18.1 C
Bhubaneswar
Thursday, January 9, 2025
Homeଓଡିଶାପ୍ରବାସୀ ଭାରତୀୟ ଦିବସ ପାଳନ ସମୟରେ ରାଜଧାନୀରେ ଦିବାଲୋକରେ ହତ୍ୟାକାଣ୍ଡ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ...

ପ୍ରବାସୀ ଭାରତୀୟ ଦିବସ ପାଳନ ସମୟରେ ରାଜଧାନୀରେ ଦିବାଲୋକରେ ହତ୍ୟାକାଣ୍ଡ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି: ବିଜେଡି

 ୭ମାସରେ ରାଜ୍ୟର ଆଇନଶୃଙ୍ଖଳା ଚିନ୍ତାଜନକ
 ପୋଲିସ ମିତ୍ରଙ୍କ ହତ୍ୟା କିନ୍ତୁ ପୋଲିସ ଜାଣିପାରୁନି

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦେଶ ବିଦେଶରୁ ପ୍ରବାସୀ ଭାରତୀୟ ମାନେ ଓଡିଶାରେ ଏକତ୍ରିତ ହୋଇଛନ୍ତି। ଏହା ନିଶ୍ଚିତ ଭାବେ ଓଡିଶା ପାଇଁ ଏକ ସୌଭାଗ୍ୟର କଥା। ଏହି କାର୍ଯ୍ୟକ୍ରମରେ ଯୋକ୍ଟ୍ରଗଦେଇଥିବା ସମସ୍ତ ପ୍ରବାସୀ ଭାରତୀୟ ମାନଙ୍କୁ ଆମେ ସ୍ୱାଗତ କରୁଛୁ। କିନ୍ତୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି ଯାହା ରାଜ୍ୟବାସୀଙ୍କ ଚିନ୍ତାର କାରଣ ହୋଇଛି ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବିଧାୟକ ତଥା ମୁଖପାତ୍ର ଶ୍ରୀ ଗୌତମବୁଦ୍ଧ ଦାସ ଓ ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ଯେତେବେଳେ ପ୍ରବାସୀ ଭାରତୀୟ ଦିବସ ପାଇଁ ସାତ ହଜାରରୁ ଉର୍ଦ୍ଧ୍ୱ ଅତିଥି ଉପସ୍ଥିତ ଅଛନ୍ତି ଠିକ ସେତିକି ବେଳେ ରାଜଧାନୀ ଛାତି ଉପରେ ଏକ ଜଘନ୍ୟ ହତ୍ୟା ଘଟଣା ଘଟିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସଫେଇ କର୍ମଚାରୀ ସଙ୍ଘର ସଭାପତି ଓ ଜଣେ ପୋଲିସ ମିତ୍ର। ଜାତୀୟ ରାଜପଥ ଉପରେ ସ୍ପଷ୍ଟ ଦିବାଲୋକରେ  ଜଣେ ପୋଲିସ ମିତ୍ରଙ୍କ ହତ୍ୟା ଘଟୁଛି କିନ୍ତୁ ପୋଲିସ ଜାଣି ପାରୁନି। ଗତ ସାତ ମାସରେ ନୂଆ ସରକାର ଦାୟିତ୍ୱ ନେବା ପରେ, ରାଜ୍ୟରେ ଅପରାଧ ବଢ଼ି ବଢ଼ି ଚାଲିଛି। ତେଣୁ, ଏଭଳି ଆଇନ ଶୃଙ୍ଖଳା ସ୍ଥିତିରେ ଆମେ ପ୍ରବାସୀ ଭାରତୀୟ ମାନଙ୍କୁ କିପରି ସୁରକ୍ଷା ପ୍ରଦାନ କରିବା, ସେ ନେଇ ସନ୍ଦେହ ରହିଛି ବୋଲି ଶ୍ରୀ ଦାସ କହିଥିଲେ। ସେହିଭଳି ଡ. ଲେନିନ ମହାନ୍ତି କହିଥିଲେ, ରାଜ୍ୟରେ ଏଗାର ଦିନରେ ଏଗାର ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଫସଲହାନି ହୋଇଛି, ଯାହା ଚାଷୀ ସମାଜର ମେରୁଦଣ୍ଡ ଭାଙ୍ଗି ଦେଇଛି। କେଉଁଠି ନା କେଉଁଠି ଚାଷୀ ସମାଜ ସରକାରଙ୍କ ଉପରେ ଭରସା କରି ପାରୁ ନାହାନ୍ତି।

ଡ. ମହାନ୍ତି ଆହୁରି ମଧ୍ୟ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି। ସମ୍ୱଲପୁର ଜିଲ୍ଲାରେ ଦୁଇ ଜଣ ବିଜେପି ନେତାଙ୍କ ହତ୍ୟା ଭଳି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଇଛି। ରାଜଧାନୀ ଭୁବନେଶ୍ୱରରେ ଦିବାଲୋକରେ ମୁଣ୍ଡରୁ ଗଣ୍ଡି ଅଲଗା କରି ହତ୍ୟାକାଣ୍ଡ ଘଟିବା ନିଶ୍ଚିତ ଭାବେ ଏକ ବିରଳ ଘଟଣା। ତାଛଡ଼ା ଭୁବନେଶ୍ୱରରେ ହତ୍ୟା, ଛିନତାଇ ଭଳି ଘଟଣା ମଧ୍ୟ ନିୟମିତ ଭାବେ ଘଟି ଚାଲିଛି। ମହିଳାଙ୍କ ବିରୋଧରେ ଅପରାଧ ମଧ୍ୟ ଚିନ୍ତାଜନକ ସ୍ଥିତିରେ ରହିଛି। ସେହିଭଳି ଭାବେ ଡିସେମ୍ବର ୧୨ ତାରିଖରେ ସୁନ୍ଦରଗଡରେ ମହିଳାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ଫିଙ୍ଗିଦେବା, ଡିସେମ୍ବର ୧୩ ତାରିଖରେ କଟକରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ହତ୍ୟା, ଡିସେମ୍ବର ୧୬ରେ ଏକ ୧୩ ବର୍ଷ ବୟସର ନାବାଳକଙ୍କୁ ଅପହରଣ ଓ ହତ୍ୟା, ନଭେମ୍ବର ୭ରେ ସମ୍ବଲପୁରରେ ମା ଓ ଝିଅଙ୍କୁ ପୋଡି ଦେଇ ହତ୍ୟା, ଗାଡି ପାର୍କିଂକୁ ନେଇ ଦୁଇ ଜଣଙ୍କୁ ଭୁବନେଶ୍ୱରରେ ହତ୍ୟା ଓ  ରେମୁଣାରେ ଆଦିବାସୀ ନାବାଳିକାଙ୍କୁ ଧର୍ଷଣ ପରେ ହତ୍ୟା ଆଦି ସମ୍ବେଦନଶୀଳ ଘଟଣାଗୁଡିକର ଉଲ୍ଲେଖ କରି ରାଜ୍ୟର ବିର୍ପଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ଡ. ମହାନ୍ତି କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking