ଭୁବନେଶ୍ୱର: ସୀମା ପୁନଃନିର୍ଦ୍ଧାରଣ ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ହାନି ପହଞ୍ଚାଇବ। ସୀମା ନିର୍ଦ୍ଧାରଣ ପାଇଁ ଜନସଂଖ୍ୟା କେବଳ ଏକମାତ୍ର ଆଧାର ନହେଉ। କେନ୍ଦ୍ର ସରକାର ସବୁ ରାଜନୈତିକ ଦଳଙ୍କ ସହ ବୈଠକ କରି ଦ୍ଵନ୍ଦ୍ବ ଦୂର କରନ୍ତୁ। ଏହା କହିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ।
ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ତେଜୁଛି ରାଜନୀତି | ଚେନ୍ନାଇରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପାଞ୍ଚଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏବଂ ତିନି ରାଜ୍ୟର ନେତାମାନେ ଅଂଶଗ୍ରହଣ କରିଥିଲାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ନାହାନ୍ତି। ଯୋଗ ଦେଇଥିବା ନେତାମାନେ ହେଉଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ଓଡ଼ିଶାର ଦଳ ବିଜୁ ଜନତା ଦଳ ଓ ଆନ୍ଧ୍ର ପ୍ରଦେଶ ୱାଇଏସଆର-କଂଗ୍ରେସର ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା ଓ ପୂର୍ବତନ ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ଯୋଗ ଦେଇଛନ୍ତି |
ବୈଠକରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି ସେମାନଙ୍କ ରାଜ୍ୟ ଉପରେ ସୀମା ନିର୍ଦ୍ଧାରଣର ପାର୍ଶ୍ୱ ପ୍ରତିକ୍ରିୟା ବର୍ଣ୍ଣନା କରିଛନ୍ତି । ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉକ୍ତ ବୈଠକରେ ଯୋଗ ଦେଇନଥିଲେ ହେଁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରିଛନ୍ତି I ଭରଚୁଆଲରେ ବୈଠକକୁ ସମ୍ବୋଧିତ କରି ନବୀନ ପୁଣି କହିଛନ୍ତି ଯେ, ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ କରିବା ଉଚିତ ନୁହେଁ । ଦକ୍ଷିଣ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ପ୍ରତି ବେଶୀ ଅନ୍ୟାୟ ହେବ | ଯେଉଁମାନେ ଦେଶର ସ୍ୱାର୍ଥ ପାଇଁ ପରିବାର ନିୟୋଜନ ଯୋଜନା ମାଧ୍ୟମରେ ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖିଥିଲେ। ତେଣୁ କେନ୍ଦ୍ର ସରକାର ସମସ୍ତ ପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଏହି ବିଷୟରେ ପରବର୍ତ୍ତୀ ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।