24.1 C
Bhubaneswar
Wednesday, March 11, 2026
Homeଓଡିଶାବିଦାୟୀ ରାଜ୍ୟପାଳ ରଘୁବର ଦାସ ଜଣେ ଲୋକପ୍ରିୟ ନୁହେଁ ଜଣେ ବିବାଦୀୟ ରାଜ୍ୟପାଳ ଥିଲେ: ବିଜେଡି

ବିଦାୟୀ ରାଜ୍ୟପାଳ ରଘୁବର ଦାସ ଜଣେ ଲୋକପ୍ରିୟ ନୁହେଁ ଜଣେ ବିବାଦୀୟ ରାଜ୍ୟପାଳ ଥିଲେ: ବିଜେଡି

– ରାଜ୍ୟପାଳ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯିବା ଏକ କଳଙ୍କିତ ଅଧ୍ୟାୟ
– ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଉଦ୍ୟମ କରୁଥିଲେ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଓ ବିଜୁ ଜନତା ଦଳର ବରିଷ୍ଠ ନେତା ଡଃ ଅରୁଣ କୁମାର ସାହୁ ଆଜି ସାମ୍ୱାଦିକ ମାନଙ୍କ ସହ ବାର୍ତ୍ତାଳାପ କରି ବିଦାୟୀ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ବିବାଦୀୟ ଭୂମିକା ଉପରେ ପ୍ରଶ୍ନବାଣ କରିଛନ୍ତି। ଡଃ ସାହୁ କହିଥିଲେ, ରାଜ୍ୟପାଳ ପଦବୀରୁ ବିଦାୟ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟପାଳ ପଦବୀ ଏକ ଲାଟସାହେବ ପଦବୀ, କିନ୍ତୁ ସେ ନିଜେ ଲାଟସାହେବ ନହୋଇ ଲୋକମାନଙ୍କ ପାଖକୁ ଯାଇ ତାଙ୍କର ସମସ୍ୟାକୁ ବୁଝିବା ପାଇଁ ଚେଷ୍ଟା କରୁଥିଲେ। ବିଦାୟୀ ରାଜ୍ୟପାଳଙ୍କୁ ରାଜ୍ୟ ବିଜେପି ତରଫରୁ ଲୋକପ୍ରିୟ ରାଜ୍ୟପାଳ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ, ମୁଁ ବିଦାୟୀ ରାଜ୍ୟପାଳ ଓ ରାଜ୍ୟ ବିଜେପି ସରକାରଙ୍କ ଉଦ୍ଦେଶ୍ୟରେ କିଛି ପ୍ରଶ୍ନ ରଖିବାକୁ ଚାହୁଁଛି ବୋଲି ଡଃ ସାହୁ କହିଥିଲେ।

ଜଣେ ଲୋକ କୌଣସି ଅପରାଧ କଲେ ଆଇନ ଅନୁସାରେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ। କିନ୍ତୁ, ରାଜ୍ୟପାଳଙ୍କ ପୁଅ ତାଙ୍କ ଅଫିସରେ କାର୍ଯ୍ୟ କରୁଥିବା ଜଣେ ସରକାରୀ ଅଧିକାରୀ (ଏଏସଓ)ଙ୍କୁ ମାଡ଼ ମାରି ଜୋତାରେ ଛେପ ପକାଇ ତାଙ୍କୁ ଚାଟିବାକୁ ବାଧ୍ୟ କରିଥିଲେ। ସେ ଅଧିକାରୀ ଜଣକ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ସାରା ରାଜ୍ୟରେ ଏହି ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, କିନ୍ତୁ ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଏହା ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ନ୍ୟାୟିକ ବ୍ୟବସ୍ଥା ପ୍ରତି ସମ୍ମାନକୁ ପ୍ରଦର୍ଷିତ କରିଥିଲା। ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି, ସରକାର ଗଠନ କରିବା ପରେ ତୁରନ୍ତ ଓଡ଼ିଆ ଅସ୍ମିତାକୁ ଜଳାଞ୍ଜଳି ଦେଇଥିଲା। ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ରଘୁବର ଦାସ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ଗ୍ରୀଭାନ୍ସ ନେଇଥିଲେ।

ରାଜ୍ୟପାଳଙ୍କ ଗ୍ରୀଭାନ୍ସ ସମାଧାନ କରିବାରେ କୌଣସି କ୍ଷମତା ନଥିଲେ ମଧ୍ୟ ସେ ଏହି କାର୍ଯ୍ୟ କେଉଁ ଉଦ୍ଦେଶ୍ୟରେ କରୁଥିଲେ ତାହା ପ୍ରଶ୍ନବାଚୀ ହୋଇଥିଲା। ପ୍ରକୃତରେ ସେ ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ଚିନ୍ତିତ ନଥିଲେ ବରଂ ରାଜ୍ୟ ସରକାରଙ୍କ ବିରୋଧରେ ଓ ବିଜେପି ସପକ୍ଷରେ ପ୍ରଚାର କରୁଥିଲେ। ଜଣେ ରାଜ୍ୟପାଳ ରାଜ୍ୟର ଲୋକପ୍ରିୟ ସରକାରଙ୍କୁ ବଦନାମ କରିବାକୁ ଶ୍ରୀ ଦାସଙ୍କ ଏହି ଉଦ୍ୟମ ଭାରତବର୍ଷର ଇତିହାସରେ ପ୍ରଥମ ଘଟଣା ଥିଲା। ଶ୍ରୀ ଦାସ ଯେଉଁସବୁ ଗ୍ରୀଭାନ୍ସ ଆଣିଥିଲେ, ସେଥିରୁ କେତେଗୁଡିଏ ସେ ବିଜେପି ସରକାରଙ୍କ ସମୟରେ ସମାଧାନ କରିଥିଲେ, ତାହା ଜନସାଧାରଣଙ୍କୁ ଜଣାଇବାର ଆବଶ୍ୟକ ରହିଛି। ବିଜେପି ନେତାଙ୍କ କଥା ଅନୁସାରେ, ରାଜ୍ୟପାଳ ଭାବେ ଯଦି ସେ ଏତେ ଲୋକପ୍ରିୟ ଥିଲେ, ତାହେଲେ ତାଙ୍କୁ ଏପରି ଅସମ୍ମାନ ସୂଚକ ଭାବେ ତାଙ୍କ କାର୍ଯ୍ୟକାଳ ସରିବାର ଢେର ପୂର୍ବରୁ କାହିଁକି ବିଦା କରାଗଲା ? ଏ ପ୍ରଶ୍ନର ଉତ୍ତର ରାଜ୍ୟର ବିଜେପି ନେତାମାନେ ରାଜ୍ୟର ଜନସାଧାରଣଙ୍କ ସାମ୍ନାରେ ରଖିବାର ଅଛି। ତାଛଡା, ରାଜ୍ୟପାଳ ପଦବୀ ଏକ ଲାଟସାହେବ ପଦବୀ ବୋଲି ଶ୍ରୀ ଦାସ କାହିଁକି କହିଲେ? ଦେଶର ଅନ୍ୟ ରାଜ୍ୟର ରାଜ୍ୟପାଳମାନେ କ’ଣ ଲାଟସାହେବ କି ବୋଲି ଡଃ ସାହୁ ପ୍ରଶ୍ନ କରିଥିଲେ। ବାସ୍ତବରେ ଶ୍ରୀ ଦାସ ଜଣେ ଲୋକପ୍ରିୟ ନୁହେଁ ବରଂ ଜଣେ ବିବାଦୀୟ ରାଜ୍ୟପାଳ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking