20.1 C
Bhubaneswar
Thursday, January 15, 2026
Homeଓଡିଶାନୂତନ ବିଧାନସଭା ଏବଂ ଲୋକସେବା ଭବନ ନିର୍ମାଣର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି

ନୂତନ ବିଧାନସଭା ଏବଂ ଲୋକସେବା ଭବନ ନିର୍ମାଣର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ନୂତନ ବିଧାନସଭା ଓ ଲୋକସେବା ଭବନ ନିର୍ମାଣ ପାଇଁ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଏହାର ଆବଶ୍ୟକତାକୁ ନେଇ ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଛି । ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ରାଜ୍ୟବାସୀ ସରକାରଙ୍କ ବିରୋଧରେ ଆକ୍ରୋଶ ଶିଖର ଛୁଇଁଥିବାରୁ, ଏଥିରୁ ନଜର ହଟାଇବା ପାଇଁ ସରକାର ଏଭଳି ଭେଳିକି ପ୍ରକଳ୍ପ ସାମ୍ନାକୁ ଆଣିଛନ୍ତି ବୋଲି ବିଜେଡି କହିଛି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ଭୋଗରାଇ ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ରାଜ୍ୟ ବିଜେପି ସରକାର ନିଜର ବିଫଳତାକୁ ଲୁଚାଇବା ଉଦେ୍ଦଶ୍ୟରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବୋଲି କହିଥିଲେ ।

ଗୌତମବୁଦ୍ଧ ଦାସ କହିଥିଲେ, କୃଷକମାନଙ୍କୁ ୮୦୦ ଟଙ୍କା ବୋନସ୍ ଦେବାକୁ ସରକାର ମନା କଲା ବେଳେ ୩,୬୨୩ କୋଟିରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ରାଜ୍ୟ ବଜେଟରେ ପ୍ରାବଧାନ ହୋଇଛି କି ନାହିଁ, ସେନେଇ କୌଣସି ସ୍ପଷ୍ଟତା ନାହିଁ । ପୂର୍ବରୁ ଏହି ପ୍ରକଳ୍ପ ସମ୍ୱନ୍ଧରେ ସମ୍ୟକ ସୂଚନା ମଧ୍ୟ ନଥିଲା । ବିଭିନ୍ନ କ୍ଷେତ୍ରରେ ବିଫଳତା ଯୋଗୁଁ ରାଜ୍ୟ ସରକାରଙ୍କ ବିରୋଧରେ ଜନ ଆକ୍ରୋଶ ବୃଦ୍ଧି ପାଉଥିବାରୁ, ଏଥିରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ଏଭଳି ଭେଳିକି ପ୍ରକଳ୍ପକୁ ରୂପ ଦେଇଛନ୍ତି । ରାଜ୍ୟ ସରକାର ଯେଉଁ ଡିଲିମିଟେସନ କଥା ଉଲ୍ଲେଖ କରି ବିଧାନସଭା ସିଟ୍ ସଂଖ୍ୟା ୨୦୦କୁ ବୃଦ୍ଧି ପାଇପାରେ ବୋଲି କହୁଛନ୍ତି, ସେନେଇ କୌଣସି ସ୍ପଷ୍ଟତା ଆସିନାହିଁ । ଜନଗଣନା ଶେଷ ହେବା ପରେ ଡିଲିମିଟେସନ କାର୍ଯ୍ୟ ଆରମ୍ଭ ହେବ । ତେଣୁ ଯେ ପର୍ଯ୍ୟନ୍ତ ଡିଲିମିଟେସନ ହୋଇନାହିଁ, ସେପର୍ଯ୍ୟନ୍ତ ବିଧାନସଭାର ଆସନ ସଂଖ୍ୟା ବଢିବ କି କମିବ କହି ହେବନାହିଁ । ତେଣୁ ରାଜ୍ୟ ସରକାରଙ୍କ ସିଟ୍ ବଢିବା ଯୁକ୍ତି ଗ୍ରହଣୀୟ ନୁହେଁ । ରାଜ୍ୟ ସରକାର କେବଳ ନିଜର ବିଫଳତା ଉପରୁ ନଜର ହଟାଇବା ପାଇଁ ଏହି ପ୍ରକଳ୍ପକୁ ଆୟୁଧ କରିଛନ୍ତି ।

ଶ୍ରୀ ଦାସ କହିଥିଲେ, ଗତ ୧୮ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ବିଗିଡି ଯାଇଥିବା ବେଳେ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଦୋହଲି ଯାଇଛି । ଏହି ୧୮ ମାସରେ ସ୍ୱଚ୍ଛଳ ଓଡିଶାର ଆର୍ଥିକ ଶୃଙ୍ଖଳାକୁ ବିଗିଡ଼େଇବା ପରେ ଓଡିଶା ଗୋଟିଏ ଋଣଗ୍ରସ୍ତ ରାଜ୍ୟରେ ପରିଣତ ହେବାକୁ ଯାଉଛି । ୨୦୨୪ ମସିହାରେ ନବୀନ ସରକାର କ୍ଷମତାରୁ ଯିବା ସମୟରେ ରାଜ୍ୟର ଋଣ ଭାର ୭୮,୦୦୦ କୋଟି ଟଙ୍କା ଥିଲାବେଳେ ବିଜେପି ସରକାର ମାତ୍ର ଗତ ଦେଢ଼ ବର୍ଷରେ ୯୧,୦୦୦ କୋଟି ଟଙ୍କା ଋଣ କରି ସାରିଲେଣି । ଡବଲ ଇଞ୍ଜିନ ଡବଲ ବିକାଶର ନାରା ଦେଇ କ୍ଷମତାକୁ ଆସିଥିବା ବେଳେ କେନ୍ଦ୍ରରୁ ଅନୁଦାନ ୧୮.୧୯% କମିଗଲା । ନବୀନ ସରକାରଙ୍କ ସମୟରେ ୪,୪୭୪ କୋଟି ଟଙ୍କାରେ ଏମ୍ସ ପ୍ଲସ ପ୍ରକଳ୍ପର ପ୍ରାୟ ୩୦% କାର୍ଯ୍ୟ ଶେଷ ହୋଇ ସାରିଥିଲା । ବିଜେପି କ୍ଷମତାକୁ ଆସିବା ପରେ ଏ ପ୍ରକଳ୍ପ କାମ ଆଗେଇ ପାରୁନାହିଁ । ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଆଗେଇବା ପରିବର୍ତ୍ତେ ନୂତନ ବିଧାନସଭା ଓ ଲୋକସେବା ଭବନ ନିର୍ମାଣ ପାଇଁ ଶିଳାନ୍ୟାସ କରୁଛନ୍ତି । କେଉଁଟା ପ୍ରାଥମିକତା ହେବା କଥା, ତାହା ଓଡ଼ିଶାବାସୀ ବିଚାର କରିବେ । କୃଷକ ମାନଙ୍କ ସମସ୍ୟାକୁ ସମାଧାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ପଲୁ୍ୟସନ ସାର୍ଟିଫିକେଟକୁ ନେଇ ଆଜି ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ଏହି ସବୁ ବିଫଳତା ଉପରୁ ନଜର ହଟାଇବା ପାଇଁ ଡିଲିମିଟେସନ ନାଁରେ ପ୍ରହସନ କରୁଛନ୍ତି ।ଡ଼ ଲେନିନ ମହାନ୍ତି କହିଥିଲେ, ରାଜ୍ୟ ସରକାରଙ୍କ ପ୍ରାଥମିକତା କ’ଣ । ୮ ଲକ୍ଷ ନୂଆ ହିତାଧିକାରୀ ମଧୁବାବୁ ପେନସନ ଅପେକ୍ଷାରେ, ୧୨ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ଅପେକ୍ଷାରେ, ୬ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ ପଡିଛନ୍ତି । ରାଜ୍ୟ ବ୍ୟାପୀ ଶିକ୍ଷକ, ଡକ୍ଟର ଓ ଅଙ୍ଗନବାଡି କର୍ମୀ ନିଜ ଦରମା ବଢାଇବା ପାଇଁ ବହୁ ଦିନରୁ ଆନେ୍ଦାଳନ କରୁଛନ୍ତି । ରାଜ୍ୟରେ ଠିକ୍ ସମୟରେ ହିତାଧିକାରୀଙ୍କୁ ରାସନ ଏବଂ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ୟୁନିଫର୍ମ ପ୍ରଦାନ କରାଯାଉନାହିଁ । ଅନ୍ୱେଷା ଯୋଜନାରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଗତ ୫ ମାସ ହେଲା କୌଣସି ଆର୍ଥିକ ସହାୟତା ଦିଆଯାଉନାହିଁ । ଏ ସବୁ ସମସ୍ୟାର ସମାଧାନ ନକରି, ଜନସାଧାରଣ ନିତିଦିନ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନକୁ ପ୍ରାଥମିକତା ନଦେଇ ରାଜ୍ୟ ସରକାର ନୂଆ ବିଧାନସଭା ଓ ଲୋକସେବା ଭବନ ନିର୍ମାଣର ଭେଳିକି ଦେଖାଉଛନ୍ତି । ବିଲ୍ଡିଂ ନିର୍ମାଣ କରି କେବଳ ପିସି ହାତେଇବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ପ୍ରକଳ୍ପର ଆବଶ୍ୟକତା ବର୍ତ୍ତମାନ ସମୟରେ ଆଦୌ ନାହିଁ । କେବଳ ସରକାର ନିଜକୁ ସଂକଟରୁ ଉଦ୍ଧାର କରିବା ପାଇଁ ଏଭଳି ଭେଳିକି କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking