ମୁଦ୍ରାସ୍ପୀତି ବୃଦ୍ଧିରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ
ମୁଦ୍ରାସ୍ପୀତି ବୃଦ୍ଧିରେ ପ୍ରଥମ ୮ଟି ରାଜ୍ୟ ମଧ୍ୟରୁ ୭ଟି ବିଜେପି ଶାସିତ ରାଜ୍ୟ
ଗ୍ରାମାଞ୍ଚଳରେ ମୁଦ୍ରାସ୍ପୀତି ଉତ୍କଟ
ଭୁବନେଶ୍ୱର, : ଅତ୍ୟାବଶକୀୟ ଜିନିଷର ଅହେତୁକ ଦରବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହି ବିଜେଡି ଆଜି ବିଜେପି ସରକାର ଉପରେ ବର୍ଷିଛି। ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା, ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା ଓ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଦଳର ଯୁବ ସଭାପତି ଶ୍ରୀ ବ୍ୟୋମକେଶ ରାୟ ଏହି ଅହେତୁକ ଦରବୃଦ୍ଧି ବିରୋଧରେ ଆସନ୍ତା ଜାନୁଆରୀ ୬, ୨୦୨୫ ତାରିଖ ଦିନ ଲୋକସେବା ଭବନ ସମ୍ମୁଖରେ ଏକ ଗଣବିକ୍ଷୋଭ କରାଯିବ ବୋଲି ସୂଚନା ଦେଇଥିଲେ।
ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଡବଲ ଇଞ୍ଜିନ ଡବଲ ବିକାଶର ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମୁଦ୍ରାସ୍ପୀତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିୟମିତ ଭାବେ କମି ଚାଲିଥିବା ବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତ୍ତେ ବଢ଼ି ଚାଲିଛି। ମୁଦ୍ରାସ୍ପୀତି ବୃଦ୍ଧିର କିଛି ତଥ୍ୟ ଦେଇ ଶ୍ରୀ ମିଶ୍ର କହିଥିଲେ, ଖୁଚୁରା ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୫.୪୮ ପ୍ରତିଶତକୁ ଛୁଇଁଛି, ଯାହା ଗତ ୯ ମାସରେ ସବୁଠାରୁ ଅଧିକ। ସେହିପରି, ଖାଦ୍ୟ ସାମଗ୍ରୀ ଗୁଡିକର ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୯.୪ ପ୍ରତିଶତ ରହିଛି, ଯାହା ମଧ୍ୟ ସର୍ବାଧିକ। ପନିପରିବା ଦର ଗତ ଅଗଷ୍ଟ ମାସରେ ୩୫.୯୯ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ପୀତି ମଧ୍ୟ ୬.୬୮ ପ୍ରତିଶତକୁ ଛୁଇଁଛି । ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଦରଦାମ ବୃଦ୍ଧି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ତରଫରୁ ଏହାକୁ ରୋକିବା ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳୁନାହିଁ। ଏଣୁ ଏହି ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଆସନ୍ତା ଜାନୁଆରୀ ୬, ୨୦୨୫ ତାରିଖ ଦିନ ସଚିବାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ।
ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା କହିଥିଲେ, ଦରଦାମ ବୃଦ୍ଧି ସମସ୍ୟା ଏତେ ଉତ୍କଟ ହୋଇଛି ଯେ ଗ୍ରାମାଞ୍ଚଳରେ ଆଜି ପରିବା କିଣିବାକୁ ଗଲେ ହଜାର ଟଙ୍କାର ପରିବା ଆଣିଲେ ମଧ୍ୟ ନିଅଌକ୍ଷଗ୍ଧ; ପଡୁଛି। ଅତ୍ୟାବଶକୀୟ ଜିନିଷର ଦରବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ତରଫରୁ ଲୋୟର ପିଏମଜିରୁ ଗଣବିକ୍ଷୋଭ ଆରମ୍ଭ ହୋଇ ଲୋକସେବା ଭବନ ସମ୍ମୁଖରେ ଗଣବିକ୍ଷୋଭ ଆୟୋଜନ ହେବ।
ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦରବୃଦ୍ଧି ଶୀର୍ଷରେ ପହଁଚିଛି। ଆଳୁ, ପିଆଜ, ରସୁଣ, ଖାଇବା ତେଲ ଓ ଡାଲି ଜାତୀୟ ଜିନିଷର ଦରବୃଦ୍ଧି ଆକାଶଛୁଆଁ ହୋଇଛି। ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହି ଦରଦାମକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ, ନଚେତ ଜାନୁଆରୀ ୬, ୨୦୨୫ ତାରିଖ ଗଣବିକ୍ଷୋଭ ପରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ଦାସବର୍ମା ଚେତାବନୀ ଦେଇଥିଲେ।
ସେହିପରି ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ଅହେତୁକ ଦରବୃଦ୍ଧି ଯୋଗୁଁ ରାଜ୍ୟର ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳାଙ୍କ ହାଣ୍ଡିଶାଳକୁ ଗୋଇଠା ମାରିଛନ୍ତି ରାଜ୍ୟ ସରକାର। ଓଡ଼ିଶାର ମୁଦ୍ରାସ୍ପୀତି ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ଜଣେ ସାଧାରଣ ମହିଳା ଆଜି ଏହି ଦରଦାମ ବୃଦ୍ଧି ଯୋଗୁଁ ତା’ର ପରିବାର ଚଳାଇବା ପାଇଁ ଓ ନିତ୍ୟ ଆବଶକୀୟ ଜିନିଷ ପ୍ରଦାନ କରିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛି।
ବିଜେଡି ବିଧାୟକ ଓ ଦଳର ଯୁବ ସଭାପତି ଶ୍ରୀ ବ୍ୟୋମକେଶ ରାୟ କହିଥିଲେ, ଓଡିଶାର ମୁଦ୍ରାସ୍ପୀତି ୬.୭୮ ପ୍ରତିଶତ ରହିଥିବା ବେଳେ, ଏହା ଦେଶର ସମସ୍ତ ରାଜ୍ୟ ମାନଙ୍କ ତୁଳନାରେ ତୃତୀୟ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ଦେଶର ରାଜ୍ୟ ମାନଙ୍କ ଭିତରେ ମୁଦ୍ରାସ୍ପୀତି ବୃଦ୍ଧି ତାଲିକାରେ ପ୍ରଥମ ୮ଟି ରାଜ୍ୟ ମଧ୍ୟରେ ୭ଟି ବିଜେପି ଶାସିତ ରାଜ୍ୟ ରହିଛନ୍ତି। ରାଜ୍ୟରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ପୀତି ଉତ୍କଟ ହୋଇଛି ।