ଭୁବନେଶ୍ୱର: ଗତକାଲି ଭାରତୀୟ ଗଣତନ୍ତ୍ରକୁ ପତନରୁ ବଞ୍ଚାଇବା ପାଇଁ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ମହାନ ଉଦ୍ୟମ ଥିଲା ଏବଂ ଭାରତୀୟ ଗଣତନ୍ତ୍ରରେ ଏହି ଦିନ ଐତିହାସିକ ହୋଇ ସବୁ ଦିନ ପାଇଁ ସ୍ଥାନ ପାଇବ । ଗତକାଲି ଅଖିଳ ଭାରତ କଂଗ୍ରେସ କମିଟି ଅଫିସଠାରେ ରାହୁଳ ଗାନ୍ଧୀ ଭୋଟ ଚୋରୀ କେମିତି ନିର୍ବାଚନ ଆୟୋଗ କରିଛନ୍ତି ତାହାକୁ ନେଇ ବିସ୍ଫୋରଣ କରିଥିଲେ । ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମଙ୍କ ସମ୍ମୁଖରେ ଭାରତୀୟ ନିର୍ବାଚନ ଆୟୋଗ କିଭଳି “ଭୋଟ ଚୋରୀ” ମାଧ୍ୟମରେ ବିଜେପିକୁ କ୍ଷମତାସୀନ କରିଛନ୍ତି ତାହା ସମ୍ପୂର୍ଣ ତଥ୍ୟ ଏବଂ ପ୍ରମାଣ ସହ ପ୍ରାୟ ୧ ଘଣ୍ଟାରୁ ଉର୍ଧ୍ଵ ସମୟ ଧରି ବର୍ଣ୍ଣନା କରିଥିଲେ । ନିର୍ବାଚନ ଆୟୋଗଙ୍କ ଏହି ଭୋଟ ଚୋରୀ ପରିପେକ୍ଷୀରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ନେତା ବିପକ୍ଷ ରାହୁଳ ଗାନ୍ଧୀଙ୍କ ତଥ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଭୋଟ ଚୋରୀ ବିଷୟରେ ତାର୍କିକ ବିବରଣୀ ପ୍ରଦାନ କରିଥିଲେ ।
ପିସିସି ସଭାପତି ଦାସ କହିଲେ, ଯଦି ଏଭଳି ଭୋଟ ଚୋରୀ ମାଧ୍ୟମରେ ସରକାର ଗଠନ ହୁଏ ତେବେ ଭୋଟର ମର୍ଯ୍ୟାଦା ହାନୀ ହେବା ସହ ସରକାର ଲୋକଙ୍କ ପ୍ରତି ଉତ୍ତରଦାୟୀ ହେବେ ନାହିଁ । ଲୋକମତ ଚୋରୀ କରି କ୍ଷମତାକୁ ଆସିଥିବା ବ୍ୟକ୍ତି କେବେ ଗଣତାନ୍ତ୍ରିକ ବ୍ୟବହାର କରି ପାରିବ ନାହିଁ । ଗତ ଲୋକସଭା ନିର୍ବାଚନରେ ବିଜେପି ସମ୍ପୂର୍ଣ ହାରିବା ସ୍ଥିତିରେ ଥିଲା ଯଦି ବିହାରରେ ଜେଡିୟୁ, ଆନ୍ଧ୍ରରେ ଟିଡିପି ଏବଂ ଓଡିଶାରେ ବିଜେଡି ସୁପ୍ରିମୋ ସାଲିସ କରି ନ ଥାନ୍ତେ ତେବେ ଦିଲ୍ଲୀରେ ଇଣ୍ଡିଆ ଗଟବନ୍ଧନ ସରକାର କ୍ଷମତାକୁ ଅସିଥାନ୍ତା । ମହାରାଷ୍ଟ୍ରରେ ଗୋଟିଏ କୋଟି ଭୋଟ ଚୋରୀ କରାଯାଇଛି । ସମସ୍ତ ଏକଜିଟ ପୁଲ, ଜନମତ ଏବଂ ରାଜନୈତିକ ଗତି ମିଥ୍ୟା ସାବ୍ୟସ୍ତ ହେଲା ଏବଂ ବିଜେପି ମହାରାଷ୍ଟ୍ରରେ ବିଜୟ ଲାଭ କଲା । ଏହା କେବଳ ସମ୍ଭବ ହୋଇଛି ନିର୍ବାଚନ ଆୟୋଗଙ୍କ ଭୋଟ ଚୋରୀ ମାଧ୍ୟମରେ ।
ଓଡିଶା ସଂସଦୀୟ ନିର୍ବାଚନ ପରେ ୪୨ ଲକ୍ଷ ଅଧିକ ଭୋଟ ପଡ଼ିଥିବା କଥା ବିଶିଷ୍ଟ ସାମ୍ବାଦିକ ପୁଣ୍ୟ ପ୍ରସୂନ ବାଜପେୟୀ ବାରମ୍ବାର ଉପସ୍ଥାପନ କରିଥିଲେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଆୟୋଗ ନେଇ ନଥିଲେ । ଆଶ୍ଚର୍ଯ୍ୟର କଥା ବିଜେଡି ୫୧ ଗୋଟି ବିଧାନସଭା ଆସନ ଜିତିଥିଲେ କିନ୍ତୁ ଗୋଟାଏ ଲୋକସଭା ଆସନ ମଧ୍ୟ ଜିତି ପାରିଲେ ନାହିଁ । ଏହା ଅସମ୍ଭବ । ଧନ୍ୟବାଦ ରାହୁଳ ଗାନ୍ଧୀ ଯିଏ କି ବିଗତ ବର୍ଷ ବର୍ଷ ଧରି ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ସତ ସାହସ ଦେଖାଇଛନ୍ତି ଏବଂ ଭୋଟ ଚୋରୀ ରହସ୍ୟ ଜନତାଙ୍କ ଆଗରେ ଉଜାଗର କରିଛନ୍ତି । ନିର୍ବାଚନ କମିଶନ କେମିତି ଭୋଟ ଚୋରୀ ମାଧ୍ୟମରେ ଲୋକଙ୍କ ସହିତ ବିଶ୍ୱାସଘାତ କରି ବିଜେପିକୁ କ୍ଷମତାସୀନ କରିଛି ଏସବୁ ବିଷୟରେ କଂଗ୍ରେସ ଆସନ୍ତା ସୋମବାର ପ୍ରତ୍ୟେକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ଜଣାଇବା ସହିତ ଗ୍ରାମ ଗ୍ରାମରେ ଭୋଟ ଚୋରୀ ବିଷୟରେ ଲୋକଙ୍କୁ ସଚେତନ କରାଯିବ । ରାହୁଳ ଗାନ୍ଧୀଙ୍କ ଗଣତନ୍ତ୍ର ବଞ୍ଚାଇବା ସତସାହସକୁ ଏକ ବିରାଟ ଆନ୍ଦୋଳନର ରୂପ ଦିଆଯିବ ବୋଲି ସଭାପତି ଦାସ କହିଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନିଜ ବକ୍ତବ୍ୟରେ କହିଲେ ଯେ, ଆମେ ଜିନିଷ ପତ୍ର ଚୋରୀ ହେବା ଶୁଣିଛୁ ଏବଂ ଦୀର୍ଘ ଦଶନ୍ଧି ହେବ ଗଣତାନ୍ତ୍ରିକ ରାଜନୀତିରେ ଅଛୁ କିନ୍ତୁ ଏଭଳି ଭୋଟ ଚୋରୀ କାର୍ଯ୍ୟ ଆମେ କେବେ ଶୁଣି ନ ଥିଲୁ । ରାହୁଳ ଗାନ୍ଧୀ ତଥ୍ୟ ପ୍ରମାଣ ସହ ନିର୍ବାଚନ ଆୟୋଗଙ୍କ ଭୋଟ ଚୋରୀର ପର୍ଦାଫାଶ ପାଇଁ ଯେଉଁ ସାହାସିକତା ପ୍ରଦର୍ଶନ କରିଛନ୍ତି ସେଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ । ରାହୁଳ ଗାନ୍ଧୀ ନିର୍ବାଚନ ଆୟୋଗଙ୍କୁ ଭୋଟର ଲିଷ୍ଟର ଡିଜିଟାଲ ଡାଟା ଏବଂ ସିସିଟିଭି ଫୁଟେଜ ପ୍ରଦାନ କରିବା ପାଇଁ ଲିଖିତ ଭାବରେ ଅନୁରୋଧ କରିଥିଲେ କିନ୍ତୁ ଆୟୋଗ ପ୍ରଦାନ କରି ନଥିଲେ । ଯଦି ନିର୍ବାଚନ ଆୟୋଗ ଦୋଷୀ ନୁହନ୍ତି ତେବେ ଡାଟା ଏବଂ ଫୁଟେଜ ପ୍ରଦାନ କଲେ ନାହିଁ କାହିଁକି? ପୁଣି ଭୋଟ ଚୋରୀ ପର୍ଦାଫାଶ କରିବା ପରେ ମହାରାଷ୍ଟ୍ର ସମେତ ଚାରି ଗୋଟି ରାଜ୍ୟର ନିର୍ବାଚନ ଆୟୋଗଙ୍କ ୱେବ ସାଇଟରୁ ଭୋଟର ବିଭାଗ ଡିଲିଟ କରି ଦେଲେ କାହିଁକି ? ଏସବୁରୁ ସ୍ପଷ୍ଟ ଜଣାପଡୁଛି ନିର୍ବାଚନ ଆୟୋଗ ଭୋଟ ଚୋରୀ କରି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ପୂର୍ଣ ଜଳାଞ୍ଜଳି ଦେଇଛନ୍ତି । କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସହ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଯୋଗ ଦେଇଥିଲେ ।










