25.1 C
Bhubaneswar
Thursday, February 12, 2026
Homeଓଡିଶାପଛୁଆବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବାକୁ ବିଜେପି ବଦ୍ଧପରିକର: ମନମୋହନ ସାମଲ

ପଛୁଆବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବାକୁ ବିଜେପି ବଦ୍ଧପରିକର: ମନମୋହନ ସାମଲ

ଭୁବନେଶ୍ୱର: ୨୦୨୪ ନିର୍ବାଚନବେଳେ ସଂକଳ୍ପପତ୍ରରେ ବିଜେପି ପଛୁଆବର୍ଗଙ୍କ ଉନ୍ନତି ସମ୍ପର୍କରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ବିଜେପି ରାଜ୍ୟରେ ସରକାର ଗଠନ କରିବାର ମାତ୍ର ୧୧ ମାସ ମଧ୍ୟରେ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ଐତିହାସିକ ନିଷ୍ପତି ନେଇଛି । ବିଜେପି ଦେଇଥିବା ପ୍ରତିଶୃତି ଆଧାରରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଓଡ଼ିଶାର ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ସେମାନଙ୍କର ନାର୍ଯ୍ୟ ହକ୍ ଦେବାକୁ ବିଜେପି ସରକାର ବଦ୍ଧପରିକର ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।ସାମଲ କହିଛନ୍ତି ଯେ, ରାଜ୍ୟରେ ପଛୁଆ ବର୍ଗଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏବେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯେଉଁମାନେ କ୍ରମାଗତଭାବେ ବର୍ଷ ବର୍ଷ ଧରି ଶାସନରେ ଥିଲାବେଳେ ପଛୁଆ ବର୍ଗଙ୍କ ସଂରକ୍ଷଣ ପାଇଁ କିଛି କରି ନଥିଲେ, ସେମାନେ ଏବେ ନାଟକ କରୁଛନ୍ତି । ଏହି ସଂରକ୍ଷଣକୁ ଲାଗୁ କରିବା ପାଇଁ ବିଜେଡି ଓ କଂଗ୍ରେସକୁ କିଏ ମନା କରିଥିଲା ଯେତେବେଳେ ସେମାନେ ରାଜ୍ୟରେ ସରକାରରେ ଥିଲେ । ଯେଉଁ ବିଜୁ ବାବୁଙ୍କ ନାଁରେ ବିଜୁ ଜନତା ଦଳ ତିଆରି ହୋଇଛି ସେହି ବିଜୁ ବାବୁ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ଯିଏ ପଛୁଆ ବର୍ଗ ସଂରକ୍ଷଣ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ । ଯେତେବେଳେ ମଣ୍ଡଳ କମିଶନ ରିପୋର୍ଟ ସଂସଦରେ ଆଗତ ହୋଇଥିଲା ସେତେବେଳେ ବିରୋଧ ଦଳର ନେତା ଦାୟିତ୍ୱରେ ଥିବା ରାଜୀବ ଗାନ୍ଧୀ ଏହାକୁ ବିରୋଧ କରିଥିଲେ । ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଥିବାରୁ ଉଭୟ ଦଳ ହତାଶ ହୋଇପଡ଼ିଛନ୍ତି ।

ସାମଲ କହିଛନ୍ତି ଯେ, ନିକଟରେ ଶିକ୍ଷା କ୍ଷେତ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେପି ସରକାର ନିଷ୍ପତି ନେଇସାରିଛନ୍ତି । ଉଚ୍ଚଶିକ୍ଷା, ଗଣଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସବୁ ଶିକ୍ଷାନୁଷ୍ଠାନରେ ନାମ ଲେଖାରେ ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣକୁ କ୍ୟାବିନେଟ ମୋହର ମାରିସାରିଛି । ଚାକିରୀ ଓ ଶିକ୍ଷାକ୍ଷେତ୍ରରେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅଛି । ମାତ୍ର ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ ସବୁ ସଂରକ୍ଷଣ ମିଶି ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ରାୟ ଶୁଣାଇଛନ୍ତି । ଏଣୁ ରାଜ୍ୟ ସରକାର ଅନୁସୁଚିତ ଜନଜାତି ପାଇଁ ୨୨.୫, ଅନୁସୁଚିତ ଜାତି ୧୬.୨୫, ଦିବ୍ୟାଙ୍ଗ ୫ ଓ ସେନାବାହିନୀ ପରିବାର ପାଇଁ ୧ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି । ୫୦ ପ୍ରତିଶତରୁ କମ୍ ନିୟମ ଆଧାରରେ ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଏହାକୁ ବିରୋଧୀ ଦଳ ସହ୍ୟ କରିପାରୁନାହାନ୍ତି ।

ବିଜେଡି ରାଜ୍ୟରେ ୨୪ ବର୍ଷ ଶାସନ କଲା । କଂଗ୍ରେସ କେନ୍ଦ୍ର ଓ ରାଜ୍ୟରେ ସର୍ବାଧିକକାଳ ଶାସନ କଲା । ମାତ୍ର ପଛୁଆବର୍ଗଙ୍କ ପାଇଁ କୌଣସି କାର୍ଯ୍ୟ କରି ନ ଥିଲେ । ୨୦୧୧ ମସିହାରେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲାବେଳେ ସୋସିଓ-ଇକୋନୋମିକ କାଷ୍ଟ ସେନ୍ସସ ହୋଇଥିଲା । ଏହି ସମୟରେ ଅନୁସୁଚିତ ଜାତି ଓ ଜନଜାତିର ପ୍ରତିଶତ ସାର୍ବଜନୀନ କରାଗଲା, ମାତ୍ର ଅନ୍ୟାନ୍ୟ ପଛୁଆବର୍ଗଙ୍କ ରିପୋର୍ଟ ପ୍ରକାଶ ନ କରି ଏହି ବର୍ଗ ପ୍ରତି ବୈମାତୃକ ମନୋଭାବ କ’ଣ ପାଇଁ ଦେଖାଇଥିଲା? ସେହିପରି ବିଜେଡି ସରକାର ୨୦୨୨ ପଂଚାୟତ ନିର୍ବାଚନରେ ବହୁ ଆଗରୁ ପଛୁଆବର୍ଗଙ୍କୁ ଦିଆଯାଉଥିବା ସଂରକ୍ଷଣକୁ ବନ୍ଦ କରିଦେଇଥିଲେ । ଏଥିରୁ ସ୍ପଷ୍ଟ ଯେ, ଉଭୟ ବିଜେଡି ଓ କଂଗ୍ରେସର ଓବିସି ସମାଜ ପାଇଁ ଆଦୌ ନିଷ୍ଠା ନାହିଁ । ରାଜ୍ୟ ବିଜେପି ସରକାରଙ୍କ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ପ୍ରାରମ୍ଭିକ ଭାବେ ସଂରକ୍ଷଣ ଘୋଷଣା ପରେ ସତେ ଯେମିତି ବିଜେଡି ଓ କଂଗ୍ରେସର ମୁଣ୍ଡ ଖରାପ ହୋଇଯାଇଛି ।

ବିଜେପି ସ୍ଫଷ୍ଟ କରିବାକୁ ଚାହେଁ, ମେଡିକାଲ, ଟେକ୍ନିକାଲ ଏବଂ ସ୍କିଲ କ୍ଷେତ୍ରର ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରାରମ୍ଭିକ ଭାବେ ୧୧.୨୫ ସ୍ଥାନ ସଂରକ୍ଷଣ ଦେବାକୁ ପ୍ରତିଶୃତିବଦ୍ଧ । ବିଜେଡିକୁ ଆମର ପ୍ରଶ୍ନ, ପଛୁଆବର୍ଗର ସଂରକ୍ଷଣରୁ ୫୦ ପ୍ରତିଶତ ସୀମାକୁ କୋହଳ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟରେ ଅକ୍ଟୋବର ୨୦୧୭ରେ ହୋଇଥିବା ସ୍ପେଶାଲ ଲିଭ ପିଟିସନ (ଏସ୍‌ଏଲପି) ମାମଲାରେ ବିଜେଡି ଠିକ୍‌ଭାବେ ଲଢ଼ି ନଥିଲା କାହିଁକି? ଖଣି ମାଲିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦୈନିକ କୋଟିକୋଟି ଟଙ୍କା ଖର୍ଚ୍ଚରେ ନାମୀଦାମୀ ଓକିଲ ବିଜେଡି ସରକାର ଲଗାଇଥିଲା, ମାତ୍ର ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ମାମଲା କରି ଚୁପ ବସିଥିଲା କ’ଣ ପାଇଁ ? ମୋଦି ସରକାର ଜାତି ଆଧାରରେ ଜନଗଣନା କରୁଛନ୍ତି ଏବଂ ମୋହନ ସରକାର ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଉଛନ୍ତି । ଉଭୟ କଂଗ୍ରେସ ଓ ବିଜେଡି ରାଜ୍ୟର ଜନସାଧାରଣଙ୍କୁ ବୋକା ଭାବି ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେଥିରୁ ଦୂରେଇ ରହିବାକୁ ଶ୍ରୀ ସାମଲ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking