– ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ଅହେତୁକ ବୃଦ୍ଧି
– ରାଜ୍ୟ ସରକାରଙ୍କ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଅପମାନ ଉଦ୍ୟମକୁ ଦୃଢ଼ ନିନ୍ଦା
– ସୁଭଦ୍ରା ଯୋଜନାରେ ଦିନକୁ ୨୭ ଟଙ୍କାରେ ସଶକ୍ତ କରିବା ଦାବୀ ଏକ ଧୂଆଁବାଣ
ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ମାନଙ୍କ ସଶକ୍ତିକରଣର ଜନକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ରାଜ୍ୟ ବିଜେପି ସରକାର ଅସମ୍ମାନ ପ୍ରଦର୍ଶନ କରୁଛନ୍ତି, ଯାହାକୁ ବିଜୁ ମହିଳା ଜନତା ଦଳ ଦୃଢ଼ ନିନ୍ଦା କରିଛି। ମହିଳାଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ବିଜୁ ମହିଳା ଜନତା ଦଳ ତରଫରୁ ଶଙ୍ଖ ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଦେଶରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ସହିତ ମହିଳାଙ୍କୁ କ୍ଷମତା ରାଜନୀତିରେ ଅଂଶୀଦାର କରିବା ପ୍ରକ୍ରିୟାର ମୂଳଦୁଆ ପକାଇଥିଲେ।
୧୯୯୧ ମସିହାରେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏହି ବ୍ୟବସ୍ଥା ଓଡ଼ିଶାରେ ଲାଗୁ ହୋଇଥିବା ବେଳେ ୧୯୯୨ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ସମ୍ୱିଧାନର ୭୩ ଓ ୭୪ ତମ ସଂଶୋଧନ ଆଣି ଦେଶରେ ଏହି ବ୍ୟବସ୍ଥାର ପ୍ରାବଧାନ କରିଥିଲେ। ଏହି କାରଣରୁ, ବିଜୁ ବାବୁଙ୍କୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଓ ମହିଳାଙ୍କୁ କ୍ଷମତା ପ୍ରଦାନ ପ୍ରକ୍ରିୟାର ଜନକ ବୋଲି ବିଚାର କରାଯାଏ। ଏହି କାରଣରୁ, ୧୯୯୩ ମସିହାରୁ ତତ୍କାଳୀନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ବିଜୁ ଜୟନ୍ତୀ ଦିନ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇ ଆସୁଛି। ବିଜୁଙ୍କ ଏହି କୀର୍ତ୍ତି ସାରା ଦେଶ ପାଇଁ ମାର୍ଗ ଦର୍ଶକ ହୋଇଥିବା ବେଳେ, ଏହା ଓଡିଶା ପାଇଁ ଗର୍ବ ଗୌରବ ବୋଲି ବିଚାର କରାଯାଏ। ରାଜ୍ୟ ବିଜେପି ସରକାର ବିଜୁ ଜୟନ୍ତୀ ଦିନ ପଞ୍ଚାୟତିରାଜ ଦିବସ ନପାଳିବା ନିଷ୍ପତ୍ତି, ରାଜ୍ୟର ଗର୍ବ ଓ ଗୌରବକୁ କ୍ଷୁର୍ଣ୍ଣ କରିଛି, ଯାହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାର ୯ ମାସ ଭିତରେ ମହିଳା ମାନଙ୍କ ଉପରେ ଅତ୍ୟାଚାର ଅହେତୁକ ଭାବେ ବୃଦ୍ଧି ପାଇଛି। ମହିଳା ମାନଙ୍କ, ବିଶେଷ କରି ଦଳିତ ଓ ଆଦିବାସୀ ମହିଳାଙ୍କ ଉପରେ ଦୁଷ୍କର୍ମ, ଗଣ ଦୁଷ୍କର୍ମ ଓ ଅନ୍ୟାନ୍ୟ ଅତ୍ୟାଚାର ସମ୍ୱାଦ ପ୍ରତିଦିନ ଖବର କାଗଜର ପୃଷ୍ଠା ମଣ୍ଡନ କରୁଛି। ରାଜ୍ୟ ସରକାର ନିଦା ବିଷ୍ଣୁ ସାଜିଛନ୍ତି। ଆଜି ରାଜ୍ୟରେ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।
ଅପରପକ୍ଷରେ, ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତ କରିବା ରାଜ୍ୟ ସରକାରଙ୍କ ଦାବୀ ଏକ ପ୍ରହସନ ଛଡା ଆଉ କିଛି ନୁହେଁ। ନିର୍ବାଚନ ସମୟରେ ଦୁଇ ବର୍ଷରେ ମହିଳା ମାନଙ୍କୁ ପଚାଶ ହଜାର ଟଙ୍କା ପ୍ରଦାନର ପ୍ରତିଶ୍ରୁତି ଦେଇଥିବା ବିଜେପି କ୍ଷମତା ହାସଲ କରିବା ପରେ ପାଞ୍ଚ ବର୍ଷରେ ପଚାଶ ହଜାର ସେ ପୁଣି ୧୦ଟି କିସ୍ତିରେ ଦେବେ ବୋଲି କହିବା, ମହିଳାଙ୍କୁ ପ୍ରତାରଣା ସଦୃଶ୍ୟ ହୋଇଛି। ଦିନକୁ ୨୭ ଟଙ୍କା ପ୍ରଦାନ କରି ରାଜ୍ୟର ମହିଳା ମାନଙ୍କୁ କି ପ୍ରକାର ସଶକ୍ତ କରିବେ ବୋଲି ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଥିଲେ। ରାଜ୍ୟର ମହିଳା ମାନଙ୍କୁ ଲଲିପପ୍ ଦେଇ ବିଜେପି ତାଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିବାକୁ ଚାହୁଁଛି। ମିଶନ ଶକ୍ତି ମାଧ୍ୟମରେ ନବୀନ ସରକାର ରାଜ୍ୟର ୭୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବାରେ ସକ୍ଷମ ହୋଇଥିଲେ। ଓଡ଼ିଆ ଅସ୍ମିତା ଓ ମହିଳାଙ୍କୁ ସଶକ୍ତ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ସମସ୍ତ କ୍ଷେତ୍ରରେ ବିଫଳ ହୋଇଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କୁ ଚେତାବନୀ ଦେଉଛି ଯଦି ମହିଳା ମାନଙ୍କୁ ସଶକ୍ତ କରିବା ନାମରେ ଶୋଷଣ ଜାରି ରୁହେ, ମହିଳା ମାନଙ୍କ ସୁରକ୍ଷା ସ୍ଥିତିରେ ସୁଧାର ନଆସେ, ଆଗାମୀ ଦିନରେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଶ୍ରୀମତୀ ଛୁରିଆ କହିଥିଲେ।










