15.1 C
Bhubaneswar
Thursday, January 15, 2026
Homeଓଡିଶାମହାନଦୀ ଜଳ ବିବାଦ ସମାଧାନ ପାଇଁ ଟି୍ରପଲ ଇଞ୍ଜିନ ବିଜେପି ସରକାରର ଆନ୍ତରିକତା ନାହିଁ: ବିଜେଡି

ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟି୍ରପଲ ଇଞ୍ଜିନ ବିଜେପି ସରକାରର ଆନ୍ତରିକତା ନାହିଁ: ବିଜେଡି

ଭୁବନେଶ୍ୱର:  ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ମାଧ୍ୟମରେ ଦେଇଥିବା ପ୍ରସ୍ତାବ ଉପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁଦେଓ ସାଏ ଦେଇଥିବା ଉତ୍ତର ଆସିବା ପରେ ବିଜୁ ଜନତା ଦଳ ତାର ପ୍ରତିକ୍ରିୟା ରଖିଛି । ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଛତିଶଗଡ଼ର ସରକାରଙ୍କ ଦ୍ୱାରା ମହାନଦୀର ଉପର ମୁଣ୍ଡରେ ଯେପରି ଭାବେ ଅନେକ ଗୁଡିଏ ବ୍ୟାରେଜ ନିର୍ମାଣ କରିବା ପରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ସରକାରଙ୍କ ଦ୍ୱାରା ପ୍ରତିବାଦ କରାଯାଇଥିଲା । ହେଲେ ସେତେବେଳର ଛତିଶଗଡ଼ର ରମଣ ସିଂଙ୍କ ନେତୃତ୍ୱାଧିନ ବିଜେପି ସରକାର କର୍ଣ୍ଣପାତ କରିନଥିଲେ । ପରେ ୨୦୧୬ ମସିହାରେ, ତକ୍ରାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଉମା ଭାରତୀଙ୍କ ମଧ୍ୟସ୍ଥତାରେ ତକ୍ରାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ତକ୍ରାଳୀନ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ରମଣ ସିଂ ଓ ଉଭୟ ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ହୋଇଥିଲା । କିନ୍ତୁ, ପରବର୍ତ୍ତୀ ସମୟରେ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଓ ଛତିଶଗଡ଼ ସରକାରଙ୍କ ସହଯୋଗ ନମିଳିବାରୁ, ଏହି ଜଳ ବିବାଦର ସମାଧାନ ଦିଗରେ ବିଶେଷ ଅଗ୍ରଗତି ହୋଇନଥିଲା । ଏହାପରେ, ଓଡିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶକ୍ରମେ ଏକ ଟ୍ରିବୁ୍ୟନାଲ ଗଠନ ହୋଇଥିଲା । ସେବେଠାରୁ ଏହି ମାମଲା ଟ୍ରିବୁ୍ୟନାଲରେ ବିଚାରାଧୀନ ରହିଛି ।

ଶ୍ରୀ ମିଶ୍ର ଆହୁରି କହିଥିଲେ, ଏବେ ଓଡିଶା, ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଆପୋଷ ଆଲୋଚନା ମାଧ୍ୟମରେ ଏହି ଜଳ ବିବାଦର ସମାଧାନ ସମ୍ଭବ ହେବ ବୋଲି ପୁଣିଥରେ ଏହାର ଆଲୋଚନା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୨୪, ୨୦୨୫ରେ ଏହି ପ୍ରସ୍ତାବିତ ଆପୋଷ ଆଲୋଚନାରେ କେଉଁ କେଉଁ ବିନ୍ଦୁରେ ଏହି ବିବାଦର ସମାଧାନ ପାଇଁ ଆଲୋଚନା କରାଯାଉଛି, ତାହା ରାଜ୍ୟର ସ୍ୱାର୍ଥର ପରିପନ୍ଥୀ ନୁହେଁ ତ ବୋଲି ପ୍ରଶ୍ନ କରିଥିଲେ । ଉଲ୍ଲେଖଯୋଗ୍ୟ, ଅଣ ମୌସୁମୀ ସମୟରେ, ଓଡିଶାକୁ ଆବଶ୍ୟକୀୟ ଜଳର ଆବଶ୍ୟକତା ରହିଛି ଓ ଏହା ବିନା ଓଡିଶା ଜଳ ସଙ୍କଟର ସମ୍ମୁଖୀନ ହେବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଜୁଲାଇ ୨୫ ତାରିଖରେ ଆପୋଷ ଆଲୋଚନା ପାଇଁ ଲେଖାଯାଇଥିବା ଚିଠିର ଉତ୍ତର ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ।

ଏହି ଚିଠିରେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଚିଠି ତାଙ୍କର ହସ୍ତଗତ ହୋଇଛି ଓ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆପୋଷ ଆଲୋଚନା ପ୍ରସ୍ତାବ ବିଚାରାଧୀନ ରହିଛି ବୋଲି ସେ ଲେଖିଛନ୍ତି । କିନ୍ତୁ, ଏହି ଆପୋଷ ଆଲୋଚନା ପ୍ରସ୍ତାବକୁ ସେ ସ୍ୱୀକାର କରୁଛନ୍ତି କି ନାହିଁ, ସେନେଇ ସେ କୌଣସି ସ୍ପଷ୍ଟୋକ୍ତି କରିନାହାନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ । ତେଣୁ ଏ ବିଷୟରେ ପ୍ରଥମେ ସ୍ପଷ୍ଟୋକ୍ତି ଆସିବା ଦରକାର ଓ ଏହାଛଡା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ ବିବାଦର ସମାଧାନ ପାଇଁ କେଉଁ କେଉଁ ଦିଗ ଗୁଡିକ ଉପରେ ଗୁରୁତ୍ୱ ଦିଆଯାଇଛି, ତାହା ମଧ୍ୟ ରାଜ୍ୟବାସୀଙ୍କ ସମ୍ମୁଖରେ ସ୍ପଷ୍ଟ ହେବା ଦରକାର ବୋଲି ଶ୍ରୀ ମିଶ୍ର କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking