ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ବାଲେଶ୍ୱରରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି । କଲେଜ ମୁଖ୍ୟ ଫାଟକ ଆଗରେ ପ୍ରତିବାଦ ଓ ନାରାବାଜି କରି ଆନ୍ଦୋଳନ କରିଛନ୍ତି । ସୂଚନା ଥାଉକି , ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଚାଲିଛି ଚିକିତ୍ସା । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି। ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି । ପୀଡ଼ିତାଙ୍କ ଚିକିତ୍ସାର ତଦାରଖ ପାଇଁ ୮ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି । ଏହି ୮ ଜଣିଆ ଡାକ୍ତରୀ ଟିମ୍ ପୂରା ଚିକିତ୍ସା ବ୍ୟବସ୍ଥାର ମନିଟରିଂ କରୁଛନ୍ତି। ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି। ଏଥି ସହିତ ସହକାରୀ ପ୍ରଫେସର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।










