ତି । ତେବେ ଏ ସରକାର କଣ ଓଡ଼ିଆ ଠିକାଦାର ମାରଣ ନୀତି ଗ୍ରହଣ କରିଛନ୍ତି କି ? ମେଗା ଇଞ୍ଜିନିୟରିଂ, ଯୁବେରି, ମୋହନଗଡ଼ ପ୍ରଭୃତି ବହୁ ଅଣ ଓଡ଼ିଆ କମ୍ପାନୀ ଓଡ଼ିଶା ସରକାରଙ୍କୁ ପ୍ରଭାବିତ କରି ଉନ୍ନୟନ କାର୍ଯ୍ୟସବୁ ଦଖଲ କରିଛନ୍ତି । ସମ୍ବଲପୁର ସହରକୁ ଜଳ ଯୋଗାଣ ପାଇଁ ୱାକୋ ଜରିଆରେ ଅଣ ଓଡ଼ିଆ ଇଗଲ ଇଣ୍ଡିଆ ଇମ୍ଫା ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ୪୫୦ କୋଟି ଟଙ୍କାର କାମ ଦିଆଯାଇଛି। ସେହିଭଳି ପୁରୀ ସହରକୁ ଜଳ ଯୋଗାଣ ପାଇଁ ଅଣ ଓଡ଼ିଆ ଇନ୍‌ଭା ଇମ୍‌ଫ୍ରା ପ୍ରାଇଭେଟ ଲିମିଟେଡକୁ ୭୬ କୋଟି ଟଙ୍କାର କାର୍ଯ୍ୟାଦେଶ ମଧ୍ଯ ଦିଆଯାଇଛି ।

ସେହିଭଳି ଖଣି ଅଂଚଳରେ ଉତ୍ତୋଳନ ଓ ପରିବହନ କାର୍ଯ୍ୟରେ ମଧ୍ୟ ଅଣ ଓଡ଼ିଆଙ୍କ ପ୍ରାଧାନ୍ୟ ଓ ପାଦ୍ରୁଭାବ ବଢ଼ିଛି । ବିଶାଳ ଟ୍ରାନ୍‌ସ୍ପୋର୍ଟ, ଆର.ଜେ. ଲଜିଷ୍ଟିକ୍ (ରାକେଶ ଜୈସୁଆଲ) ପ୍ରଭାକରମ୍ ପ୍ରଭୃତି ଅଣ ଓଡ଼ିଆ କମ୍ପାନୀ ଓଡ଼ିଆଙ୍କ ରୋଜଗାର ବ୍ୟବସ୍ଥାକୁ ବନ୍ଦ କରି ଓଡ଼ିଆ ଅସ୍ମିତାର ଡିମ୍‌ଡିମ୍ ପିଟୁଥିବା ଓଡ଼ିଶା ସରକାରଙ୍କ ଗେଲାପୁଅ ସାଜିଛନ୍ତି । ସ୍ଥାନୀୟ ପରିବହନ ଓ ଭତ୍ତୋଳନ ସଂସ୍ଥାମାନେ ହାତବାନ୍ଧି ବସିଛନ୍ତି । ତ୍ରିବେଣୀ ଅର୍ଥ ମୁହରର ମାଲିକ୍ ପ୍ରଭାକରନ ଏବଂ ଆଣ୍ଡାଲ ଲଜିଷ୍ଟିକ୍‌ ଦୁଇଟି କମ୍ପାନୀକୁ ପ୍ରଭାକରନ ପରିଚାଳନା କରୁଛନ୍ତି । ବ୍ୟବସ୍ତୁ ଅଛି ଯେ ଯେଉଁ କମ୍ପାନୀ ଉତ୍ତୋଳନ କରିବ ସେ ପରିବ‌ହନ କରିପାରିବ ନାହିଁ । ତେଣୁ ଦୁଇଟି କମ୍ପାନୀ ମାଧ୍ୟମରେ ପ୍ରଭାକରନ୍‌ ସମସ୍ତ ଉତ୍ତୋଳନ ଓ ପରିବ‌ହନ ଜାର୍ଯ୍ୟକୁ ହାତେଇ ନେଉଛନ୍ତି । ଯେଉଁଠି ତ୍ରିବେଣୀ ଉତ୍ତୋଳନ କରୁଛି । ସେଇଠି ଆଣ୍ଡଲ ଲଜିଷ୍ଟିକ୍‌ ପରିବହନ କରୁଛି। ଅନ୍ୟ କେତେକ ସ୍ଥାନରେ ପ୍ରଭାକରନ ଉତ୍ତୋଳନ କରୁଥିବାବେଳେ ପରିହବନ କାର୍ଯ୍ୟ ଆର. କେ. ଲଜିଷ୍ଟିକ୍ କରୁଛି ।

ବାଠପାଣି, ବଡ଼ବିଲ ପ୍ରଭୂତି ରେଲୱେ ସାଇଡିଂରେ ଲୋଡିଂ ପାଇଁ ମେଟ୍ରିକ୍ ଟନ ପିଛା ୨୫ ଟଙ୍କା ଥିବାବେଳେ ଏବେ ୭୫ ଟଙ୍କା ଆଦାୟ କରାଯାଉଛି । ପ୍ରଶ୍ନ କରିବାରୁ କୁହାଯାଉଛି ଯେ ୫୦ ଟଙ୍କା ଉପରକୁ ଦିଆଯାଉଛି । ସେହିଭଳି ପରିବହନ କ୍ଷେତ୍ରରେ ମେଟ୍ରିକ୍‌ଟନ ପିଛା ବିଭିନ୍ନ ସେକ୍ଟରରେ ୧୦୦ ଟଙ୍କା ଲେଖାଏ ବଢ଼ାଯାଇଛି। ଯେଉଁଠି ମେଟ୍ରିକ୍‌ଟନ୍ ପିଛା ୬୫୦ ଥିଲା ସେଠି ୭୫୦ ଟଙ୍କା ଏବଂ ଯେଉଁଠି ୪୫୦ ଟଙ୍କା ଥିଲା ସେଠି ୫୫୦ ଟଙ୍କା ବଢ଼ିଛି। ସେହିଭଳି ବୁବୁନାସ୍ଥିତ ଏସ୍.ଆର. ଷ୍ଟିଲ ପ୍ଲାଣ୍ଟକୁ ସାଗାସାଇ ଖଣିରୁ ଲୁହା ପଥର ପରିବହନ କାର୍ଯ୍ୟ ଆର.କେ. ଲଜିଷ୍ଟିକ୍‌ ନେଇଛି । ଜିଲିଂ, ବାଂଶପାଣି, ତିରିଂ ପାହାଡ, ଖଣ୍ଡବନ୍ଧ, ଗୁଆଲି ପ୍ରଭୃତି ଓ.ଏମ୍.ସି. ଖଣିରୁ ଯେ କୌଣସି ଜାଗାକୁ ଲୁହାପଥର ପରିବହନ ହେଉଛି ତା’ର କାର୍ଯ୍ୟ ଆର.ଜେ. ଲଜିଷ୍ଟିକ୍ କରୁଛି । ସେହିଭଳି ସାଗାସାହିରେ ଆର.ଜେ. ଲଜିଷ୍ଟିକ୍ ୫୦ ପ୍ରତିଶତ ପରିବହନ କାର୍ଯ୍ୟକରୁଛି । କେ.ପି.ଏସ୍. ଲଜିଷ୍ଟିକ ସାଗାସାହି ଖଣିରୁ ମିତଲ ପ୍ଲାଣ୍ଟକୁ ୫୦ ପ୍ରତିଶତ ଓ ଆର୍ଯ୍ୟଲଜିଷ୍ଟିକ୍ ୫୦ ପ୍ରତିଶତ ପରିବହନ କାର୍ଯ୍ୟ କରୁଛନ୍ତି । ସୁତରାଂ ଏଠି ଓଡ଼ିଆ ଅସ୍ମିତାର ମାନେ କଣ ? କାରଣ ସରକାର ଅଣ ଓଡ଼ିଆ ମାନଙ୍କୁ ସଂପୂର୍ଣ ପ୍ରାଧାନ୍ୟ ଦେଉଛନ୍ତି ।

ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଲେ ବିଜେପି ସରକାରରେ ଓଡ଼ିଶାର ବେଜାର ଯୁବକ ଯୁବତୀ ପ୍ରତାରିତ ହୋଇଛନ୍ତି । ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଏବେ ୧୧ ଲକ୍ଷ ୪ ହଜାର ୨୨୯ ପଞ୍ଜିକୃତ ବେକାରୀ ଅଛନ୍ତି । ଓଡ଼ିଶାର ବେକାରୀ ହାର ୩.୯ ପ୍ରତିଶତ ଯାହା ଜାତୀୟ ବେକାରୀ ହାରଠୁ ଅଧିକ I ଜାତୀୟ ବେକାରୀ ହାର ୩.୨ ପ୍ରତିଶତ ଅଟେ । ଗ୍ରାମାଂଚଳ ବେକାରୀ ହାର ୩.୬ ପ୍ରତିଶତ ଥିବାବେଳେ ସରହରାଂଚଳରେ ତାହା ୬.୨ ପ୍ରତିଶତ ଅଟେ | ଏବେ ଓଡ଼ିଶାରେ ୧ ଲକ୍ଷ ୩୭ ହଜାର ୯୮୬ ପଞ୍ଜିକୃତ ବେକାର ଅଛନ୍ତି । ନିର୍ବାଚନ ଇସ୍ତାହାରରେ ବିଜେପି ଘୋଷଣା କରିଥିଲା ଯେ ୫ ବର୍ଷରେ ୩ ଲକ୍ଷ ୫୦ ହଜାର ନିଯୁକ୍ତି ଦେବ । ସେହି ଅନୁସାରେ ବର୍ଷକୁ ୭୦ ହଜାର ପଡ଼ୁଥିବାବେଳେ ଏବେ ସୁଧା ହଜାରଟି ନିଯୁକ୍ତି ମଧ୍ୟ ଦିଆଯାଇନାହିଁ । ସମୁଦାୟ ୫ ଲକ୍ଷ ୮୩ ହଜାର ଓଡ଼ିଶା ସରକାରୀ ପଦବୀରୁ ଏବେ ସୁଧା ୧ ଲକ୍ଷରୁ ଅଧୁକା ପଦବୀ ଖାଲି ପଡ଼ିଛି । ଓଡ଼ିଆ ଲୋକ ନିଯୁକ୍ତି ନ ପାଇ ରାଜ୍ୟ ବାହାରେ ଦାନ ଖଟୁଛନ୍ତି । ଏଠାରେ ଥିବା ଅଣଓଡ଼ିଆ ଶିଳ୍ପ ଓ ଶିଳ୍ପପତିମାନେ ଓଡ଼ିଶାର ଖଣଜି ସଂପଦ ଲୁଟ୍ କରୁଛନ୍ତି । କିନ୍ତୁ ଏହି କମ୍ପାନୀର ଧୂଳି ଓ ଧୂଆଁ ଖାଉଥିବା ଓଡ଼ିଆ ଲୋକଙ୍କୁ ନିଯୁକ୍ତି ନାହିଁ । ସୁତରାଂ ଓଡ଼ିଆ ଲୋକଙ୍କ ନିଯୁକ୍ତି ଦାବୀ ଓ ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କର ନିଯୁକ୍ତି ଓ କର୍ମସଂସ୍ଥାନ ପାଇଁ ସାରା ଓଡ଼ିଶାରେ ଯୁବ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ମନୋ ବିଷ୍ଣୁ, ଓ ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ନିହାର ବେହେରା ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking