27.1 C
Bhubaneswar
Friday, September 27, 2024
Homeଓଡିଶାରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେଡି

ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେଡି

– ବିଜେଡି ରାଜ୍ୟ ସାଙ୍ଗଠନିକ କର୍ମକର୍ତ୍ତା ଓ ଜିଲ୍ଲା ସଭାପତି ବୈଠକରେ ସଭାପତି ନବୀନ ପଟ୍ଟନାୟକଙ୍କ ଘୋଷଣା
– ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ଭୁୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା ଓ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀ ଠାରୁ ବିଜୁ ଜନତା ଦଳର ସଭ୍ୟ ଗ୍ରହଣ ଅଭିଯାନ ଆରମ୍ଭ ହେବ ଓ ଏହା ଦୁଇ ମାସ ଧରି ଚାଲିବ ବୋଲି ଆଜି ବିଜୁ ଜନତା ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଆଜି ଶଙ୍ଖ ଭଵନ ଠାରେ ବିଜେଡି ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ଓ ଜିଲ୍ଲା ସଭାପତି ବୈଠକ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଶେଷ ହେବା ପରେ ଦଳର ବରିଷ୍ଠ ନେତା ତଥା, ସମନ୍ଵୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର ଉପଦେଷ୍ଟା ମଣ୍ଡଳୀର ସଂଯୋଜକ ପ୍ରସନ୍ନ ଆଚାର୍ଯ୍ୟ, ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ସଂଯୋଜକ ଶ୍ରୀ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ କମିଟିର ସଂଯୋଜକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ସାମ୍ବାଦିକ ସମ୍ମିଳନୀରେ ଆଜିର ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ସୂଚନା ଦେଇଥିଲେ।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ତାଙ୍କର ଅନୁମତି ପ୍ରଦାନ କରିଛନ୍ତି, ତାହା ଅକ୍ଟୋବର ୯, ଗୋପବନ୍ଧୁ ଜୟନ୍ତୀ ଦିନରୁ ଆରମ୍ଭ ହେବ ଓ ଏହା ଦୁଇ ମାସ ଧରି ଜାରି ରହିବ। ତାଛଡ଼ା, ପ୍ରତିବର୍ଷ ପରି ବିଜେଡି ତରଫରୁ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ପଦଯାତ୍ରା ଦୁଇ ସ୍ତରରେ ଆୟୋଜନ ହେବ। ପ୍ରଥମ ସ୍ତରରେ, ଅକ୍ଟୋବର ଦୁଇ ତାରିଖରେ ଆରମ୍ଭ ହେଉଥିବା ପଦଯାତ୍ରା ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି, ଦ୍ଵିତୀୟ ସ୍ତରର ପଦଯାତ୍ରା କାର୍ଯ୍ୟକ୍ରମ, ଅକ୍ଟୋବର ୨୧ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଏହି ପଦଯାତ୍ରାରେ ବିଜେଡି ତରଫରୁ ବିଭିନ୍ନ ଲୋକଙ୍କ ସମସ୍ୟାକୁ ଉତଥାପନ କରିବୁ। ବିଜେପି ସରକାର ଶହେ ଦିନ ପୂରଣ କରିଥିଲେ ମଧ୍ୟ ଏହି ସମୟ ଭିତରେ ଲୋକଙ୍କର ଅନେକ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛନ୍ତି। ସରକାରଙ୍କ ଭିତରେ ସମନ୍ଵୟର ଘୋର ଅଭାବ ଦେଖିବାକୁ ମିଳୁଛି। ସକାଳେ ନେଇଥିବା ଗୋଟିଏ ନିଷ୍ପତ୍ତି ସନ୍ଧ୍ୟା ବେଳକୁ ପରିବର୍ତ୍ତନ ହୋଇ ଯାଉଛି। ବିଜେଡି ଏ ସରକାରର ବିଫଳତାକୁ ପଦଯାତ୍ରା ଜରିଆରେ ଲୋକ ଲୋଚନକୁ ଆଣିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ସମୟରେ ଓଡିଶାର ଆଇନ ଶୃଙ୍ଖଳା ସ୍ଥିତିରେ ଦ୍ରୁତ ଅବନତି ଘଟିଛି, ଯେଉଁ କାରଣରୁ ରାଜ୍ୟସହ ଚୁକ୍ତିବଦ୍ଧ ହୋଇଥିବା ଶିଳ୍ପ ଅନୁଷ୍ଠାନ ମାନେ ରାଜ୍ୟରୁ ବିଦାୟ ନେବାକୁ ଗୋଡ଼ କାଢ଼ିଲେଣି। ସେହିପରି ଦଳର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ସଂଯୋଜକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ରୋଡ଼ମ୍ୟାପ ପ୍ରସ୍ତୁତ ଚାଲିଛି। ବର୍ତ୍ତମାନର ସରକାର ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛନ୍ତି ଓ ଅନେକ ପ୍ରତିଶ୍ରୁତି ପାଳନ ନକରି ଚଞ୍ଚକତା କରୁଛନ୍ତି । ସଭ୍ୟ ସଂଗ୍ରହ ଅଭିଯାନରେ ଯୁବ ବର୍ଗଙ୍କୁ ଅଧିକ ଗୁତୁତ୍ୱ ଦିଆଯିବ ବୋଲି ଶ୍ରୀ ନାୟକ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking