33.1 C
Bhubaneswar
Wednesday, March 25, 2026
Homeଓଡିଶାୱାଲଟିଅର ଡିଭିଜନକୁ ଭାଙ୍ଗି ଏହାର ସିଂହ ଭାଗ ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍‌ରୁ କାଢି ନେବାକୁ ବିଜେଡିର...

ୱାଲଟିଅର ଡିଭିଜନକୁ ଭାଙ୍ଗି ଏହାର ସିଂହ ଭାଗ ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍‌ରୁ କାଢି ନେବାକୁ ବିଜେଡିର ବିରୋଧ

 କେବଳ ଆନ୍ଧ୍ରକୁ ଖୁସି କରିବାକୁ ଏହି ଉଦ୍ୟମ
 ରାଜ୍ୟ ସରକାର ନିରବଦ୍ରଷ୍ଟା କାହିଁକି ?
 ସାଉଥ ଇଷ୍ଟର୍ଣ୍ଣ ଅଧୀନରେ ଥିବା ଓଡ଼ିଶାର ଅଞ୍ଚଳକୁ ଇଷ୍ଟକୋଷ୍ଟ ଅଧୀନକୁ ଅଣାଯାଉ
ଭୁବନେଶ୍ୱର,: ରାୟଗଡା ଠାରେ ଏକ ନୂଆ ରେଳ ଡିଭିଜନକୁ ବିଜୁ ଜନତା ଦଳ ସ୍ୱାଗତ କରିଥିବା ବେଳେ ୱାଲଟିଅର ଡିଭିଜନକୁ ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍‌ରୁ କାଢିନେବା ନିଷ୍ପତ୍ତିକୁ ବିଜୁ ଜନତା ଦଳ ବିରୋଧ କରିଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର, ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଓଡିଶାକୁ କ୍ଷତି ପହଞ୍ଚାଇବ ବୋଲି କହିବା ସହିତ ଓଡ଼ିଶାର ଡବଲ ଇଂଜିନ ସରକାର ଏହି ପ୍ରସଙ୍ଗରେ ନିରବ କାହିଁକି ବୋଲି ପ୍ରଶ୍ନ କରିଥିଲେ।
ଶ୍ରୀ ବକ୍ସିପାତ୍ର କହିଥିଲେ, ୱାଲଟିଅର ଡିଭିଜନ ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍‌ରେ ପ୍ରମୁଖ ରାଜସ୍ୱ ପ୍ରଦାନ କରିଆସୁଥିବା ବେଳେ, କେବଳ ଆନ୍ଧ୍ରକୁ ଖୁସି କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାୟଗଡା ଠାରେ ଏକ ନୂତନ ରେଳ ଡିଭିଜନ ହେବାର ନିଷ୍ପତ୍ତିକୁ ବିଜୁ ଜନତା ଦଳ ସ୍ୱାଗତ କରୁଛି, କିନ୍ତୁ ୱାଲଟିଅର ଡିଭିଜନକୁ ଭାଗ ଭାଗ କରି ସିଂହଭାଗ ରାଜସ୍ୱ ଯୋଗାଉଥିବା ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍ ହାତରୁ କାଢିନେବା ଗ୍ରହଣୀୟ ନୁହେଁ। ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍ ଦେଶର ଥିବା ସମସ୍ତ ରେଳ ଜୋନ ଗୁଡିକ ଭିତରୁ ସବୁଠାରୁ ଲାଭ ଉପାର୍ଜନକାରୀ ସଂସ୍ଥା। ୱାଲଟିଅର ଡିଭିଜନକୁ ଭାଙ୍ଗି ଦେଇ ଏହାର ସିଂହ ଭାଗ କାଢି ନେବା ପରେ ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍ ଆଉ ଏକ ଲାଭ ଉପାର୍ଜନକାରୀ ସଂସ୍ଥା ହୋଇ ରହିନପାରେ। ରେଳ ବିଭାଗର ବିଭିନ୍ନ ଜୋନ୍ ଗୁଡିକ ରାଜ୍ୟର ପରିସୀମାକୁ ନେଇ ଗଠିତ ହୋଇନଥାଏ, କିନ୍ତୁ କେବଳ ଆନ୍ଧ୍ରକୁ ଖୁସି କରିବା ପାଇଁ କେନ୍ଦ୍ର ସରକାର ଏପରି କରିଛନ୍ତି। ସେହି ନ୍ୟାୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯଥା ରାଉରକେଲା, ଝାରସୁଗୁଡା, ବେଲପାହାଡ, କେନ୍ଦୁଝର, ବଡବିଲ, ମୟୂରଭଞ୍ଜ ଓ ବାଲେଶ୍ୱର ଇତ୍ୟାଦି ସାଉଥ ଇଷ୍ଟର୍ଣ୍ଣ ରେଲ୍‌ୱେ ଜୋନ୍‌ରୁ କାଢି ନେଇ ଇଷ୍ଟକୋଷ୍ଟରେ ମିଶାଇବାକୁ ବିଜୁ ଜନତା ଦଳ ଦାବି କରୁଛି।
ଶ୍ରୀ ପ୍ରଦୀପ ମାଝୀ କହିଥିଲେ, ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ କ୍ଷମତା ହାସଲ କରିଥିବା ବିଜେପି ସରକାର କ୍ଷମତାକୁ ଆସିବା ପରେ ପୋଲାଭରମ ପ୍ରକଳ୍ପ ପାଇଁ ୧୨ ହଜାର କୋଟି ଟଙ୍କା ଘୋଷଣା କରି ଆନ୍ଧ୍ରକୁ ଖୁସି କରିଥିଲେ ଓ ଓଡିଶାକୁ ଏକ ଝଟକା ଦେଇଥିଲେ। ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ମାଲକାନଗିରି ଅଞ୍ଚଳର ବ୍ୟାପକ କ୍ଷତି ହେବ। ଏହାପରେ ଏବେ ୱାଲଟିଅର ଡିଭିଜନକୁ ଭାଙ୍ଗି ଏହାର ସିଂହ ଭାଗକୁ ଇଷ୍ଟକୋଷ୍ଟ ରେଲ୍‌ୱେ ଜୋନ୍‌ରୁ କାଢି ନେଇ ଓଡିଶା ସହ ଆଉ ଏକ ପ୍ରତାରଣା କରିଛନ୍ତି। ଦୁଃଖ ଓ ପରିତାପର ବିଷୟ, କେନ୍ଦ୍ର ସରକାର ଲଗାତର ଭାବେ ଆନ୍ଧ୍ରକୁ ଖୁସି କରିବାକୁ ଯାଇ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରୁଥିଲେ ହେଁ ରାଜ୍ୟ ବିଜେପି ସରକାର ମୁହଁରେ ତୁଣ୍ଡି ଦେଇ ବସିଛନ୍ତି। ସେହିପରି ଶ୍ରୀ ରୁପେଶ ପାଣିଗ୍ରାହୀ କହିଥିଲେ, ବିଜୁ ଜନତା ଦଳ ଏହି ୱାଲଟିଅର ଡିଭିଜନ ପ୍ରସଙ୍ଗକୁ ବିଧାନସଭାରେ ଉଠାଇଥିଲା। କେନ୍ଦ୍ର ସରକାରଙ୍କ ଓଡ଼ିଶାର ସ୍ୱାର୍ଥ ପ୍ରତି ଅଣଦେଖା ଓ ରାଜ୍ୟ ସରକାରଙ୍କ ନୀରବତାକୁ ଓଡ଼ିଶାବାସୀ ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking