ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି
ବିଜେପି ସରକାରରେ ଆଦିବାସୀ ମହିଳା ଅସୁରକ୍ଷିତ
ପୋଲିସର ଅବହେଳା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ୧୪ ବର୍ଷୀୟା ଜଣେ ଆଦିବାସୀ ନାବାଳିକାଙ୍କ ସହ ହୋଇଥିବା ଅସଦାଚରଣ ଘଟଣାରେ ପୋଲିସର ନିଷ୍କି୍ରୟତାକୁ ନେଇ ତୀବ୍ର ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୟୂରଭଞ୍ଜ-୨ ସଂଗଠନ ଜିଲ୍ଲାର ସଭାପତି ଡ଼ ଦେବାଶିଷ ମାରାଣ୍ଡି ଓ ଦଳର ଗଣମାଧ୍ୟମ ସଂଯୋଜକ ତଥା ପ୍ରବକ୍ତା ଡ଼ ପ୍ରିୟବ୍ରତ ମାଝୀ ଓଡ଼ିଶାରେ ଆଦିବାସୀ ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାରକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ । ଡ଼ ମାରାଣ୍ଡି କହିଥିଲେ ଯେ, ବିଜୁ ଜନତା ଦଳ ସଦାସର୍ବଦା ଆଦିବାସୀ ସମୁଦାୟର ଅଧିକାର, ମର୍ଯ୍ୟାଦା ଓ ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଛି । ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ଆଦିବାସୀ ମହିଳାଙ୍କ ବିରୋଧରେ ଅପରାଧ ମାମଲା ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି । ଡ଼ ମାରାଣ୍ଡି ଉଲ୍ଲେଖ କରିଥିଲେ ଯେ, ଗତ ୧୨ ମାର୍ଚ୍ଚ ୨୦୨୬ରେ ଟିରିଂ ଥାନା ଅଧୀନ ବିଂଝୁଆ ଗ୍ରାମ, ବହଳଦା ଛକ ନିକଟରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ସହ ହୋଇଥିବା ଅସଦାଚରଣ ଘଟଣାକୁ ନେଇ ଏକ ଅପ୍ରୀତିକର ଘଟଣା ଘଟିଥିଲା । ଅସଦାଚରଣ ଘଟାଇଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକମାନେ ଥାନା ଘେରାଉ କରି ପ୍ରତିବାଦ କରୁଥିବା ବେଳେ, ସାଧାରଣ ଜନତାଙ୍କ ଉପରେ ବର୍ବରୋଚିତ ଭାବେ ପୋଲିସ ଆକ୍ରମଣ କରିଥିଲା । ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ, ପୋଲିସ ପ୍ରତିବାଦକାରୀଙ୍କ ଉପରେ ଆକ୍ରମଣ କରିବା ନିନ୍ଦନୀୟ । ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ମିଳିତ ଆଦିବାସୀ ମଞ୍ଚ ଦ୍ୱାରା ଚାଲୁଥିବା ଆନେ୍ଦାଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଛି । ଆଗାମୀ ଦିନରେ ନ୍ୟାୟ ପାଇଁ ମିଳିତ ଆଦିବାସୀ ମଞ୍ଚ ଯେକୌଣସି ନିଷ୍ପତ୍ତି ନେବ, ତାହାକୁ ବିଜୁ ଜନତା ଦଳ ପୂର୍ଣ୍ଣ ସମର୍ଥନ ଜଣାଇବ ।
ଡ଼ ପ୍ରିୟବ୍ରତ ମାଝୀ କହିଥିଲେ, ପୋଲିସର ନିଷ୍କ୍ରିୟତାକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ । ବିଶେଷକରି ୧୪ ବର୍ଷୀୟା ଆଦିବାସୀ ବାଳିକାଙ୍କ ସହ ହୋଇଥିବା ଗୁରୁତର ଅପରାଧ ମାମଲାରେ ପୋଲିସର ବ୍ୟାପକ ଅବହେଳା ପାଇଁ ସାଧାରଣ ଜନତାଙ୍କ ଭରସା ପୋଲିସ୍ ଉପରୁ ଉଠିଯାଉଛି । ବିଜୁ ଜନତା ଦଳ ପୂର୍ବରୁ ଏସଟି କମିଶନ ସମ୍ମୁଖରେ ରାୟଗଡ଼ା, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ (ବୋରିଗୁମ୍ମା), ଲମ୍ପତାପୁଟ ଓ ସୁନ୍ଦରଗଡ଼ ଇତ୍ୟାଦି ଜିଲ୍ଲାରେ ଘଟିଥିବା ଏପରି ଲଜ୍ଜାଜନକ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ଏହି ଘଟଣାରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଜୁ ଜନତା ଦଳ ଦାବି କରୁଛି । ଓଡ଼ିଶାରେ ଆଦିବାସୀ ମହିଳାଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ନ୍ୟାୟ ପାଇଁ ବିଜୁ ଜନତା ଦଳ ସର୍ବଦା ଲଢ଼େଇ ଜାରି ରଖିବ ବୋଲି ଡ଼ ମାଝୀ କହିଥିଲେ ।










