17.1 C
Bhubaneswar
Friday, January 10, 2025
Homeଓଡିଶାବିଧାନସଭାରେ ବିଜେଡି ବନାମ ବିଜେପି ; ଅରୁଣଙ୍କ ଜ୍ଞାନ, ବାବୁଙ୍କ ବାଣ

ବିଧାନସଭାରେ ବିଜେଡି ବନାମ ବିଜେପି ; ଅରୁଣଙ୍କ ଜ୍ଞାନ, ବାବୁଙ୍କ ବାଣ

ଭୁବନେଶ୍ୱର : ବିଧାନସଭା ଗୃହରେ ବିଜେଡି ବନାମ ବିଜେପି । ଡ. ଅରୁଣ ସାହୁ ବନାମ ବାବୁ ସିଂ। ଅରୁଣଙ୍କ ଆକ୍ରମଣର ପ୍ରତିଆକ୍ରମଣ ସହଜ ସରଳ ଢଙ୍ଗରେ ଦେଲେ ବାବୁ । ହସ, ଥଟ୍ଟା, ତାମ୍‌ସାରେ ଫାଟି ପଡ଼ିଲା ଗୃହ । ଉଭୟଙ୍କ ଜବାବ ସୁଅରେ ଭରି ରହିଥିଲା ବ୍ୟଙ୍ଗରସ । ଅମେ ଅଳ୍ପ ମାର୍କରେ ପାସ୍‌ କରିଛୁ । ତୁମେ ଭଲ ମାର୍କ ରଖିଛ । ମନ ଦେଇ ପଢ଼ । ବେଷ୍ଟଟେନଥ ପାଅ। ବିଧାନସଭାକୁ ଆସୁଛ ମାନେ ପଢ଼ାପଢ଼ି କର। ନ ହେଲେ ଆଗକୁ ଫେଲ୍ ହେଇଯିବ। ଅରୁଣ ଭାଇ ମୋର ଭଲ କଥା କହିଲେ । ଭାଇଙ୍କ ପ୍ରବଚନ ଦେବା ଅଭ୍ୟାସ ଅଛି । ବହୁତ ଜ୍ଞାନ ବାଣ୍ଟିଲ । ଆଉ ଗୃହରେ ଜ୍ଞାନ ବାଣ୍ଟନି। ଏତିକି ଜ୍ଞାନ ଆଗରୁ ତୁମ ଦଳକୁ ଦେଲାନି ? ଓଡ଼ିଶା ଆଜି କେତେ ଆଗେଇ ଥାଆନ୍ତା କହିଲ ? କହିଲେ ବିଧାୟକ ବାବୁ ସିଂ । ଥଟ୍ଟାରେ, ବ୍ୟଙ୍ଗରେ କହୁ କହୁ ଦୁହେଁ କହିଲେ ଏମିତି ଅନେକ କଥା। ଦୁଇ ଦଳର ଖୋଳିଲେ ଗୋଇ । ଆଉ ଏଥିରେ ମଜା ନେଉଥିଲେ ଶାସକ ଓ ବିରୋଧୀ ଦଳର ନୂଆ ସଦସ୍ୟ।
ତେବେ ବିଧାନସଭାରେ ଲେଖାନୁଦାନ ବ୍ୟୟମଞ୍ଜୁରୀ ବିଲ ମୁଖ୍ୟମନ୍ତ୍ରୀ ଆଗତ କରିବା ପରେ ବିରୋଧୀ ଦଳ ପକ୍ଷରୁ ଅରୁଣ ଆଲୋଚନା ଆରମ୍ଭ କରିଥିଲେ। ସେ କହିଲେ, ରାଜ୍ୟପାଳଙ୍କ ଭାଷଣରେ ମିଛ ଗୋଲାପୀ ଚିତ୍ର, କେନ୍ଦ୍ର ବଜେଟରେ ଅବହେଳା ଏବଂ ରାଜ୍ୟ ବଜେଟରେ ବାଧ୍ୟବଧ୍ୟକତାର ନାରଙ୍ଗୀ ଚିତ୍ର ଦେଖିବାକୁ ମିଳିଛି। “ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା” ପାଇଁ ୨୦୧୪ରେ ବିଜେପି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଏନଡିଏକୁ ଆନ୍ଧ୍ର ୧୬ ଏମପି ଓ ବିହାର ୧୨ ଏମପି ଦେଇ ସ୍ୱତନ୍ତ୍ର ସହାୟତା ନେଇଗଲେ । ଓଡ଼ିଶା ୨୦ ଏମପି ଦେଲା । ମାତ୍ର କାହିଁକି ସ୍ବତନ୍ତ୍ର ପ୍ୟାକେଜ୍ ମିଳିଲାନି ଗୃହକୁ ଜଣାନ୍ତୁ ସରକାର । ସଂଘୀୟ ବ୍ୟବସ୍ଥାରେ କାହିଁକି ଏ ପାତର ଅନ୍ତର କାହିଁକି?
ଡ.ସାହୁ କହିଲେ, ଓଡ଼ିଶା ଦୁଇଟି ସୁଯୋଗ ହାତଛଡ଼ା କରିଛି। ୧୯୯୭ରେ ଯଦି ଅଧିକ ଏମପି ଏଠୁ ଯାଇଥାନ୍ତେ ବିଜୁ ବାବୁ ପ୍ରଧାନମନ୍ତ୍ରୀ ହୋଇଥନ୍ତେ । ଚଳିତ ଥର ଯଦି ବିଜେଡିରୁ ୧୦/୧୨ ଏମପି ଦିଲ୍ଲୀ ଯାଇଥାନ୍ତେ ପାଣ୍ଠି ବର୍ଷା ହୋଇଥାନ୍ତା । ବିରୋଧୀ ବିଧାୟକ ଟେବୁଲ ବାଡ଼େଇ ସମର୍ଥନ କଲେ। ଶାସକ ଦଳ ହସରେ ଉଡ଼ଇଲେ। ସେ କହିଲେ, ବିପର୍ଯ୍ୟୟ ପରିଚାଳନାରେ ଆମେ ଆଜି ଦେଶରେ ମଡେଲା।
କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ୨୦୦୦ ମସିହାରେ ରାଜ୍ୟର ବଜେଟ୍ ଥିଲା ୧୧ ହଜାର କୋଟି। ଋଣଭାର ୧୮ ହଜାର କୋଟି। ଆମେ ୨ ଲକ୍ଷ ୫୫ ହଜାର କୋଟିର ବଜେଟ୍ ଆଣିଥିଲୁ। ଏ ସରକାର ମାତ୍ର ୧୦ ହଜାର କୋଟି ଅଧିକ ବଢ଼ାଇଛନ୍ତି। ନୂଆ ସରକାରଙ୍କ ପାଖରେ ଋଣ କରିବାର ବହୁତ ସୁଯୋଗ ଅଛି। ବଡ଼ଭାଇ ଭାବେ ଆମେ ବହୁ ସମ୍ପତ୍ତି ଗଚ୍ଛିତ ରଖିଛୁ। ସାନଭାଇ ରାଜ୍ୟର ବିକାଶ କରୁ । ଆମେ ଖୁସି ହେବୁ। ଶାସକ ଦଳ ସଦସ୍ୟ ପାଟି କରୁଥାନ୍ତି, ଆମେ ଜାଣିଛୁ ତୁମେ କେତେ ପାରିବାର।
ରାଜ୍ୟ ସରକାରଙ୍କ ବଜେଟରେ ମିଛ ଇନ୍ଦ୍ରଜାଲ, ଶବ୍ଦର ଚାତୁରୀ ଓ ଶାଣିତ କତୁରୀ ଦେଖିବାକୁ ମିଳିଛି। ବହୁ ଯୋଜନାର ନାମ ବଦଳାଯାଇଛି। ସରକାର ମନେ ରଖିବା ଦରକାର ବିଜେପି ଅପେକ୍ଷା ବିଜେଡିକୁ ୩୬ ହଜାର ଭୋଟ ଅଧିକ ମିଳିଛି। ମହାନଦୀ, ପୋଲାଭରମ, କୋଟିଆ ଓ ସୁବର୍ଷରେଖା ପ୍ରସଙ୍ଗରେ ଓଡ଼ିଆ ଅସ୍ମିତାକୁ ଆମେ ଅପେକ୍ଷା ରଖିଛୁ। ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ନାହିଁ । ଅପପୁଷ୍ଟି ରୋକିବାରେ ଭାରତ ଫେଲ୍ ମାରିଛି। ସ୍ବାସ୍ଥ୍ୟସେବାରେ ନବୀନ ସରକାର କ’ଣ କରିଛନ୍ତି ସମସ୍ତଙ୍କୁ ଜଣା। ବିଏସ୍କେୱାଇ ନାମ ବଦଳାଇ ସରକାର ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କରିଛନ୍ତି ।
ରାଜ୍ୟରେ ଆୟୁଷ୍ଠାନ ଲାଗୁ ହେବ । ତେବେ ବିଏସକେୱାଇରେ ରାଜ୍ୟ ସରକାର ୨୦୨୩-୨୪ରେ ୩୨୦୦ କୋଟି ଖର୍ଚ୍ଚ କରିଛନ୍ତି। ଆୟୁଷ୍ମାନ ଭାରତର ସମଗ୍ର ଦେଶ ପାଇଁ ପାଣ୍ଠି ବରାଦ ହେଉଛି ୭୩୦୦ କୋଟି । ନାଁ ସିନା ବଦଳାଇଛତି, ସରକାରଙ୍କ ଦମ୍ ଅଛି ତ ଗୋପବନ୍ଧୁ ଜନ ଆରୋଗ୍ୟ ଯଦି ବନ୍ଦ କରିଦେବେ ମୁଁ ଫାଳେ ଲଣ୍ଡା ହୋଇ ବିଧାନସଭାକୁ ଆସିବି। ଅସହିଷ୍ଣୁତା ଅସ୍ମିତା ନୁହେଁ ବୋଲି ଅରୁଣ କହିଥିଲେ।
ଗୃହରେ ପ୍ରବୀଣ ବିଧାୟକ ଅରୁଣଙ୍କ ପାଠଶାଳା ପରେ ବିଜେପିର ନବୀନ ବିଧାୟକ ବାବୁ ସିଂ ଆଲୋଚନାରେ ଅଂଶ ଗ୍ରହଣ କଲେ । ନମ୍ରସ୍ବରରେ ଫିଙ୍ଗିଲେ ତଗଡ଼ା ବାଣ। କହିଲେ, ଅରୁଣ ଭାଇ ଆମର ଓଡ଼ିଆ ଅସ୍ମିତା କଥା କହୁଛନ୍ତି। ୨୪ ବର୍ଷ ଭିତରେ ତାଙ୍କ ଦଳ ସଭାପତିଙ୍କୁ ହେଲେ ଟିକେ କହିଥାନ୍ତେ। ବିଚରା ଓଡ଼ିଆ ଶିଖିଥାନ୍ତେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ, ଆପଣ ୯ ବର୍ଷ ସାଙ୍ଗରେ ପରା ଥିଲେ।

ଅଳ୍ପ ହସିଲେ ବାବୁ, କହିଲେ, ହଁ ଅପା ମନା ତ କରୁନି । ଆମେ ସାଙ୍ଗରେ ଥିଲୁ । ହେଲେ ବାକି ୧୬ ବର୍ଷରେ ବି ସିଲଟ ଖଡ଼ି ଧରି ଆପଣମାନେ ପାରିଲେନି ? କି କଥା। ଶାସକ ସଭ୍ୟ ଟେବୁଲ ବାଡ଼େଇ ସମର୍ଥନ ଜଣାଇଲେ। ଗୃହରେ ଲାଗି ରହିଥାଏ ହାସ୍ୟରୋଳ। ଅରୁଣଙ୍କ ପ୍ରତିଟି କଥାର ଜବାବ ଶ୍ରୀ ସିଂ ରଖି କହିଲେ, ଭୋଟ ଆସିଲେ ବିଜେଡିର କେନ୍ଦ୍ର ଅବହେଳା ଆଉ ସ୍ବତନ୍ତ୍ର ପାହ୍ୟା ମନେପଡ଼େ । ଆଚ୍ଛା ଭାଇ..ଆପଣଙ୍କ ସଭାପତିଙ୍କ ହାତରେ ତ ଷ୍ଟିୟରିଂ ଥିଲା, କିଛି କଲନି। ଖାଲି ତ ଗୋଛି କାଟିଲ। ଆପଣଙ୍କୁ ଦେଖିଲେ ଭାରି ଭୟ ଲାଗୁଛି ମ। କାଳେ ଛୁରୀ ଧରି ଆସିଥିବ, ଗୋଛି କାଟିଦେବ। ହସରେ ଉଛୁଳିଲା ଗୃହ। ଟେବୁଲ ବାଡ଼େଇଲେ ବିଜେପି ସଦସ୍ୟ । ପଛରୁ କେହି ଜଣେ ସଦସ୍ୟ କହିଲେ, ଅରୁଣ ନାହାନ୍ତି। ବାବୁ ତାଙ୍କ ଆସନକୁ ଚାହିଁ କଟାକ୍ଷରେ କହିଲେ, ଭାଇ ମୋର ଗଲା କୁଆଡ଼େ ? ପଳେଇଲେ କି ?
ବାବୁ ପୁଣି କହିଲେ, ମୁଁ ମୋ ବିଜୟରେ ଯେତିକି ଖୁସି ନୁହଁ । ଅରବିନ୍ଦ ମହାପାତ୍ର ଓ ପ୍ରଦୀପ ପାଣିଗ୍ରାହୀଙ୍କ ବିଜୟରେ ଅଧିକ ଖୁସି । ତମ ଦଳ ତାଙ୍କୁ କ’ଣ ନ‌କରିଛ? ଜଣଙ୍କର ବାପାଙ୍କୁ ବିଧାନସଭା ପୂରେଇ ଦେଲନି। ଆଉ ଜଣଙ୍କ ଝିଅ ବାହାଘର ବି ଭାଙ୍ଗିଦେଲ। କି ରାଜନୀତି ଭାଇ ଇଏ। ଯେଉଁ କୁକର୍ମ ବିଜେଡି କରିଛି ଫଳ ଭୋଗିବା ଆରମ୍ଭ ହୋଇଛି। ଅପେକ୍ଷା କର ଆଗକୁ କ’ଣ ହେଉଛି।

ଶ୍ରୀ ସିଂ କହିଲେ, ବିଜେଡି ଯେଉଁ ଶଙ୍ଖ ଭବନ ନିର୍ମାଣ କରିଛି ତାହା ପାର୍ଟି ଅଫିସ, ହୋଟେଲ ନା ଲଜ୍‌ ମୁଁ ବୁଝିପାରୁନି। ଚିଟ୍ ଦେଲେ ଯାଇ ଦଳ ନେତା ଭିତରକୁ ପଶୁଛନ୍ତି । ଯୋଜନା ନାମ ପରିବର୍ତ୍ତନ କଥା ଅରୁଣ ଭାଇ କହୁଥିଲେ । ରାମରାଜ୍ୟ ଆସିଲାଣି। ରାବଣ, କଂସଙ୍କ ନାମରେ ଯାହା ଚାଲିଥିଲା ତାହା ବନ୍ଦ ହେବାରେ ଅସୁବିଧା କ’ଣ? ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ରାଜନୀତି ଏମିତି କଲ ଯେ ଏବେ ବିରୋଧୀ ଦଳକୁ ଗଲ । ବିଜୁ ଯୁବ ବାହିନୀ କୁଆଡେ ଗଲା ? ବଦଳାଇ କଲ ନୂଆ ‘ଓ’ । ଏହା ‘ଓ’ ନ ଆଳୁ ? ଗୃହରେ ହସ ଖେଳି ଗଲା । ନିଜ ଆସନରେ ବସି ହସୁଥିଲେ ଅରୁଣ।
ଅରୁଣଙ୍କୁ ରକ୍ଷା କରି ବାବୁ କହିଲେ ଆମ ସରକାର ବିଜୁଙ୍କ ନାଁ ବଡଲାଇଛି ବୋଲି କହୁଛ । ବିଜୁଙ୍କ ନାଁ ରେ ତା ଆପଣଙ୍କ ଦଳ । ତାଙ୍କୁ ଆପଣ ସାନମାନର ସହ ରଖିଛନ୍ତି କି ? ଭୋଟ ବେଳେ ଦଳର ପୋଷ୍ଟର ବ୍ୟାନରରେ ପରା ବୁଜୁଙ୍କ ଫୋଟୋ ନଥିଲା । ରେଳ ବଜେଟରେ ୮୦୦ କୋଟି ମିଳୁଥିଲା । ଏବେ ୧୦,୫୮୬ ମିଳୁଛି । ଅବହେଳା ରାଜନୀତି କେତେ ଆଉ କରିବେ ? ୨୪ ବର୍ଷରେ ବିଜେଡି ସରକାର ଯେଉଁ ପାପ, ନାରୀ ନିର‌୍ୟାତନା କରିଛି ତାକୁ ଆମେ କାହିଁକି ମୁଣ୍ଡାଇବୁ ? ଏ ହେଉଛି ମୋହନ ସରକାର । ମୋହନ ବଂଶୀ ବଜାଇ ଜଣେ । ଆପଣ ଖାଲି ଥୟ ଧରିଲେ ହେଲା । ଅରୁଣଙ୍କ ପାଠଶାଳା, ବାବୁଙ୍କ ଜବାବ ଗୃହରେ ଆଣିଥିଲା ବେଶ ହାସ୍ୟରୋଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking