21.1 C
Bhubaneswar
Monday, February 2, 2026
Homeଓଡିଶାରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିଜେଡିର ଗର୍ଜନ

ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିଜେଡିର ଗର୍ଜନ

ଭୁବନେଶ୍ୱର:  ଚଳିତ ଖରିଫ ବିପଣନ ଋତୁ ୨୦୨୫-୨୬ରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ଫେଲ୍ ମାରିଥିବାରୁ ଜିଲ୍ଲାରେ ଚାଷୀ ଭାଇମାନେ ଧାନ ବିକିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଡବଲ ଇଞ୍ଜିନ ସରକାର ପୁଞ୍ଜିପତିଙ୍କୁ ଅନୁକମ୍ପା ପ୍ରଦର୍ଶନ କରି ଟିକସ ଛାଡ଼ କରି ଚାଷୀଙ୍କୁ ଉପହାସ କରିଚାଲିଛି । ଏଥିସହିତ ଜିଲ୍ଲାରେ ଦିନକୁ ଦିନ ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ଅଧୋଗତିର ତୁରନ୍ତ ସମାଧାନ ଦାବିରେ ବରଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ରଙ୍କ ସଂଯୋଜନାରେ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ରହି ରାଜ୍ୟରେ ବହୁ ଚାଷୀ ପଞ୍ଜୀକୃତରୁ ବଞ୍ଚିତ ଥିବା ସତ୍ତ୍ୱେ ୧୯ ଲକ୍ଷ ୬୬ ହଜାର ୧୮୧ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ମାତ୍ର ୭ ଲକ୍ଷ ୯୫ ହଜାର ୨୪୪ ଜଣ ଚାଷୀଙ୍କ ଧାନ କିଣା ଯାଇଥିବା ଉଲ୍ଲେଖ କରି ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୭୫ ଚାଷୀଙ୍କ ପେମେଣ୍ଟ ସରକାର କରିଥିବା ବେଳେ ଅନ୍ୟ ମାନଙ୍କ ପେମେଣ୍ଟ ବର୍ତ୍ତମାନ ସୁଦ୍ଧା ମିଳି ନଥିବା ଉଲ୍ଲେଖ କରି ରାଜ୍ୟ ସରକାରଙ୍କ ଧାନକିଣାର ଅସଲ ଚିତ୍ର ଭାରତ ସରକାରଙ୍କ ତଥ୍ୟ ଓ ରିପୋର୍ଟ ଆଧାରରେ ଉଲ୍ଲେଖ କରିଥିଲେ ।

ତେବେ ସବୁ ଚାଷୀଙ୍କ ଧାନ କିଣିବାକୁ ବାହାସ୍ଫୋଟ ମାରିଥିବା ଅପାରଗ ସରକାର ବଳକା ପଞ୍ଜୀକୃତ ୧୧ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀଙ୍କ ଧାନ କେବେ କିଣିବେ ବୋଲି ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ କଳିକେଶ ସିଂଦେଓ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ବରିଷ୍ଠ ନେତା ଗୌରହରି ମିଶ୍ର, ସୁଶାନ୍ତ ମିଶ୍ର, ସୁବ୍ରତ ସିଂ, କିଶୋର ମିଶ୍ର, ବରଗଡ଼ ଟାଉନ ସଭାପତି ଅନୁପ ଶତପଥୀ, ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ, ରାଜେଶ୍ ଅଗ୍ରୱାଲ, ରାଜୁ ଘିବେଲା, କିଶୋର ଦେବତା, କମଳ ତାଣ୍ଡି, ଜିତୁ ଭୋଇ, ସୁବ୍ରତ ବେହେରା, କୀର୍ତ୍ତି ଚନ୍ଦ୍ର ଦୁଅାଁନ, ନିତ୍ୟାନନ୍ଦ ପ୍ରଧାନ, ଉମାଚରଣ ରାଉତ, ଗଣେଶ ସାହୁ, ନରେନ୍ଦ୍ର ପ୍ରଧାନ, ଦେବାନନ୍ଦ ଗଡତିଆ, ସୁପ୍ରଭା ମହାଲିଙ୍ଗ, ମୀନାକ୍ଷୀ ମିଶ୍ର, ମୋହନ ଲୁହା, ହରିଶଙ୍କର ବେହେରା ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତୃମଣ୍ଡଳୀ ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିଜେଡି ଚାଷୀଙ୍କ ହକ ପାଇଁ ଗର୍ଜନ କରିଛି । ତେବେ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଚେତାବନୀ ସମାବେଶ ପ୍ରତି ଜିଲ୍ଲାରେ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ୨୪ ତାରିଖରେ ରାଜ୍ୟ ରାଜଧାନୀରେ ବିଜେଡି ସରକାରଙ୍କୁ ଚରମ ଚେତାବନୀ ପ୍ରଦାନ କରିବ ବୋଲି ଉପସଭାପତି ଦେବୀ ପ୍ରସାଦ ମିଶ୍ର ସୂଚନା ପ୍ରଦାନ କରିଥିଲେ ।

ଚାଷୀଙ୍କ ପ୍ରମୁଖ ଦାବି ମଧ୍ୟରେ ଧାନ ବିକ୍ରୟ, ଟୋକନ୍ ପ୍ରଦାନରେ ଅହେତୁକ ବିଳମ୍ୱ, ଅଧାରୁ ଅଧିକ ପଞ୍ଜୀକୃତ ଚାଷୀଙ୍କ ଟୋକନ୍ ଏ ପର୍ଯ୍ୟନ୍ତ ନ ଆସିବା, ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ପ୍ରଶାସନିକ ଅପାରଗତାରୁ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ି ରହିବା, ଧାନର ଗୁଣବତ୍ତା ଓ ଆର୍ଦ୍ରତା ଆଳରେ ପ୍ରତି କୁଇଣ୍ଟାଲରେ ୨ କେଜିରୁ ୭ କେଜି ପର୍ଯ୍ୟନ୍ତ କଟନୀ ଛଟନୀ କରାଯିବା, ମଣ୍ଡିରେ ଦଲାଲ ରାଜ୍ ଲାଗି ରହିବା, ଭୁଲ ଟୋକନ ବଣ୍ଟନ ଓ ପ୍ରଶାସନିକ ଅପାରଗତା ପାଇଁ ଚାଷୀ ଅଣ୍ଡର ରେଟ୍ରେ ଖୋଲା ବଜାରରେ ୧୪୦୦ରୁ ୧୫୦୦ ଟଙ୍କାରେ ଧାନ ବିକିବା ପାଇଁ ବାଧ୍ୟ ହେବା, କେନ୍ଦ୍ର ସରକାରଙ୍କ ଧାନର ଏମଏସପି ବୃଦ୍ଧି ଘୋଷଣାକୁ ରାଜ୍ୟରେ କାର୍ଯ୍ୟକାରୀ ନ କରିବା, ୧୫୦ କୁଇଣ୍ଟାଲ ଧାନ ଖରିଦରେ ଯୋଗାଣ ମନ୍ତ୍ରୀଙ୍କ ସିଲିଂ ଘୋଷଣାକୁ ପ୍ରତ୍ୟାହାର କରିବା, ଘୋଷଣା ମୁତାବକ ଧାନ କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ପ୍ରଦାନ କରିବା, ଧାନ ବିକ୍ରିର ୧୫ ଦିନ ପରେ ବି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ନ ଆସିବା, ଧାନ କ୍ରୟ କେନ୍ଦ୍ରର ଦୈନିକ ଧାର୍ଯ୍ୟକୁ ଦୁଇ ଗୁଣ କରିବା, ଚାଷୀଙ୍କୁ ନିଜ ଖର୍ଚ୍ଚରେ ଅଖା କିଣିବା ଓ ମଣ୍ଡିକୁ ଧାନ ଆଣିବାକୁ ବାଧ୍ୟ କରିବା, ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବା, ନାରୀ ନିର୍ଯାତନା, ଅପହରଣ, ଧର୍ଷଣ, ନିଶା କାରବାର ବୃଦ୍ଧି ପାଇବା ଭଳି ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ତେବେ ଚାଷୀ ମାନଙ୍କୁ ସୁନେଲି ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିବା ବିଜେପି ସରକାର ତୁରନ୍ତ ଚାଷୀଙ୍କ ସମସ୍ୟା ସମାଧାନ କରୁ, ନ ହେଲେ ଆଗାମୀ ଦିନରେ ଚାଷୀଙ୍କ ଅଧିକାର ପାଇଁ ବିଜେଡି ଆନେ୍ଦାଳନ ତୀବ୍ର କରିବ ବୋଲି ଚେତାବନୀ ଦେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking